ଭୁବନେଶ୍ବର: ରେଳ ଚଳାଚଳକୁ ଅଧିକ ସୁରକ୍ଷିତ କରିବାକୁ ସାଙ୍କେତିକ ପ୍ରଣାଳୀର ଉନ୍ନତିକରଣ କରାଯାଉଛି। ରେଳ ସେକ୍ସନଗୁଡ଼ିକରେ କବଚ ଲଗାଯିବା ସହ ସଙ୍କେତିକ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ସାରା ଦେଶରେ କବଚ ବ୍ୟବସ୍ଥା ଲାଗୁ ହେବ। ସମସ୍ତ ୟୁନିଟ୍କୁ ଧୀରେ ଧୀରେ ମୋଟିଭ ପାୱାର ୟୁନିଟ୍ରେ ପରିଣତ କରାଯିବ। ଏଥିପାଇଁ ମୋଟ ୩୬ ହଜାର ରୁଟ୍ କିଲୋମିଟର(ଆରକିମି) କାର୍ଯ୍ୟ ପାଇଁ ମଞ୍ଜୁରି ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୩୦ ହଜାର ଆରକିମି ପାଇଁ ମଞ୍ଜୁରି ହୋଇଛି। ଇତିମଧ୍ୟରେ ୧,୫୪୮ ଆରକିମିରେ ଲାଗୁ ହୋଇଥିବା ବେଳେ ୩ ହଜାର ଆରକିମି କାମ ଚାଲିଛି। ୧୪,୭୩୫ ଆରକିମି ପାଇଁ ବିଡ୍ ଆମନ୍ତ୍ରଣ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୧୭ ହଜାର ଆରକିମି ଏବଂ ୨୦୨୬-୨୭, ୨୦୨୭-୨୮ ଆର୍ଥିକ ବର୍ଷରେ ୩୦ ହଜାର ଆରକିମି ବିଡ୍ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଟ୍ରାକ୍ ସାଇଡ୍ କବଚ କାର୍ଯ୍ୟ ପାଇଁ ଆମନ୍ତ୍ରିତ ହୋଇଥିବା ବିଡ୍ଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଚେନ୍ନାଇ ଓ ମୁମ୍ବାଇ-ଚେନ୍ନାଇ ରେଳ ମାର୍ଗର ୩୩୭୫ ଆରକିମି, ସ୍ୱୟଂଚାଳିତ ବ୍ଲକ ରେଳ ସେକ୍ସନ(ଏବିଏସ୍)ର ୫୭୧୫ ଆରକିମି ରହିଛି। ଅନ୍ୟାନ୍ୟ ସେକ୍ସନରେ ୫,୬୪୫ ଆରକିମିକୁ ମିଶାଇ ମୋଟ ୧୪,୭୩୫ ରୁଟ୍ କିମି ପାଇଁ ବିଡ୍ ଆମନ୍ତ୍ରଣ କରାଯାଇଛି। ନଭେମ୍ବରରେ ବାକି ରହିଥିବା ୧,୧୦୫ ଆରକିମି ପାଇଁ ବିଡ୍ ଖୋଲାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
୨୦୨୪-୨୫ରେ ୩୦ ହଜାର କିମି ମଞ୍ଜୁରି
ଅହମଦାବାଦ-ବରୋଦା ରେଳ ମାର୍ଗରେ ପରୀକ୍ଷା
କାକୋଦକର କମିଟି ସୁପାରିସ ଆଧାରରେ ୨୦୧୨ ଫେବ୍ରୁଆରିରେ ଡିଜିଟାଲ ରେଡିଓ ଆଧାରିତ ସିଗନାଲିଂ ଓ ସୁରକ୍ଷା ବ୍ୟବସ୍ଥା ଭାରତୀୟ ରେଳବାଇର ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଥିଲା। ଟିସିଏଏସ୍ ତଥା ‘କବଚ୍’କୁ ୨୦୧୪-୧୫ରେ ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ୨୫୦ କିମି ପାଇଲଟ୍ ପ୍ରକଳ୍ପ ଭାବେ ସ୍ଥାପନ କରାଯାଇଥିଲା। ୨୦୧୫-୧୬ରେ ଯାତ୍ରୀବାହୀ ଟ୍ରେନରେ ପ୍ରଥମେ ପରୀକ୍ଷା ହୋଇଥିଲା। ୨୦୧୭-୧୮ରେ କବଚ୍ ନିର୍ଦ୍ଦିଷ୍ଟକରଣ ସଂସ୍କରଣ ୩.୨ ଚୂଡ଼ାନ୍ତ ହେବା ସହ ୨୦୧୮-୧୯ରେ ଆଇଏସ୍ଏ ଦ୍ୱାରା ଏସ୍ଆଇଏଲ୍-୪ ପ୍ରମାଣପତ୍ର ଉପରେ ଆଧାର କରି ଆରଡିଏସ୍ଓ ଦ୍ୱାରା ତିନି ଭେଣ୍ଡରକୁ ଅନୁମୋଦିତ କରାଯାଇଥିଲା। ୨୦୨୦ ଜୁଲାଇରେ ‘କବଚ୍’କୁ ଏକ ଜାତୀୟ ଏଟିପି ସିଷ୍ଟମ୍ ଭାବେ ଘୋଷଣା କରାଯାଇ ୨୦୨୨ ମାର୍ଚ୍ଚ ସୁଦ୍ଧା ୧୨୦୦ ଆରକିମିରେ ସଂସ୍ଥାପିତ ହୋଇଥିଲା। ବିଭିନ୍ନ ସ୍ଥାନରେ ବ୍ୟବହାର ଓ ହିତାଧିକାରୀଙ୍କ ମତାମତ ଆଧାରରେ କବଚ୍ ନିର୍ଦ୍ଦିଷ୍ଟକରଣ ସଂସ୍କରଣ ୪.୦ର ବିକାଶ କରିବାକୁ ୨୦୨୨ରେ ପଦକ୍ଷେପ ନିଆଯାଇଥିଲା। କବଚ୍ ସଂସ୍କରଣ ୪.୦ ନିର୍ଦ୍ଦିଷ୍ଟକରଣ ଆରଡିଏସ୍ଓ ଦ୍ୱାରା ଚଳିତବର୍ଷ ଜୁଲାଇ ୧୬ରେ ଅନୁମୋଦିତ ହୋଇଛି। ୨୦୨୪ ସେପ୍ଟେମ୍ବରରେ କୋଟା ଓ ସୱାଇ ମାଧୋପୁର ମଧ୍ୟରେ ୧୦୮ ଆରକିମି ରେଳ ସେକ୍ସନ ମଧ୍ୟରେ କବଚ୍ ୪.୦ କାର୍ଯ୍ୟକ୍ଷମ ହୋଇଛି। ଅହମଦାବାଦ-ବରୋଦା ମଧ୍ୟରେ ୮୪ କିମି ଦୈର୍ଘ୍ୟ ରେଳ ମାର୍ଗରେ ପରୀକ୍ଷା ଆରମ୍ଭ ହୋଇଛି। ମିଶ୍ରିତ ଟ୍ରାଫିକ୍ ଆହ୍ୱାନ, ସ୍ପିଡ୍ ପରୀକ୍ଷଣ, ଲୋକୋ, କୋଚିଂ ଓ ୱାଗନ୍ ଷ୍ଟକ୍ର ଚ୍ୟାଲେଞ୍ଜ/ଆହ୍ୱାନଗୁଡ଼ିକୁ ଏହା ପୂରଣ କରିବ ବୋଲି ଭାରତୀୟ ରେଳପଥ ପକ୍ଷରୁ କୁହାଯାଇଛି।