କଟକ: ଭିଏଲଡବ୍ଲୁ/ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ମାନଙ୍କ ଅତୀତର ଗ୍ରାମ ପଞ୍ଚାୟତ ସଂପାଦକ କାର୍ଯ୍ୟକାଳକୁ ବିଚାରକୁ ନେଇ ସର୍ବନିମ୍ନ ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଏଥିସହିତ ଗ୍ରାମ ପଞ୍ଚାୟତ ସଂପାଦକ କାର୍ଯ୍ୟକାଳକୁ ବିଚାରକୁ ନେଇ ସର୍ବନିମ୍ନ ପେନସନ୍ ଦାବି କରି ଅବସରପ୍ରାପ୍ତ ଭିଏଲଡବ୍ଲୁ/ପିଇଓ ଦାଖଲ କରିଥିବା ଦରଖାସ୍ତକୁ ଖାରଜ କରି ପଞ୍ଚାୟତିରାଜ ବିଭାଗ ୨୦୨୪ ଫେବ୍ରୁଆରି ୨୬ରେ ପ୍ରଦାନ କରିଥିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଓଡ଼ିଶା ସରକାର ବନାମ ନିରାନନ ବିଶ୍ବାଳ ମାମଲା ରାୟ ଆଧାରରେ ଆବେଦନକାରୀଙ୍କୁ ପେନସନ୍ ପ୍ରଦାନ ପ୍ରସଂଗ ବିଚାର କରାଯିବ। ସମାନ ପରିସ୍ଥିତିରେ ଆବେଦନକାରୀ ଯଦି ଥିବା ସ୍ପଷ୍ଟ ହୁଏ ତେବେ ଗ୍ରାମ ପଞ୍ଚାୟତ ସଂପାଦକ କାର୍ଯ୍ୟକାଳକୁ ବିଚାରକୁ ନେଇ ଆବେଦନକାରୀଙ୍କୁ ଦୁଇ ମାସ ଭିତରେ ସର୍ବନିମ୍ନ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅବସରପ୍ରାପ୍ତ ଭିଏଲଡବ୍ଲୁ/ପିଇଓ ବିଜୟ କୁମାର ରାଉତ ଓ ଅନ୍ୟ ୨୪ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଗ୍ରାମ ପଞ୍ଚାୟତ ସଂପାଦକ ଭାବେ କାର୍ଯ୍ୟ କରିବା ପରେ ଭିଏଲଡବ୍ଲୁ/ପିଇଓ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ପ୍ରସଂଗ ନେଇ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ)ରେ ମାମଲା ଦାୟର ହୋଇଥିଲା। ଗ୍ରାମପଞ୍ଚାୟତ ସଂପାଦକ କାର୍ଯ୍ୟକାଳକୁ ବିଚାରକୁ ନେଇ ଅବସରପ୍ରାପ୍ତ ଭିଏଲଡବ୍ଲୁ/ପିଇଓଙ୍କୁ ସର୍ବନିମ୍ନ ପେନସନ୍ ପ୍ରଦାନ ସପକ୍ଷରେ ସ୍ୟାଟ୍ ୨୦୧୬, ‌ଫେବ୍ରୁଆରି ୧୭ରେ ଆଦେଶ ଦେଇଥିଲେ। ସ୍ୟାଟ୍‌ଙ୍କ ଆଦେଶ ବିରୋଧରେ ସରକାର ଦାୟର କରିଥିବା ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ ରହିଥିଲା। ଏହି ରାୟ ଆଧାରରେ ସରକାର ବହୁ ଭିଏଲଡବ୍ଲୁ/ପିଇଓଙ୍କୁ ଅବସରକାଳୀନ ସୁବିଧା ପ୍ରଦାନ କରିଥିଲେ। କିନ୍ତୁ ସମାନ ପରିସ୍ଥିତିରେ ଥିବା ଆବେଦନକାରୀଙ୍କୁ ଏହି ସୁବିଧା ଦେବାକୁ ପଞ୍ଚାୟତିରାଜ ବିଭାଗ ମନା କରି ଦରଖାସ୍ତ ଖାରଜ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ଓ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।