କଟକ : ବିଡ଼ି ଏକ ତମାଖୁ ଉତ୍ପାଦ ଓ ଏହାଉପରେ ଓଡ଼ିଶା ପ୍ରବେଶ କର (ଓଡ଼ିଶା ଏଣ୍ଟ୍ରି ଟ୍ୟାକ୍ସ) ଆଇନ ଅନୁସାରେ କର ଲାଗୁହେବ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି।

Advertisment

ଓଇଟି ଆଇନରେ ରହିଥିବା ଅନୁସୂଚୀରେ ସ୍ବତନ୍ତ୍ର ବସ୍ତୁ ଭାବେ ‘ସିଗାରେଟ୍‌ ଓ ଲାଇଟର୍‌’ ଉଲ୍ଲେଖ ରହିଛି। ବିଡ଼ି ପ୍ରସଙ୍ଗରେ କୌଣସି ସ୍ବତନ୍ତ୍ର ଉଲ୍ଲେଖ ନଥିବାରୁ ଓଇଟି ଆଇନ ଅନୁସାରେ ବିଡ଼ି ଉପରେ ପ୍ରବେଶ କର ଲାଗିପାରିବ ନାହିଁ ବୋଲି ଆବେଦନକାରୀ ସଂସ୍ଥା ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ଗୋଲ୍‌ ଭାବେ ଗୁଡ଼ାଇ ହୋଇଥିବା କେନ୍ଦୁପତ୍ର ଭିତରେ ତମାଖୁ ଭର୍ତ୍ତି କରି ବିଡ଼ି ପ୍ରସ୍ତୁତ କରାଯାଇଥାଏ। ଏହାକୁ ସାଧାରଣ ଭାବେ ଗ୍ରାମାଞ୍ଚଳ‌ରେ ଲୋକମାନେ ସିଗାରେଟ୍‌ ଭଳି ଟାଣିଥାନ୍ତି। ତେଣୁ ବିଡ଼ି ହେଉଛି ତମାଖୁ ଉତ୍ପାଦ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସଂପୃକ୍ତ ଆଇନରେ ବିଡ଼ି ପ୍ରସଂଗରେ କୌଣସି ସ୍ବତନ୍ତ୍ର ଉଲ୍ଲେଖ ନଥିବାରୁ ଓଇଟି ଆଇନ ଅନୁସାରେ ବିଡ଼ି ଉପରେ ପ୍ରବେଶ କର ଲାଗିପାରିବ ନାହିଁ ବୋଲି ଆବେଦନକାରୀଙ୍କ ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ‘ତମାଖୁ ଓ ତମାଖୁ ଉତ୍ପାଦ ଅଭିବ୍ୟକ୍ତି’ ଏତେ ବ୍ୟାପକ ଯେ ଏହା ବିଡ଼ିକୁ ଅନ୍ତର୍ଭୁକ୍ତ କରି ପାରିବ ବୋଲି ହାଇକୋର୍ଟ କହିବା ସହିତ ବିଡ଼ି ଉପରେ ପ୍ରବେଶ କର ସପକ୍ଷରେ ଓଡ଼ିଶା ବିକ୍ରି କର ଟ୍ରିବୁନାଲ ପ୍ରଦାନ କରିଥିବା ରାୟକୁ କାଏମ୍‌ ରଖିଛନ୍ତି। ଏଥିସହିତ ବିକ୍ରିକର ଟ୍ରିବୁନାଲ୍‌ଙ୍କ ୨୦୧୨, ଏପ୍ରିଲ ୩୦ର ରାୟ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପଟେଲ୍‌ ବ୍ରଦର୍ସ ଆବେଦନର ଶୁଣାଣିକରି ଏପରି ରାୟ ପ୍ରଦାନ କରିଛନ୍ତି।