ବ୍ରହ୍ମପୁର : ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ମୃତ ଯନ୍ତ୍ରୀଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲଦଣ୍ଡ ଦେଇଛନ୍ତି। ଅଭିଯୁକ୍ତ ହେଲେ ସୋରଡ଼ାର ନବକୃଷ୍ଣ ଦାସଙ୍କ ପତ୍ନୀ ମମତା ଦାସ। ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ଅଦାଲତ ରାୟରେ କହିଛନ୍ତି।

Advertisment

ମାମଲାରୁ ପ୍ରକାଶ ଯେ ୨୦୦୩ ମସିହାରେ ପୋଲସରା ଜନସ୍ୱାସ୍ଥ୍ୟ ବିଭାଗର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ନବକୃଷ୍ଣ ଦାସଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସୋରଡ଼ାସ୍ଥିତ ଘର, ଅଫିସ୍‌ ଓ ବ୍ରହ୍ମପୁରସ୍ଥିତ ଘରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ୨୨ ଲକ୍ଷ ୨୦ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ସେଥିମଧ୍ୟରୁ ଯନ୍ତ୍ରୀ ୧୫ ଲକ୍ଷ ୬୦ ହଜାର ଟଙ୍କାର ହିସାବ ଦେଇପାରି ନଥିଲେ। ଏଣୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଭିଜିଲାନ୍ସ ବିଭାଗ ଉଭୟ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜୁ କରି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଯନ୍ତ୍ରୀ ନବକୃଷ୍ଣ ଅବସର ଗ୍ରହଣ କରିବା ପରେ ମାମଲାର ବିଚାର ଚାଲିଥିବା ସମୟରେ ତାଙ୍କର ବିୟୋଗ ଘଟିଥିଲା। ମାମଲାର ବିଚାର ବେଳେ ୨୮ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ତାଙ୍କ ପତ୍ନୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।