ସିସୋର୍‌ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ : ୬୫୦ କୋଟିର ସଂପତ୍ତି ବାଜ୍ୟାପ୍ତ

ନିଲାମଲବ୍ଧ ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ ପାଇଁ ନିର୍ଦ୍ଦେଶ

କଟକ : ସିସୋର ଗ୍ରୁପ ଅଫ୍ କମ୍ପାନିଜ୍‌ର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ଚିଟ୍‌ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ କଟକ ସ୍ବତନ୍ତ୍ର ଅଦାଲତ (ଡେଜିଗ୍‌ନେଟେଡ୍‌ କୋର୍ଟ) ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ସିସୋର ସ˚ସ୍ଥାର କଟକ, ଭୁବେନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୋଳ ଓ ଅନ୍ୟ ଜିଲ୍ଲାରେ ଥିବା ୧୯୭ ଏକର ଜମି, ୧ କିଲୋ ୩୮୫ ଗ୍ରାମ ସୁନା, ୨୦୦ କିଲୋ ରୁପା, ବ୍ୟାଙ୍କରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ୧୦୪ ଟଙ୍କା ୮୮ ପଇସା, ତି‌ନୋଟି ଦାମୀ କାର ବାଜ୍ୟାପ୍ତି କରାଯାଇ ସ˚ପୃକ୍ତ ଅର୍ଥକୁ ଏହି ଚିଟ୍‌ଫଣ୍ତ୍‌ ସ˚ସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧୢରେ ବଣ୍ଟନ କରାଯିବ। ସିସୋରର ଏହି ସ୍ଥାବର ଅସ୍ଥାବର ସଂପତ୍ତିର ମୂଲ୍ୟ ୬୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ସିସୋର ବିରୋଧରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଥାନାରେ ୨୦୧୨, ଜୁଲାଇ ୧୮ରେ ଜମାକରୀଙ୍କୁ ଠକିବା ନେଇ ଅଭିଯୋଗ ରୁଜୁ ହୋଇଥିଲା। ବିଭିନ୍ନ ଯୋଜନାରେ ଜମାକାରୀଙ୍କ ନିକଟରୁ ସ‌ିସୋର ଟଙ୍କା ସଂଗ୍ରହ କରି ପ୍ରତିଶ୍ରୁତି ପାଳନ କରି ନଥିବା ଜମାକାରୀ ଅଭିଯୋଗ କରିଥିଲେ। ଏହାପରେ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ୨୨୧ଏକର ୧୩୮ ଡିସିମିଲ ଜମି ସହିତ ୧ କିଲୋ ୩୮୫ ଗ୍ରାମ ସୁନା, ୨ଶହ କିଲୋ ରୁପା, ୨୨ଟି ବ୍ୟାଙ୍କରେ ୨୬୬ଟି ଖାତାରେ ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ୧୦୪ ଟଙ୍କା ୮୮ ପଇସା, ବିଏମଡବ୍ଲୁ, ମର୍ସିଡିଜ ଓ ଦୁଇଟି ଟୟୋଟାର ଦାମୀ ଗାଡି କ୍ରାଇମବ୍ରାଞ୍ଚ ଜବତ କରିଥିଲା। ଏହି ମାମଲାରେ ୨୦୧୪, ମାର୍ଚ୍ଚ ୨୨ରେ ଆଇପିସିର ଦଫା ୪୨୦, ୪୬୭, ୪୬୮, ୪୭୧, ୪୦୬, ୧୨୦-ବି, ୩୪ , ପ୍ରାଇଜ୍‌ ଚିଟ୍ସ ଆଣ୍ତ ମନି ସାର୍କୁଲେସନ୍‌ ସ୍କିମ୍ସ(ବ୍ୟାନି˚) ଆକ୍ଟର ଧାରା ୪, ୫, ୬ ଏବ˚ ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌(ଇନ୍‌ ଫାଇନାରେନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍‌)ର ଧାରା ୬ରେ ଭୁବନେଶ୍ବର ଏସଡିଜେଏମ୍ ଅଦାଲତରେ ଚାର୍ଜସିଟ ଦାଖଲ କରାଯାଇଥିଲା। ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାଶ, ପ୍ରଭାତ ଦାଶ ଓ ଅନ୍ୟ ଅଭିଯୁକ୍ତଙ୍କ ସହିତ ସିସୋର ସିକ୍ୟୁରିଟିଜ୍ ଲିମଟେଡ ଏମଡିଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା। ୨୦୧୪, ଜୁଲାଇ ୧୬ରେ ସିସୋର ଠକେଇ ଅଭିଯୋଗର ତଦନ୍ତ ଭାର ସିବିଆଇ ନେଇଥିଲା। ୨୦୧୩ରେ ସିସୋରର ଜବତ ସଂପତ୍ତି ପ୍ରସଂଗରେ ଓପିଆଇଡି ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ ତଦନ୍ତକାରୀ ସଂସ୍ଥା ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଅର୍ଥ ବିଭାଗ ପକ୍ଷରୁ ୨୦୧୩, ଡିସେମ୍ବର ୨ରେ ଜାରି ମଧୢବର୍ତ୍ତୀକାଳୀନ ନିର୍ଦ୍ଦେଶ (ଆଡ୍ ଇ‌‌‌ଣ୍ଟେରିମ୍ ଅର୍ଡର ଅଫ୍ ଆଟାଚମେଣ୍ଟ)ରେ ସିସୋର ସଂସ୍ଥାର ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିଚାଳନା ଭାର ପ୍ରାଧିକୃତ ଅଧିକାରୀ ତଥା କଟକ ଏଡିଏମଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଏହାପରେ ଓପିଆଇଡି ଆଇନ୍‌ର ଧାରା ୪(୩)ରେ ପ୍ରାଧିକୃତ ଅଧିକାରୀ ସିସୋର ସଂସ୍ଥାର ଜବତ ଜମି, ସୁନା, ରୁପା, ଗାଡି ଓ ବ୍ୟାଙ୍କ ଜମାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି କଟକ ସ୍ବତନ୍ତ୍ର ଅଦାଲତରେ ୨୦୧୩, ଡିସେମ୍ବର ୨୮ରେ ଆବେଦନ କରିଥିଲେ।ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହିତ ମୋଟ ୪୪ଜଣ ପ୍ରତିପକ୍ଷ ରହିଥିଲେ।

ସ୍ବତନ୍ତ୍ର ଅଦାଲତ ବିଚାରପତି ମାମଲାର ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିବା ସ୍ଥାବର ଓ ଅସ୍ଥାବର ସଂପତ୍ତି ଭିତରୁ ଗୋଟିଏ ବ୍ୟାଙ୍କ, ଇଡକୋର କିଛି ଜମି ସହିତ ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ବର ଦେବ ଠାକୁରଙ୍କ ପୁରୀରେ ଥିବା ୨ ଏକର ୯୭ ଡିସିମିଲ ଜମିକୁ ବାଦ ଦେଇ ଅବଶିଷ୍ଟ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ନି‌ର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭାବେ ଗୋଟିଏ ବିଏମଡବ୍ଲୁ କାରକୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଛି। କଟକ ସ୍ବତନ୍ତ୍ର ଅଦାଲତଙ୍କ ଏହା ୧୭ତମ ସଂପତ୍ତି ବାଜ୍ୟାପ୍ତି ସଂପର୍କିତ ରାୟ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଆଇନଜୀବୀ ବିବେକାନନ୍ଦ ଭୂୟାଁ ଓ ସ୍ବତନ୍ତ୍ର ପବ୍ଲକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର