ଭୁବନେଶ୍ବର : ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଖ୍ୟାତ ଲେଖକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯା‌ୟୀ ସେ ଜିପ୍‌ମାର ଓ ଏମ୍‌ସର ଡାକ୍ତରମାନଙ୍କ ମିଳିତ ତତ୍ତ୍ବାବଧାନରେ ଚିକିତ୍ସିତ ହୋଇ ଦ୍ରୁତ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ଖୋଦ୍ ଶ୍ରୀ ଦାସ ସୂଚନା ଦେବା ସହ ତାଙ୍କର ଚିକିତ୍ସା କରିଥିବା ସମସ୍ତ ଡାକ୍ତର ଏବଂ ଆରୋଗ୍ୟ କାମନା କରିଥିବା ଅଗଣିତ ପ୍ରଶଂସକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

Advertisment

ପଣ୍ଡିଚେରିସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ରହୁଥିବା ଶ୍ରୀ ଦାସ ଗତବର୍ଷ ମାର୍ଚ୍ଚ ମାସରୁ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରୋଷ୍ଟଟ୍‌ ଗ୍ଲାଣ୍ଡ ଓ ପେଟଜନିତ ରୋଗରେ ପୀଡ଼ିତ ହୋଇ ଆଶ୍ରମ ହସ୍ପିଟାଲର ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିବାବେଳେ ଚଟାଣରେ ପଡ଼ିଯିବାରୁ ତାଙ୍କ ହାତ ମଧ୍ୟ ଭାଙ୍ଗି ଯାଇଥିଲା। ତେବେ ଗତ ନଭେମ୍ବର ଓ ଡିସେମ୍ବର ମାସରେ ତାଙ୍କ ସ୍ବସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେବାରୁ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ତାଙ୍କର ଅଗଣିତ ପ୍ରଶଂସକ ଆଶୁ ଆରୋଗ୍ୟ କାମନା କରି ଦୀପ ଜଳାଇବା ସହ ପ୍ରାର୍ଥନା କରିଥିଲେ ଏବଂ ତାଙ୍କର ଉନ୍ନତ ଚିକିତ୍ସା ଲାଗି ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲେ।

ପରବର୍ତ୍ତୀ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ଏମ୍ସ ଏବଂ ପଣ୍ଡିଚେରି ସ୍ଥିତ ଜିପ୍‌ମାରର ଏକ ବିଶେଷଜ୍ଞ ଡାକ୍ତରୀଦଳ ତାଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ଭାବେ ନିଯୁକ୍ତ ହୋଇଥିଲେ। ରାଜ୍ୟ ସରକାର ମଧ୍ୟ ଶ୍ରୀ ଦାସଙ୍କ ସ୍ବାସ୍ଥାବସ୍ଥା ବୁଝିବା ଲାଗି ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ପଠାଇଥିଲେ। ‌େତବେ‌ ଏମ୍‌ସ ଓ ଜିପ୍‌ମାରର ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ତାଙ୍କୁ ଜିପ୍‌ମାରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କ ରୋଗର ନିରାକରଣ ପାଇଁ ଅତ୍ୟାଧୁନିକ ଔଷଧର ପ୍ରୟୋଗ ‌କରାଯାଇଥିଲା। ସୌଭାଗ୍ୟକୁ ଏହି ଉନ୍ନତ ଚିକିତ୍ସା ଫଳରେ ଏବେ ସେ ପୂର୍ବାପେକ୍ଷା ଯଥେଷ୍ଟ ସୁସ୍ଥ ଅନୁଭବ କରୁଥିବା ଶ୍ରୀ ଦାସ ତାଙ୍କର ଜଣେ ପ୍ରଶଂସକଙ୍କୁ ଚିଠି ଲେଖି ଜଣାଇଛନ୍ତି ଏବଂ ତାଙ୍କ ଜରିଆରେ ସମସ୍ତ ଶୁଭେଚ୍ଛୁ, ଆତ୍ମୀୟ ଓ ପ୍ରଶଂସକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

କେବଳ ସେତିକି ନୁହେଁ, ଶ୍ରୀ ଦାସଙ୍କ ଲିଖିତ ‘ଶ୍ରୀଅରବିନ୍ଦ ଲାଇଫ୍ ଏଣ୍ଡ୍ ଟାଇମ୍ସ ଅଫ୍‌ ଦି ମହାଯୋଗୀ’ ପୁସ୍ତକ ମଧ୍ୟ ଇତିମଧ୍ୟରେ ପ୍ରକଶିତ ହୋଇସାରିଥିବାରୁ ଏହା ତାଙ୍କୁ ବିଶେଷ ଆନନ୍ଦ ଦେଇଛି ବୋଲି ଶ୍ରୀ ଦାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।