ଡାକ୍ତର ବଦଳି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କର୍ମଚାରୀଙ୍କ ଅବସ୍ଥାପିତ ଇଚ୍ଛାରେ ଅଙ୍କୁଶ

କଟକ : ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ପାଇଁ କର୍ମଚାରୀ କହିପାରିବେ ନାହିଁ। ଡାକ୍ତର ବଦଳି ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଏହା କହିଛନ୍ତି।

ସୂଚନା ଅନୁସାରେ, ସରକାରୀ ମେଡିକାଲ କଲେଜରେ ଫିଜିଓଲୋଜି ବିଭାଗରେ ପ୍ରଫେସର ପଦକୁ ପଦୋନ୍ନତି ପରେ ପୋଷ୍ଟିଂ ସ୍ଥାନକୁ ନେଇ ଦାୟର ଦୁଇ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏସ୍‌ସିବି ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ଆବେଦନକାରୀ ପ୍ରଫେସର ପଦକୁ ପଦୋନ୍ନତି ପରେ ନୂତନ ସ୍ଥାନକୁ ବଦଳିକୁ ବିରୋଧ କରିଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ନିକଟରୁ ନିରାଶ ହେବାପରେ ଦୁଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଖଣ୍ଡପୀଠ ଏ ସଂପର୍କିତ ଦୁଇ ଆବେଦନକୁ ଖାରଜ କରିଛନ୍ତି। ପଦୋନ୍ନତି ପରେ ଏସ୍‌ସିବି ମେଡିକାଲ କଲେଜରେ ପୁନର୍ବାର ଅବସ୍ଥାପିତ କରିବା ବା ନିକଟବର୍ତ୍ତୀ ସ୍ଥାନକୁ ବଦଳି କରିବା ପ୍ରସଂଗରେ ଆବେଦନକାରୀଙ୍କ ଯୁକ୍ତି ଗ୍ରହଣୀୟ ନୁହେଁ। ଆବେଦନକାରୀ ଏକ ବଦଳି ହେଉଥିବା ପଦରେ ରହିଥିବାରୁ ତାଙ୍କ ଦାବି ଗ୍ରହଣୀୟ ନୁହେଁ।  ଆବେଦନକାରୀଙ୍କ ପାଇଁ ଲାଗୁ ହେଉଥିବା ଚାକିରି ସର୍ତ୍ତାବଳୀ ଅନୁସାରେ ତାଙ୍କର ବଦଳି ହେବ ଓ ରାଜ୍ୟ ଭିତରେ ଯେ କୌଣସି ସ୍ଥାନରେ ଅବସ୍ଥାପିତ କରାଯିବ। ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ଆବେଦନକାରୀ କହିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ସ୍ଥିତିରେ ପଦୋନ୍ନତି ପରେ ଆବେଦନକାରୀଙ୍କୁ ଏସ୍‌ସିବିରୁ ବଦଳି କରି ଅନ୍ୟ ସ୍ଥାନରେ ଅବସ୍ଥାପିତ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶ ଆଇନସମ୍ମତ, ଏହା କୌଣସି ପ୍ରକାରର ବିଜ୍ଞପ୍ତିର ଉଲ୍ଲଂଘନ କରୁ ନାହିଁ।

ଅନ୍ୟପକ୍ଷରେ ଆଦର୍ଶ ନିଯୁକ୍ତିଦାତା ଭାବେ କର୍ମଚାରୀଙ୍କ ଆଶା ଓ ବିଶ୍ବାସକୁ ରାଜ୍ୟ ସରକାର ବିଚାରକୁ ନେବା ଉଚିତ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଆବେଦନକାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିଚାରକୁ ନେଇ ତାଙ୍କୁ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ କରାଯିବ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି। ଡାକ୍ତର ସୁଲତା ମହାପାତ୍ର ଓ ଅନ୍ୟ ଜଣଙ୍କ ଆବେଦନର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର