କଟକ: ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ବେଳେ ଯେ କୌଣସି ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ଭାବେ ସମ୍ମତି ପ୍ରତ୍ୟାହାର କରି ପାରିବେ। ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୧୩(ଖ)ରେ ସମ୍ମତିକ୍ରମେ ସ୍ବାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି। ଯଦି ଏଭଳି ମାମଲା ବିଚାରାଧୀନ ଥିବା ବେଳେ ଦୁଇଜଣଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରନ୍ତି, ତେବେ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ। ଧାରା ୧୩(ଖ)ରେ ମଞ୍ଜୁର କରାଯାଉଥିବା ବିବାହ ବିଚ୍ଛେଦ ଆଦେଶର ମୂଳ ତତ୍ତ୍ବ ହେଉଛି ସମ୍ମତି। ତେଣୁ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କ ସମ୍ମତି ନ ରହିଲେ ଧାରା ୧୩(ଖ) ଅନୁସାରେ ବିବାହ ବିଚ୍ଛେଦ ଆଦେଶ ଦିଆଯାଇ ପାରିବ ନାହିଁ। ଏପରିକି ମାମଲାରେ ଯୁକ୍ତି ଉପସ୍ଥାପନ ‌ସଂପୂର୍ଣ୍ଣ ପରେ ବି ଦମ୍ପତିଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରି ପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ପରସ୍ପର ସମ୍ମତିକ୍ରମେ ଦମ୍ପତିଙ୍କ ତରଫରୁ ଦାୟର ମାମଲାରେ ଚୂଡାନ୍ତ ରାୟ ପ୍ରକାଶର ୪ ଦିନ ପୂର୍ବରୁ ପତ୍ନୀ ସମ୍ମତି ପ୍ରତ୍ୟାହାର କରିଥିଲେ ମଧ୍ୟ ପରିବାର ଅଦାଲତ ବିବାହ ବିଚ୍ଛେଦ ସପକ୍ଷରେ ପ୍ରଦାନ କରିଥିବା ଆଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ବିବାହ ବିଚ୍ଛେଦ ପାଇଁ ବାଲେଶ୍ବର ପରିବାର ଅଦାଲତ ୨୦୨୧, ନଭେମ୍ବର ୨୨ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲାର ପରିବାର ଅଦାଲତ ସାନି ଶୁଣାଣି କରି ଆଇନ ଅନୁସାରେ ୬ ମାସ ଭିତରେ ଫଇସଲା କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତଙ୍କ ଆଦେଶ ବିରୋଧରେ ପତ୍ନୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲା ବିଚାରାଧୀନ ଥିବା ସମୟରେ ବି ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବ

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮ରେ ଆବେଦନକାରୀଙ୍କ ବିବାହ ହୋଇଥିଲା। କିଛି ଦିନ ପତିପତ୍ନୀ ଭଲରେ ଚଳିବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୨୦୨୦ରେ ପରସ୍ପର ସହମତିରେ ପତିପତ୍ନୀ ବାଲେଶ୍ବର ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ଧାରା ୧୩(ଖ)ରେ ଯୁଗ୍ମ ଆବେଦନ ଦାୟର କରିଥିଲେ। ପରିବାର ଅଦାଲତରେ ମାମଲା‌ ବିଚାରାଧୀନ ଥିବା ବେଳେ ମଧ୍ୟସ୍ଥତା ପ୍ରକ୍ରିୟାରେ ଅଂଶଗ୍ରହଣ କରି ପରସ୍ପର ସମ୍ମତିରେ ବିବାହ ବିଚ୍ଛେଦ ଚାହୁଁଥିବା କହିଥିଲେ। ଏହା ପରେ ପରିବାର ଅଦାଲତରେ ମାମଲାର ଶୁଣାଣି ଚାଲିଥିଲା। ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାକୁ ଚାରି ଦିନ ବାକି ଥିବା ବେଳେ ପତ୍ନୀ ଏକପାଖିଆ ଭାବେ ନିଜ ସମ୍ମତି ୨୦୨୧, ନଭେମ୍ବର ୧୮ରେ ପ୍ରତ୍ୟାହାର କରିଥିଲେ। ଏ ନେଇ ଅଦାଲତଙ୍କୁ ପତ୍ନୀ ଅବଗତ କରିଥିଲେ। ପତ୍ନୀ ସମ୍ମତି ପ୍ରତ୍ୟାହାର କରିବାର ଚାରି ଦିନ ପରେ ୨୦୨୧, ନଭେମ୍ବର ୨୨ରେ ପରିବାର ଅଦାଲତ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରିଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ପତ୍ନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।