କଟକ: ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ‌ହୋଇଥିବା ଭିଏଲ୍‌ଡବ୍ଲ୍ୟୁଙ୍କୁ ନିଲମ୍ବନ କରିବା କ୍ଷମତା ଜିଲ୍ଲାପାଳଙ୍କର ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଭିଏଲ୍‌ଡବ୍ଲ୍ୟୁମାନେ ଗ୍ରାମ ପଞ୍ଚାୟତ ଅଧୀନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ରହିଛି। ସେମାନଙ୍କ ଚାକିରି ଗ୍ରାମ ପଞ୍ଚାୟତ ନିୟନ୍ତ୍ରଣାଧୀନ। ସେମାନଙ୍କ ଦ୍ବାରା କୌଣସି ବିଶୃଙ୍ଖଳା ଓ ଅବହେଳା ପ୍ରସଙ୍ଗ ଗ୍ରାମ ପଞ୍ଚାୟତ ଶାସନାଧୀନ। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଗ୍ରାମ ପଞ୍ଚାୟତ ହାତରେ ରହିଛି। ଜିଲ୍ଲାପାଳଙ୍କ ଭଳି ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ନିକଟରେ ନାହିଁ।

Advertisment

ନିଲମ୍ବନ ଆଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ହୋଇପାରିବ ନାହିଁ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ସମୟ ଭିତରେ ଶେଷ ହେବ। ବିନା ପୁନର୍ବିଚାରରେ ୯୦ ଦିନ ପରେ ଜାରି ରହିଥିବା ନିଲମ୍ବନ ଆଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ସଙ୍କୁଲେଇ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ସୁନିଲ କୁମାର ପରିଡ଼ାଙ୍କୁ ନିଲମ୍ବନ କରି ଢେଙ୍କାନାଳ ଜିଲ୍ଲାପାଳ ୨୦୨୪ ଫେବ୍ରୁଆରି ୮ରେ ପ୍ରଦାନ କରିଥିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପରିଡ଼ାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନିଲ କୁମାର ପରିଡ଼ାଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ୨୦୨୪ ଫେବ୍ରୁଆରି ୭ରେ ପୁରୀ ଯିବା ଲାଗି ନୋଡାଲ ଅଧିକାରୀ ଭାବେ ଢେଙ୍କାନାଳ ସଦର ବିଡିଓ ଦାୟିତ୍ବ ଦେଇଥିଲେ। କିନ୍ତୁ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରଦ୍ଧାଳୁଙ୍କୁ ନେବା ଲାଗି ବିଳମ୍ବରେ ପହଞ୍ଚିଥିଲେ; ଦାୟିତ୍ବରେ ଅବହେଳା କରିଥିଲେ ଓ ବିଶୃଙ୍ଖଳା କରିଥିଲେ ବୋଲି ସୁନିଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସଦର ବିଡିଓଙ୍କ ପ୍ରସ୍ତାବ ଅନୁଯାୟୀ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଥିବା ବେଳେ ଏହି ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ସୁନିଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।