ଶ୍ରୀମନ୍ଦିର ନୀତି ଶୃଙ୍ଖଳା ଉପରେ ଗୁରୁତ୍ବପୂର୍ଣ୍ଣ ବୈଠକ: ସାଢ଼େ ୪ରୁ ଦ୍ବାରଫିଟା, ସାଢ଼େ ୧୧ରେ ପହୁଡ଼

୨ ଦିନ ସମୟ ଦେଲା ମନ୍ଦିର ପ୍ରଶାସନ, ବିଳମ୍ବ ହେଲେ କଟିବ ପାଳିଆ ପୁରସ୍କାର

ପୁରୀ: ଶ୍ରୀମନ୍ଦିର ନୀତିକାନ୍ତି ବିଳମ୍ବ ହେଲେ କେବଳ ‌ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେଉନି, ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଆଉ ନୀତି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ଦୈନିକ ସାଢ଼େ ୪ଟାରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୧୧ଟାରେ ପହୁଡ଼ ହେବ। ଯିଏ ବି ନୀତି ବିଳମ୍ବ କରିବ, ପୂର୍ବ ନିଷ୍ପତ୍ତିକ୍ରମେ ସେମାନଙ୍କ ବିରୋଧ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାଳିଆ ପୁରସ୍କାରକୁ କାଟି ଦିଆଯିବ। ଶ୍ରୀମନ୍ଦିର ନୀତି ଶୃଙ୍ଖଳା ଉପରେ ଆଜି ରାତିରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନୀତି ସମ୍ପୃକ୍ତ ବିଭିନ୍ନ ନିଯୋଗକୁ ଦୁଇଦିନର ସମୟ ଦିଆଯାଇଛି। ବିଭିନ୍ନ ନିଯୋଗ ନିଜ ନିଜ ଭିତରେ ଆଲୋଚନା କରି ଆବଶ୍ୟକ ମତାମତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି।

ଶ୍ରୀମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ନୀତି ସମ୍ପୃକ୍ତ ବିଭିନ୍ନ ନିଯୋଗର ସଦସ୍ୟ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ନୀତିକାନ୍ତି ଯେହେତୁ ବିଳମ୍ବ ହେଉଛି, ସେ ଦୃଷ୍ଟିରୁ ଭକ୍ତ ବିଳମ୍ବରେ ମହାପ୍ରଭୁଙ୍କ
ଦର୍ଶନ କରୁଛନ୍ତି ଓ ବିଳମ୍ବରେ ପହୁଡ଼ ହେଉଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଠିକ୍‌ ସମୟରେ ନୀତିକାନ୍ତି ହେଲେ ଭକ୍ତମାନେ ଅଧିକ ସମୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା। ବିଶେଷ କରି ଦ୍ବାରଫିଟା ନୀତିରେ ବିଳମ୍ବକୁ ନେଇ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗାରଦରେ ଅନେକ ପଦବି ଖାଲି ପଡ଼ିଥିବାରୁ ନୀତିକାନ୍ତି ବିଳମ୍ବ ହେଉଥିବା ସେବାୟତମାନେ କହିଥିଲେ। ସେପଟେ ନୀତି ବିଳମ୍ବ ଉପରେ ନିଆଯାଇଥିବା ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ଉପରେ ବି ଆଲୋଚନା ହୋଇଥିଲା। ବିଭିନ୍ନ ଦିଗକୁ ନେଇ ଆଲୋଚନା ‌ପରେ ପରିଚାଳନା କମିଟିର ପୂର୍ବ ନିଷ୍ପତ୍ତି କାଏମ ରଖାଯାଇଛି। ଭୋର ସାଢ଼େ ୪ଟାରୁ ଦ୍ବାରଫିଟା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ସାଢ଼େ ୧୧ଟା ସୁଦ୍ଧା ପ୍ରଥମ ଭୋଗମଣ୍ଡପ ନୀତି ସାରିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟାନ୍ୟ ନୀତିକାନ୍ତି ବି ଠିକ୍‌ ସମୟରେ ସାରିବାକୁ କୁହାଯାଇଛି। ରାତି ୯ଟାରୁ ୧୦ଟା ଭିତରେ ବଡ଼ସିଂହାର ବେଶ, ସାଢ଼େ ୧୦ଟାରୁ ୧୧ଟା ଭିତରେ ବଡ଼ସିଂହାର ଭୋଗ ଓ ରାତି ସାଢ଼େ ୧୧ଟାରେ ପହୁଡ଼ ନିଷ୍ପତ୍ତି ହୋଇଛି। ପର୍ବପର୍ବାଣୀ ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ନୀତି ବିଳମ୍ବ କଲେ ପୂର୍ବ ନିଷ୍ପତ୍ତିକ୍ରମେ ସେବାୟତଙ୍କ ପାଳିଆ ପୁରସ୍କାର କାଟିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ନୀତିକାନ୍ତିକୁ ନେଇ ନିୟମିତ ବୈଠକ କରାଯିବ ଓ ନୀତି ଶୃଙ୍ଖଳା ଉପରେ ବିଚାରବିମର୍ଶ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସମ୍ପାଦକମାନଙ୍କୁ ନୀତି ସମ୍ପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ଚିଠି କରାଯାଇଥିଲା। ଚିଠି ଅନୁଯାୟୀ, ନୀତି ସମ୍ପୃକ୍ତ ସେବାୟତ ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ।

ସମ୍ବନ୍ଧିତ ଖବର