ପୁରୀ: ରଥରେ ଭଉଣୀକୁ ନେଲେ। ଅଥଚ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦିକୁ ଚାଲିଗଲେ ମହାପ୍ରଭୁ। ତେଣୁ ଏଯାଏ ରୋଷ କରିଛନ୍ତି ମହାଲକ୍ଷ୍ମୀ। ଦୁଃସହ ନିଃସଙ୍ଗତା ଭିତରେ ନିମଜ୍ଜିତା ଦେବୀ ଯେ କୋପ କରିଛନ୍ତି ଏକଥା ମହାପ୍ରଭୁଙ୍କର ସଂଶୟ ନାହିଁ। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ତଥା ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ତାଙ୍କୁ ରସଗୋଲା ଦେଇ ତୋଷ କରିବେ। ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନର ଏହି ରସପୂର୍ଣ୍ଣ ନାଟକୀୟ ଉପସ୍ଥାପନାର ନିଦର୍ଶନ ସହ ଯୋଡ଼ି ହୋଇ ରହିଛି ‘ରସଗୋଲା’। ମାନଭଞ୍ଜିନ ପାଇଁ ‘ରସଗୋଲା’ ଯେ ଏକ ଉତ୍କୃଷ୍ଟ ଉପାୟ, ମହାପ୍ରଭୁ ଏହା ଭକ୍ତମାନଙ୍କ ଲାଗି ଯୁଗଯୁଗକୁ ଇସାରା ଦେଇ ଆସିଛନ୍ତି। କଥାକଥାରେ କିଛି ସେବକ କୁହନ୍ତି, ମହାପ୍ରଭୁ କାଳେ ବଡ଼ଖିଆ ସାଆନ୍ତ। ଛପନ ପଉଟି ଭୋଗ ତାଙ୍କ ପାଇଁ ଖଞ୍ଜା। ମାତ୍ର ଶ୍ରୀମନ୍ଦିର ମଧ୍ୟରେ ବର୍ଷକରେ ଥରେ ମାତ୍ର ରସଗୋଲା ଭୋଗ ହେବାର ପରମ୍ପରା ରହିଛି। କୌତୁହଳର କଥା ହେଉଛି ଏହି ରସଗୋଲା ଭୋଗର ସେତିକିବେଳେ ଆବଶ୍ୟକତା ପଡ଼ିଛି, ଯେତେବେଳେ ମହାଲକ୍ଷ୍ମୀ କୋପ କରିଛନ୍ତି। ମାନବୀୟ ଲୀଳା ସଂରଚନା କରୁଥିବା କୋଟି କୈବଲ୍ୟନାଥ ମହାପ୍ରଭୁଙ୍କ ଏହି ପରମ୍ପରା ୭ଶହ ବର୍ଷର ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି। ଏପରିକି ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଡ଼ଶ ଶତାବ୍ଦୀରେ ରଚିତ ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲା ସମ୍ପର୍କରେ ଉଲ୍ଲେଖ ରହିଛି।
ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରାର ଶେଷ ଅଙ୍କ ହେଉଛି ନୀଳାଦ୍ରି ବିଜେ। ନୀଳାଚଳକୁ ଫେରିଥିବା ନୀଳମଣି ସିଂହଦ୍ବାର ଯାଏ ସିନା ଫେରି ଆସିଲେଣି। କିନ୍ତୁ ରତ୍ନବେଦିକୁ ବିଜେ କରିନାହାନ୍ତି।
ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ରାଗରେ କୁହୁଳି ଫେରିବା ବେଳକୁ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଚାଲି ଆସିଥିଲେ। ଗୋପନରେ ହେରାଗୋହିରୀସାହି ବାଟ ଦେଇ ବଡ଼ଦେଉଳକୁ ଅଭିମାନରେ ଫେରିଆସିଛନ୍ତି। ମାତ୍ର ରାଗ ତୋଷ ହୋଇନାହିଁ। ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କୁ ସିଂହଦ୍ବାର କିଳିବେ। ଜୟବିଜୟ ଦ୍ବାର ନିକଟରେ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ବଚନିକା ହେବ। ଲକ୍ଷ୍ମୀନାରାୟଣ କଳି ରସଗୋଲାରେ ଶାନ୍ତ ହେବ। ଦେବତାଙ୍କ ମାନବୀୟ ଲୀଳାର ଏହି ଅନନ୍ୟ ଅବତାରଣା କେବଳ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ହେବା ପରମ୍ପରା ରହିଛି। ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାରଘରଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ ଏବଂ ବନ୍ଦାପନା, ରସଗୋଲା ଭୋଗ, ଇତ୍ୟାଧି ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ସମାହିତ ହୁଏ। ପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। ଭିତରଚ୍ଛ ମହାପାତ୍ର ନିଜ ଘରେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ରସଗୋଲା ତିଆରି କରି ଆଣନ୍ତି। କଥିତ ଅଛି ମହାପ୍ରଭୁ ମହାଲକ୍ଷ୍ମୀ ଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମନୋରଂଜନ କରିଥିଲେ। ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ଆଧାରରେ ନୀଳାଦ୍ରି ବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଛି।
ପୁରୀ: ଦିନକ ପରେ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ମହାପ୍ରଭୁ ସିନା ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭେଟିଦେବେ। କିନ୍ତୁ ସକାଳୁ ଭକ୍ତ, ମଠ ଓ ସେବକମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରସଗୋଲା ଓ ଛେନା ତାଡ଼ିଆ ଆଦି ଭୋଗ କରିବେ। ବହୁ ଭକ୍ତ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ରସଗୋଲା ଭୋଗ ନିବେଦନ କରିବାର ପରମ୍ପରା ଦେଖିବାକୁ ମିଳୁଛି। ଏଥିପାଇଁ ସକାଳୁ ରଥ ନିକଟରେ ସ୍ବତନ୍ତ୍ର ଭାବେ ରସଗୋଲାର ବିକ୍ରିବଟା କରାଯିବ। ଓଳିରେ ରସଗୋଲା ଅର୍ପଣ କରି ଭକ୍ତମାନେ ଏହାକୁ ପ୍ରସାଦ ସ୍ବରୂପ ପାଇବେ ଓ ଘରକୁ ନେଉଥିବା ଦେଖିବାକୁ ମିଳେ।
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି, ରସଗୋଲା ଭୋଗରେ ଦେବୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ହୋଇଥିଲା। ତେଣୁ ଏହି ନୀତିକୁ ଅନୁସରଣ ପୂର୍ବକ ଭକ୍ତମାନେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କ ଉଦ୍ଦେଶ୍ୟରେ ରସଗୋଲା ଭୋଗ କରିଥାନ୍ତି। ଏଥିପାଇଁ ରଥ ନିକଟରେ ରସଗୋଲା ବିକ୍ରି ହୁଏ। ଭକ୍ତମାନେ ଓଳିରେ ରସଗୋଲା କିଣି ନେଇ ପୂଜାପଣ୍ଡାମାନଙ୍କୁ ଭୋଗ କରିବା ଉଦ୍ଦେଶ୍ୟରେ ଦିଅନ୍ତି। ପୂଜାପଣ୍ଡା ମହାପ୍ରଭୁଙ୍କୁ ସର୍ବମଣୋହି କରିବା ପରେ ଏହି ଭୋଗ ଭକ୍ତମାନେ ପ୍ରସାଦ ରୂପେ ପାଆନ୍ତି। ମହାପ୍ରଭୁ ତାଙ୍କର ପ୍ରୀତିପଦ ସ୍ଥାନକୁ ପୁନର୍ବାର ଫେରୁଥିବାରୁ ଏହି ପବିତ୍ର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଏ ବୋଲି ସେ କହିଛନ୍ତି। କେବଳ ବ୍ୟକ୍ତିବିଶେଷ ନୁହଁନ୍ତି, ବିଭିନ୍ନ ମଠ ମଧ୍ୟ ଅନାଦି କାଳରୁ ଏହି ରସଗୋଲା ଭୋଗ ଅର୍ପଣ କରିଥାନ୍ତି। ବହୁ ମଠ ରସଗୋଲା ଭୋଗ କରିବା ପରେ ଏହାକୁ ଭକ୍ତମାନଙ୍କ ମଧ୍ୟରେ ବିତରଣ କରିଦିଅନ୍ତି। ଏ ସମ୍ପର୍କରେ ରାଧାବଲ୍ଲଭ ମଠର ରାମକୃଷ୍ଣ ଦାସ ମହାରାଜ କହିଛନ୍ତି, ବହୁ ପ୍ରାଚୀନ ସମୟରୁ ମଠ ତରଫରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରସଗୋଲା ଭୋଗ ଅର୍ପଣ ହୋଇ ଆସୁଛି। ଏହି ଧାରା ଏବେ ବି ବଳବତ୍ତର ରହିଛି। ମଠ ପକ୍ଷରୁ ସ୍ବତନ୍ତ୍ର କାରିଗରଙ୍କ ଜରିଆରେ ରସଗୋଲା ପ୍ରସ୍ତୁତି କରାଯାଏ। ରାଧାବଲ୍ଲଭ ମଠ ତରଫରୁ ୫ଶହ ରସଗୋଲା ମହାପ୍ରଭୁଙ୍କୁ ଅର୍ପଣ କରାଯିବା ପରେ ଭକ୍ତଙ୍କୁ ବଣ୍ଟାଯିବ ବୋଲି ସେ କହିଛନ୍ତି।