ପାରିବାରିକ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପାଞ୍ଚଟି ତାରିଖରେ ଶେଷ ହେବ ଭରଣପୋଷଣ ମାମଲାର ଶୁଣାଣି

କଟକ: ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣପୋଷଣ ମାମଲା ପାଞ୍ଚଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ମାମଲାର ଶୁଣାଣି ୫ ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଗୋଟିଏ ତାରିଖରେ ନୋଟିସ୍ ଜାରି କରାଯିବ। ପରବର୍ତ୍ତୀ ତାରିଖରେ ପ୍ରତିପକ୍ଷ ଅଦାଲତରେ ହାଜର ହେବା ସହିତ ଆପତ୍ତି ଦାଖଲ କରିବେ। ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷୀ ଦେବାକୁ ଚାହିଁବେ ତେବେ ଆଉ ଏକ ତାରିଖ ମଞ୍ଜୁର କରାଯାଇ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇ ପାରିବ। ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷହେବ। ଯଦି କୌଣସି ପକ୍ଷ ସାକ୍ଷୀ ଦେବାକୁ ଆଗ୍ରହୀ ନଥିବେ ତେବେ ତୃତୀୟ ତାରିଖରେ ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେବ।

ଏପରି ସ୍ଥିତିରେ ଚତୁର୍ଥ ତାରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ଧରଣର ସଂଖ୍ୟାଧିକ ମାମଲା ନିମ୍ନ ଅଦାଲତରେ ବିଚାରାଧୀନ ଥିବା ଘଟଣାକୁ ଦୃଷ୍ଟିରେ ରଖି ଏପରି ଗାଇଡଲାଇନ୍ ଜାରି କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ସିଆରପିସିର ଧାରା ୧୨୫ରେ ଭରଣପୋଷଣ ପାଇଁ ପତ୍ନୀ ନୟାଗଡ଼ ପରିବାର ଅଦାଲତରେ ଦାୟର କରିଥିବା ମାମଲାକୁ ଭୁବନେଶ୍ବର ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ସ୍ବାମୀ ପ୍ରିୟରଂଜନ ଦାଶ ଦାୟର କରିଥିବା ଟ୍ରାନ୍ସଫର ପିଟିସନର ଶୁଣାଣି କରି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ଏପରି ପରିସ୍ଥିତିରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ପରବର୍ତ୍ତୀ ତାରିଖ ଦିନ ସ୍ବାମୀ ଆପତ୍ତି ଦାଖଲ କରିବେ ଓ ଉପରୋକ୍ତ ରାୟ ଆଧାରରେ ମାମଲାର ଫଇସଲା କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଦୁଇ ମାସ ଭିତରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଶେଷ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ହାଇକୋର୍ଟଙ୍କ ଏହି ରାୟର ନକଲ ରାଜ୍ୟର ସମସ୍ତ ପରିବାର ଅଦାଲତ ଓ ଜିଲ୍ଲା ଜଜ୍‌ଙ୍କୁ ପଠାଇବାକୁ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ଅଦାଲତ ଛଡ଼ା ଏଭଳି ମାମଲାର ଶୁଣାଣି କରୁଥିବା ନିମ୍ନ ଅଦାଲତଗୁଡ଼ିକୁ ଏପରି ରାୟ ସଂକ୍ରାନ୍ତରେ ଅବଗତ କରିବା ପାଇଁ ସମସ୍ତ ଜିଲ୍ଲା ଜଜ୍‌ମାନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧେଶ୍ବର ମହାନ୍ତି, ଏନ.କେ. ଦାସ ଓ ସଂଦୀପ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର