ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ: ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ, ଜିଏସ୍‌ଟି ନୋଟିସ୍ ବନ୍ଦ କର

କଟକ : ଆଉ ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ ପଇଠ ପାଇଁ ଅଯଥା ନୋଟିସ୍ ଜାରି କରାଯାଇପାରିବ ନାହିଁ। ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପଇଠ ପାଇଁ ଆଇନଜୀବୀଙ୍କୁ ନୋଟିସ୍ ଜାରି ନ କରିବାକୁ ଜିଏସଟି କମିସନର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବେ। ଏଥିପାଇଁ କମିସନରଙ୍କୁ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜିଏସଟି କମିସନରଙ୍କ ଏପରି ନିର୍ଦ୍ଦେଶନାମାର କପି ହାଇକୋର୍ଟରେ ଦାଖଲ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଡି.ପି. ତ୍ରିପାଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍ ପ୍ରମୁଖ କମିସନରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ଆବେଦନକାରୀ ହାଇକୋର୍ଟର ଜଣେ ଆଇନଜୀବୀ ହୋଇଥିବା ନେଇ ତାଙ୍କ ‘ପାନ୍‌’ରୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ବିରୋଧରେ ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପଇଠ ସଂପର୍କିତ ମାମଲା ବନ୍ଦ କରାଯାଇଥିଲା। କିନ୍ତୁ ସେ ଜଣେ ଆଇନଜୀବୀ ଓ ଜିଏସଟି ବା ସର୍ଭିସ୍ ଟ୍ୟାକ୍ସ ପରିସରରେ ଆସୁନାହାନ୍ତି ବୋଲି ତଥ୍ୟ ପ୍ରମାଣ ଦାଖଲ କରିବାକୁ ବାଧ୍ୟ କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୧୨, ଜୁନ୍ ୨୦ର ବିଜ୍ଞପ୍ତି ଅନୁସାରେ ଆଇନସେବା ପ୍ରଦାନ କରୁଥିବା ଜଣେ ବ୍ୟକ୍ତିଗତ ଶ୍ରେଣୀଭୁକ୍ତ ଆଇନଜୀବୀ ସର୍ଭିସ୍ ଟ୍ୟାକ୍ସ ପରିସର ବାହାରେ। କିନ୍ତୁ ଏଭଳି କଥା ପ୍ରମାଣ କରିବାକୁ ବିଭାଗ ଆବେଦନକାରୀଙ୍କୁ ଏକପ୍ରକାର ବାଧ୍ୟ କରୁଥିବା ଘଟଣା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ପୂର୍ବରୁ ମଧ୍ୟ ୨୦୧୭ରେ ସମାନ ଧରଣର ନୋଟିସ୍ ଆବେଦନକାରୀଙ୍କୁ ଜାରି କରାଯାଇଥିଲା। ସର୍ଭିସ୍ ଟ୍ୟାକ୍ସ ଦେବା ପାଇଁ ସେ କିଭଳି ଭାବେ ଆଇନତଃ ବାଧ୍ୟ ନୁହେଁ ତାହା ଜବାବରେ ଆବେଦନକାରୀ ଉଲ୍ଲେଖ କରିଥିଲେ। ମାମଲାର ଶୁଣାଣି ସମୟରେ ଉପସ୍ଥିତ ଥିବା ଅନ୍ୟ କେତେକ ଆଇନଜୀବୀ ମଧ୍ୟ ଏଭଳି ନୋଟିସ୍ ପାଇଥିବା କହିଥିଲେ। ଆଇନଜୀବୀମାନେ ସର୍ଭସ୍ ଟ୍ୟାକ୍ସ/ଜିଏସଟି ପଇଠ କରିବା ପ୍ରକ୍ରିୟାରୁ ଆଇନତଃ ଛାଡ଼ ପାଇଥିବା ଘଟଣା ସଂକ୍ରାନ୍ତରେ ଭଲ ଭାବେ ଅବଗତ ଥାଇ ମଧ୍ୟ ଜିଏସଟି କମିସନରେଟ୍ ପକ୍ଷରୁ ଏପରି ନୋଟିସ୍ ଜାରି କରାଯାଉଥିବା ସ୍ପଷ୍ଟ ହୋଇଥିଲା। ଏଭଳି ପ୍ରସଂଗକୁ ଗୁରୁତ୍ବର ସହିତ ହାଇକୋର୍ଟ ଗ୍ରହଣ କରି ଆଇନଜୀବୀଙ୍କୁ ଯେପରି ଏହି ପ୍ରସଂଗରେ ‌ଅଯଥା ନୋଟିସ୍ ଜାରି କରି ହଇରାଣ କରା ନ ଯାଏ ତାହା ସୁନିଶ୍ଚିତ କରିବା ପାଇଁ ଜିଏସଟି କମିସନରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର