ଟିକସ ଠକେଇ ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଜିଏସ୍‌ଟି କାର୍ଯ୍ୟକାରିତାରେ ବାଧକ ସାଜିଛି ଅସାଧୁ କାର୍ଯ୍ୟକଳାପ

ଅମିତ ବେରିୱାଲଙ୍କ ଜାମିନ ଆବେଦନ ଖାରଜ

କଟକ : ଜାଲ୍ ଫାର୍ମ ସୃଷ୍ଟି କରି ଜିଏସ୍‌ଟି‌ ଠକେଇ ଘଟଣା ବଢିଚାଲିଛି। ଏହାର ପ୍ରଭାବ ରାଜ୍ୟର ରାଜସ୍ବ ଆଦାୟ ଉପରେ ପଡୁଛି। ଦେଶର ଅର୍ଥନୀତିକୁ ଧ୍ବଂସ କରୁଥିବା ଏଭଳି ଅପରାଧୀଙ୍କୁ ଯଦି ଆଇନର ସୀମା ଭିତରକୁ ଅଣାନଯିବ ତେବେ ସାରା ସମାଜ ବ୍ୟବସ୍ଥା ପ୍ରଭାବିତ ହେବ। ସଂପୂର୍ଣ୍ଣ ଭାବେ ଥଣ୍ଡା ମସ୍ତିଷ୍କରେ ସୁଚିନ୍ତିତ ଭାବେ ନିଜର ବ୍ୟକ୍ତିଗତ ଲାଭକୁ ଦୃଷ୍ଟିରେ ରଖି ଏଭଳି ଅର୍ଥନୈତିକ ଅପରାଧ କରାଯାଉଛି। ଏହା ଜିଏସଟିର ଫଳପ୍ରଦ କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରୁଛି ବୋଲି ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ରାୟ ଦେଇଛନ୍ତି।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ଜିଏସଟି ଠକେଇ ସଂପର୍କିତ ବହୁ ମାମଲା ଦେଶରେ ଦେଖିବାକୁ ମିଳୁଛି। ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ ବହୁ ନୀତିହୀନ ନକଲି ସଂସ୍ଥା ସୃଷ୍ଟି କରି ଜାଲ ଇନ୍‌ଭଏସ୍ ଜାରି ପାଇଁ ଏ ଗୁଡିକର ବ୍ୟବହାର କରିଛନ୍ତି। କୌଣସି ସାମଗ୍ରୀ ଯୋଗାଣ ବା ପରିବହନ କରା ନ ଯାଇ ଓ ସରକାରଙ୍କୁ କୌଣସି ଜିଏସଟି ନ ଦେଇ କେବଳ ଇନ୍ ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଉପଯୋଗ କରିବା ଉଦ୍ଦେଶ୍ୟରେ ଏପରି ଜାଲ୍ ସଂସ୍ଥା ସୃଷ୍ଟି କରାଯାଉଛି। ସେଣ୍ଟ୍ରାଲ ଏକ୍ସାଇଜ୍ ଡ୍ୟୁଟି, ସର୍ଭିସ୍ ଟ୍ୟାକ୍ସ, ଭାଟ ଭଳି ବିଭିନ୍ନ ପରୋକ୍ଷ କର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରି ସରକାର ଜିଏସଟି ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ‘ଗୋଟିଏ ଦେଶ, ଗୋଟିଏ କର, ଗୋଟିଏ ବଜାର’ ଉଦ୍ଦେଶ୍ୟ ରଖି ଏପରି କରାଯାଇଥିଲା। ସାଧାରଣଙ୍କ ଲୋକଙ୍କ ସୁବିଧା ପାଇଁ ଏପରି କରାଯାଇଥିଲା। କିନ୍ତୁ ଅସାଧୁ କାର୍ଯ୍ୟକଳାପ ଜିଏସଟି ଶାସନ ବ୍ୟବସ୍ଥାର ଉପଯୁକ୍ତ ଓ ଫଳପ୍ରଦ କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରୁଛି। ଏଭଳି କାର୍ଯ୍ୟକଳାପ ବ୍ୟବସ୍ଥାର ଭିତ୍ତିଭୂମିକୁ ଦୁର୍ବଳ କରୁଛି।

ଜାଲ ଇନ୍ ଭଏସ୍ ସଂପର୍କିତ ଆଇଟିସି ଠକେଇ ସଂକ୍ରାନ୍ତରେ ୨୦୧୮-୧୯ ବର୍ଷରେ ୧୬୨୦ଟି ମାମଲା ରଜୁ ହୋଇଥିଲା। ଏଥିରେ ୧୧୨୫୧.୨୩ କୋଟି ଟଙ୍କା କାରବାର ରହି ଥିଲା। ସେହିଭଳି ୨୦୧୯-୨୦ ବର୍ଷ (ଜୁନ୍ ୨୫, ୨୦୧୯ ପର୍ଯ୍ୟନ୍ତ) ୨୫୬୫ କୋଟି ଟଙ୍କା ସଂପର୍କିତ ୫୩୫ଟି ମାମଲା ରୁଜୁ ହୋଇଥିଲା। ତେଣୁ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ ଓ କାର୍ଯ୍ୟକ୍ଷମ କରି ଆଇଟିସିର ଅପବ୍ୟବହାର ରୋକିବା ଉପରେ ଗୁରୁତ୍ବାରୋପ କରାଯିବା ଉଚିତ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ଏଭଳି ରାୟ ସହିତ ପ୍ରାୟ ଶହେ କୋଟି ଟଙ୍କାର ଜିଏସଟି ଠକେଇ ନେଇ ରୁଜୁ ମାମଲାରେ ଆବେଦନକାରୀ ଅମିତ ବେରିୱାଲଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଅମିତ ବିଭିନ୍ନ ଜାଲ ସଂସ୍ଥା ଖୋଲି ଆଇଟିସି ଉପଯୋଗ କରି ପ୍ରାୟ ଶହେ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ୨୦୨୦, ଜାନୁଆରି ୧୮ରେ ଓଜିଏସଟି ଆଇନ, ୨୦୧୭ର ଧାରା ୧୩୨(୧)(ବି)(ସି) ଓ (୧)ରେ ମାମଲା ରୁଜୁ କରି ଆବେଦନକାରୀଙ୍କୁ ଗିରଫ କରିଥିଲା। ରାଉରକେଲା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ୨୦୨୦, ଫେବ୍ରୁଆରି ୨୪ରେ ଆବେଦନକାରୀଙ୍କ ନିୟମିତ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର