ସ୍ୱାସ୍ଥ୍ୟ ଟିପ୍ସ: କୋଭିଡ୍ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଜରୁରୀ
ବିପଦ ନୁହେଁ ଓମିକ୍ରନ ସବ୍ଭାରିଆଣ୍ଟ; ଗଳା, ଶରୀର ଯନ୍ତ୍ରଣା, ବାନ୍ତି ଲକ୍ଷଣକୁ ସାବଧାନ
ଭୁବନେଶ୍ବର : ବର୍ତ୍ତମାନର କୋଭିଡ ଆକ୍ରାନ୍ତ ଓମିକ୍ରନ ସବଭାରିଆଣ୍ଟରେ ଆକ୍ରାନ୍ତ ହେଉଛନ୍ତି। ଏଥିଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ଏତେ ନାହିଁ। ପୂର୍ବଭଳି ମାସ୍କ ପିନ୍ଧିବା ସହିତ କୋଭିଡ୍ ଆଚରଣ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଏମ୍ସ ପଲ୍ମୁନାରି ମେଡିସିନ ଏବଂ କ୍ରିଟିକାଲ କେୟାର ବିଭାଗ ମୁଖ୍ୟ ପ୍ରଫେସର ପ୍ରଶାନ୍ତ ମହାପାତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
କୋଭିଡ୍ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି, ଏହା କ’ଣ ଆଉ ଗୋଟିଏ ଲହର?
ଦୁଇ ସପ୍ତାହ ହେଲା ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧ ଡିସେମ୍ବରରୁ ୨୦୨୨ ଜାନୁଆରି ମାସ ତୃତୀୟ ଲହର ପରେ SARS-COV-2 ନୂଆ କରି ଦେଶକୁ ପ୍ରବେଶ କରୁଛି। ବର୍ତ୍ତମାନ ଏହାର ଗତି ଧୀର ରହିଛି। ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ମଧ୍ୟ କମ ରହିଛି।
ଚିହ୍ନଟ ହେଉଥିବା କୋଭିଡ୍ ରୋଗୀଙ୍କୁ ନେଇ ଆପଣ କ’ଣ କହିବେ?
କୋଭିଡ-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପରେ ପ୍ରଥମେ ରୋଗୀଙ୍କୁ ସଙ୍ଗରୋଧରେ ରଖିବା ସହିତ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବା ଉଚିତ। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ସମସ୍ତଙ୍କୁ ଟାର୍ଗେଟ କରାନଯାଇ ଯେଉଁମାନଙ୍କୁ କୋଭିଡ୍ ହେବାର ଅଧିକ ଆଶଙ୍କା ରହିଥିବ ସେମାନଙ୍କୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। SARS-CoV-2 ଯେପରି ବିପଦ ହେବ ନାହିଁ ସେଥିପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ।
ଜନସ୍ବାସ୍ଥ୍ୟ ରଣନୀତିରେ କୌଣସି ପରିବର୍ତ୍ତନ କରାଯାଇଛି କି?
କୋଭିଡ-୧୯ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା, ମୃତ୍ୟୁର ଭୟାବହତାକୁ ଦୂର କରିବା ଲକ୍ଷ୍ୟରେ ଡବ୍ଲୁଏଚଓ(ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ)ର ସୁପାରିସ ଅନୁସାରେ କଣ୍ଟ୍ରାକ୍ଟ ଟ୍ରେସିଂ, ସଙ୍ଗରୋଧକୁ ଆହୁରି ଗୁରୁତ୍ବ ଦିଆଯାଉଛି। ଅଧିକ ବିପଦ ଥିବା ସ୍ବାସ୍ଥ୍ୟ ଗ୍ରୁପ ପ୍ରତି ବେଶି ଧ୍ୟାନ ଦିଆଯାଇଛି।
ସଙ୍ଗରୋଧର ଅବଧି କେତେ ରହିଛି?
ବର୍ତ୍ତମାନ ସ୍ଥିତିରେ ଯଦି ପରୀକ୍ଷଣ ବ୍ୟବସ୍ଥାର ସୁବିଧା ନାହିଁ ତେବେ ସଙ୍ଗରୋଧକୁ ୧୪ରୁ ୧୦କୁ ହ୍ରାସ କରାଯାଇଛି। ଯଦି ପରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ତେବେ ସଙ୍ଗରୋଧ ୫ ଦିନ ପର୍ଯ୍ୟନ୍ତ କରାଯାଇ ପାରିବ। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କୌଣସି ଲକ୍ଷଣ ନାହିଁ ତେବେ ୫ ଦିନ ପରେ ତାଙ୍କ ରିପୋର୍ଟ ନକରାତ୍ମକ ହିଁ ହେବ।
ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ମାମଲା ସଂଖ୍ୟା କାହିଁକି ବୃଦ୍ଧି ପାଇବାରେ ଲାଗିଛି?
ଓମିକ୍ରନର ସବ ଭାରିଆଣ୍ଟ ବଢୁଥିବାରୁ କୋଭିଡ-୧୯ ମାମଲା ସଂଖ୍ୟା ବଢିବାରେ ଲାଗିଛି। ଅଧିକାଂଶ ନମୁନା BA.2, BA,2.75 ଯାହାକି ଜାନୁଆରିରେ ତୃତୀୟ ଲହରର କାରଣ ହୋଇଥିଲା। ଖୁବ ଶୀଘ୍ର BA.5 ଭାରିଆଣ୍ଟ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଭାରିଆଣ୍ଟରେ କୌଣସି ପରିବର୍ତ୍ତନ ହେଲା ଭଳି ଅନୁଭବ ହେଉନାହିଁ। ସବୁ ଗ୍ରୁପ ମଧ୍ୟରେ କୋଭିଡ୍ ନେଇ ଉପଯୁକ୍ତ ଆଚରଣ ପ୍ରଦର୍ଶନ ହେଉନାହିଁ। ବିଶେଷକରି ମାସ୍କ କେହି ପିନ୍ଧୁ ନାହାନ୍ତି। ଯାହାକି କୋଭିଡ୍ ବୃଦ୍ଧିର କାରଣ ହୋଇଛି। ଗତ ଭାରିଆଣ୍ଟ ଅପେକ୍ଷା ବର୍ତ୍ତମାନର ନୂତନ ସବ ଭାରିଆଣ୍ଟ ଅଧିକ ସଂକ୍ରାମକ ଏବଂ ଶୀଘ୍ର ଅନ୍ୟ ଶରୀରରେ ବ୍ୟାପିଛି। କିନ୍ତୁ ଏଥିରେ ବେଶି ବିପଦ ନାହିଁ। ହାଇ ରିସ୍କ ରୋଗୀ ଯଥା ମଧୁମେହ, କର୍କଟ ଏବଂ ବୟସ୍କ ବ୍ୟକ୍ତି ଏଥିଯୋଗୁଁ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ଥାଏ।
ବର୍ତ୍ତମାନ ରୋଗୀମାନଙ୍କ କେଉଁ ଲକ୍ଷଣ ସବୁ ଦେଖାଯାଉଛି?
ବର୍ତ୍ତମାନ ଅଧିକାଂଶ କୋଭିଡ୍ ଆକ୍ରାନ୍ତ ଗଳା ଯନ୍ତ୍ରଣା, ଶରୀର ଯନ୍ତ୍ରଣା ଏବଂ ଉଚ୍ଚତାପ ଥାଇ ଜ୍ବରରେ ପୀଡ଼ିତ ହେଉଛନ୍ତି। ଏଥିସହିତ ଡାଇରିଆ ହେବା ଭଳି ଲକ୍ଷଣ ଥାଏ, ପେଟ ଭରି ରହିବା ଭଳି ଲାଗେ ଓ ବାନ୍ତି ହୁଏ। ଓମିକ୍ରନ ସବଭାରିଆଣ୍ଟ ଡେଲ୍ଟା ଠାରୁ ଶୀଘ୍ର ବ୍ୟାପୁଥିଲେ ମଧ୍ୟ ଏହା ମାରାତ୍ମକ ନୁହେଁ। ଏଥିଯୋଗୁଁ ଫୁସଫୁସ୍ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ନାହିଁ। ଯାହା ତୃତୀୟ ଲହରରେ ଦେଖାଯାଇଥିଲା।
ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରୁନାହାନ୍ତି; ଆପଣଙ୍କ ପରାମର୍ଶ କ’ଣ ରହିବ?
ଆମେ ସମସ୍ତେ ମହାମାରୀର ସମାପ୍ତିକୁ ଅପେକ୍ଷା କରିଛୁ, କିନ୍ତୁ ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ତେଣୁ ଆମେ ମାସ୍କ ପିନ୍ଧିବା ଜାରି ରଖିବା। ବିନା ମାସ୍କ ଥିବା ବ୍ୟକ୍ତି ଅନ୍ୟକୁ ମଧ୍ୟ ଅସହଜ କରି ଦିଅନ୍ତି।
ଆଉ ଟିକାକରଣର ଆବଶ୍ୟକତା ରହିଛି କି?
ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଦ୍ବିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ନେଇଥିଲେ, ସେମାନଙ୍କ ପାଇଁ କୋଭିଡ ଏତେ ଭୟାବହ ନଥିଲା। ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ୍ ପରର ଜଟିଳତା ମଧ୍ୟ କମ ସାମ୍ନା କରିବାକୁ ପଡ଼ିଛି। ତେଣୁ ଟିକାକରଣକୁ ନେଇ ସରକାରୀ ନିର୍ଦେଶନାମାର ପାଳନ ହେବା ଉଚିତ। ଦେଶରେ କୋଭିଡ୍ ମାମଲା ବୃଦ୍ଧି ପରେ ୧୮ ବର୍ଷରୁ ଊର୍ଧ୍ବ ବ୍ୟକ୍ତିଙ୍କ ପାଇଁ ଦ୍ବିତୀୟ ଡୋଜ ଏବଂ ପ୍ରତିଷେଧମୂଳକ ଡୋଜ ମଧ୍ୟରେ ଥିବା ବ୍ୟବଧାନକୁ ୯ ମାସରୁ ୬ ମାସକୁ ହ୍ରାସ କରାଯାଇଛି।
ଭଲ ବୁଷ୍ଟର ଡୋଜ ପାଇଁ ଟିକାକୁ ମିଶାଇ ପାରିବା କି?
ପ୍ରତିଶେଧମୂଳକ ଡୋଜରେ ଭାରତରେ ଟିକା ମିଶ୍ରଣ କରାଯିବା ନେଇ ତଥ୍ୟ ନାହିଁ। ଅନ୍ୟ ଦେଶଗୁଡ଼ିକର ଆଷ୍ଟ୍ରୋଜେନିକା ପରେ ଫାଇଜର ଟିକା ନିଆଯାଇଛି। ଏହାର ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆମ ଦେଶରେ ସମାନ ପରିସ୍ଥିତି ନଥିବାରୁ ଏହା ପ୍ରଯୁଜ୍ୟ ନୁହେଁ। କାରଣ ଆମ ପାଖରେ ମଡେର୍ଣ୍ଣା ଟିକା ନାହିଁ। ଆମ ପାଖରେ ଏହାର ଭଲ ବିକଳ୍ପ ରହିଛି।
ମହାମାରୀର ଭବିଷ୍ୟତ କ’ଣ?
କୋଭିଡ୍ର ପୂର୍ବ ସଂକ୍ରମଣ ଯୋଗୁଁ ଆମ ମାନଙ୍କ ମଧ୍ୟରେ ଅଧିକାଂଶଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଟିକାକରଣ ଆମକୁ ଆହୁରି ସୁରକ୍ଷିତ ରଖିଛି। ମାମଲା ସଂଖ୍ୟା ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା କମ୍ ରହିଛି।