କଟକ: ଭରଣପୋଷଣ ପ୍ରସଂଗ ନେଇ ଦାୟର କରାଯାଉଥିବା ମାମଲାରେ ନିଜ ସଂପତ୍ତି ସଂପର୍କିତ ତଥ୍ୟ ପ୍ରକାଶ କରି ସତ୍ୟପାଠ ଦାଖଲ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରଜନିଶ୍ ମାମଲା ରାୟରେ ଏ ନେଇ ଉଲ୍ଲେଖ ରହିଛି। ଭରଣପୋଷଣ ସଂପର୍କିତ ମାମଲାର ଶୁଣାଣି କରୁଥିବା ଅଦାଲତଙ୍କ ପାଇଁ ଏହି ନିୟମାବଳୀ ଅବଶ୍ୟପାଳନୀୟ ବୋଲି ହାଇକୋର୍ଟ କହିଛନ୍ତି। ଭରଣପୋଷଣ ସଂପର୍କିତ ମାମଲାରେ ଆବେଦନକାରୀ ପତ୍ନୀ ଓ ପ୍ରତିପକ୍ଷ ସ୍ବାମୀ ନିଜ ସଂପତ୍ତି ସଂପର୍କିତ ତଥ୍ୟ ପ୍ରକାଶ କରି ସତ୍ୟପାଠ ଦାଖଲ କରି ନଥିବା ବେଳେ ଖୋର୍ଦ୍ଧା ପରିବାର ଅଦାଲତ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ପତ୍ନୀ ଓ ନାବାଳକ ପୁଅକୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଭରଣପୋଷଣ ପ୍ରଦାନ ପାଇଁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ପରିବାର ଅଦାଲତ ରଜନିଶ୍ ମାମଲାରେ ଜାରି କରାଯାଇଥିବା ଗାଇଡ୍ଲାଇନ୍ ପାଳନ କରି ନଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଭରଣପୋଷଣ ପ୍ରଦାନ ପାଇଁ ଖୋର୍ଦ୍ଧା ପରିବାର ଅଦାଲତ ୨୦୨୩ ଜୁଲାଇ ୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ପ୍ରସଂଗରେ ସାନି ଶୁଣାଣି ପାଇଁ ମାମଲାକୁ ପୁଣି ପରିବାର ଅଦାଲତକୁ ପଠାଇ ଦେଇଛନ୍ତି। ରଜନିଶ ମାମଲାରେ ପ୍ରଦାନ କରାଯାଇଥିବା ଗାଇଡ୍ଲାଇନ ଅନୁପାଳନ କରି ପରିବାର ଏହି ପ୍ରସଂଗରେ ଫଇସଲା କରିବେ। ୨୦୧୭ରୁ ବିଚାରାଧୀନ ଥିବା ଏହି ଭରଣପୋଷଣ ମାମଲାର ଫଇସଲା ଦୁଇ ମାସ ଭିତରେ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତଙ୍କ ଭରଣପୋଷଣ ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ବିବରଣୀରୁ ପ୍ରକାଶ ଯେ ସ୍ବାମୀଙ୍କ ବିରୋଧରେ ଭରଣପୋଷଣ ଦାବି କରି ସିଆର୍ପିସିର ଧାରା ୧୨୫ରେ ପତ୍ନୀ ପରିବାର ଅଦାଲତରେ ମାମଲା ରୁଜୁ କରିଥିଲେ। ପତ୍ନୀ ଓ ନାବାଳକ ପୁଅକୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ୨୦୧୭ ଡିସେମ୍ବର ୧ରୁ ଦେବାକୁ ସ୍ବାମୀଙ୍କୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପରିବାର ଅଦାଲତଙ୍କ ୨୦୨୩ ଜୁଲାଇ ୨୨ର ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ରଜନିଶ ବନାମ ନେହା ମାମଲାରେ ସୁପ୍ରିମକୋର୍ଟ ୨୦୨୦ ନଭେମ୍ବର ୪ରେ ପ୍ରଦାନ କରିଥିବା ରାୟରେ ଉଲ୍ଲେଖ ଗାଇଡ୍ଲାଇନ ପାଳନ କରାଯାଇ ନଥିବା ଆବେଦନକାରୀ ସ୍ବାମୀଙ୍କ ତରଫରୁ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ରାୟ ଅନୁସାରେ ଭରଣପୋଷଣ ଦାବି କରି ଦାୟର କରାଯାଉଥିବା ଆବେଦନ ସହିତ ପକ୍ଷ ନିଜ ସଂପତ୍ତି ତଥ୍ୟ ପ୍ରକଟ କରି ସତ୍ୟପାଠ ଦାଖଲ କରିବେ। ସେହିଭଳି ପ୍ରତିପକ୍ଷ ଜବାବ ଦାଖଲ କରିବା ବେଳେ ନିଜ ସଂପତ୍ତି ସଂକ୍ରାନ୍ତୀୟ ତଥ୍ୟ ପ୍ରକାଶ କରି ସତ୍ୟପାଠ ମଧ୍ୟ ଦେବେ। କିନ୍ତୁ ପରିବାର ଅଦାଲତରେ ମାମଲାର ଶୁଣାଣି ସମୟରେ ଆବେଦନକାରୀ ପତ୍ନୀ ଓ ପ୍ରତିପକ୍ଷ ସ୍ବାମୀ ସଂପତ୍ତି ସଂପର୍କିତ ତଥ୍ୟ ପ୍ରକଟ କରି ସତ୍ୟପାଠ ଦାଖଲ କରି ନଥିବା ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶୁତୋଷ ମିଶ୍ର ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)