ଆଇଆଇଆଇଟିରେ ଶିକ୍ଷା, ଗବେଷଣାର ଗୁଣାତ୍ମକ ମାନ ବଢ଼ାଅ

ଜାତୀୟ ସ୍ତରରେ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଛି
ଡିଜିଟାଲ୍‌ ମୋଡ୍‌ରେ ହେଲା ନିର୍ଦ୍ଦେଶନାମଣ୍ଡଳୀ ବୈଠକ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ଆନ୍ତର୍ଜାତିକ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ(ଆଇଆଇଆଇଟି) ଜାତୀୟ ସ୍ତରରେ ଏକ ପ୍ରମୁଖ ଅନୁଷ୍ଠାନ ଭାବେ ଉଭା ହୋଇଛି। ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଛାତ୍ରମାନଙ୍କ ଗୁଣବତ୍ତା, ଶିକ୍ଷା ପରିବେଶ, ଉତ୍ତମ ମାନର ଶିକ୍ଷକ ମଣ୍ଡଳୀ ଓ ଡିଗ୍ରିଧାରୀମାନଙ୍କୁ ବୃତ୍ତିରେ ନିୟୋଜନ ଆଦି କ୍ଷେତ୍ରରେ ନିଜ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ପରିଚୟ ସୃଷ୍ଟି କରିପାରିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଶିକ୍ଷାଦାନ, ଗବେଷଣା, ନୂଆ ଆବିଷ୍କାର ଆଦିର ଗୁଣାତ୍ମକ ମାନ ବଢ଼ାଇ ବିକଶିତ ଅନୁଷ୍ଠାନଗୁଡ଼ିକର ସମକକ୍ଷ ହେବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠାନର ନିର୍ଦ୍ଦେଶନା ମଣ୍ଡଳୀ ବୈଠକ ଆଜି ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥ‌ିରେ ଦେଶର ବିଭିନ୍ନ ସ୍ଥାନରୁ ସ୍ବାଧୀନ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଇତି ମଧ୍ୟରେ ଟ୍ରିପଲ୍‌ ଆଇଟି ଭୁବନେଶ୍ବର ନିଜର ଭିତ୍ତିଭୂମି ଦୃଢ଼ କରିସାରିଛି। ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବର୍ତ୍ତମାନ ସମୟ ଆସିଛି ଯେତେବେଳେ କି ଆମେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ସମକକ୍ଷ ହୋଇପାରିବା। ଏଥି ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।

ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଗୋପାଳ ନାୟକ ସୂଚନା ଦେଇଥିଲେ ଯେ ଚଳିତ ଶିକ୍ଷା ବର୍ଷ ପାଇଁ ଅନୁଷ୍ଠାନର ଶତ ପ୍ରତିଶତ ସିଟ୍‌ ପୂରଣ ହୋଇଛି। ଓଡ଼ିଶାର ଛାତ୍ରମାନଙ୍କ ସହ ଜୋସା ଓ ସିସାଟ୍‌ ପରି ଜାତୀୟ ସ୍ତରୀୟ କାଉନ୍‌ସେଲିଂରୁ ବିଭିନ୍ନ ରାଜ୍ୟ ଓ ବିଦେଶର ଛାତ୍ରଛାତ୍ରୀମାନେ ଅନୁଷ୍ଠାନରେ ନାମ ଲେଖାଇଛନ୍ତି। ପ୍ରତିଷ୍ଠାନର ରେଜିଷ୍ଟ୍ରାର୍‌ ପ୍ରଫେସର ଅଜିତ ଦାସ କହିଥିଲେ ଯେ ଟ୍ରିପଲ୍‌ ଆଇଟି ଛାତ୍ରଙ୍କ ଏକ ଟିମ୍‌ ଆନ୍ତର୍ଜାତିକ ‘ଡିଜିଟାଲ୍‌ ମାର୍କେଟିଂ ପ୍ରତିଯୋଗିତା-୨୦୨୦’ରେ ଟପ୍‌-୨୦ ମଧ୍ୟରେ ଏକାଦଶ ସ୍ଥାନ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ଯୁକ୍ତରାଷ୍ଟ୍ର ଆମେରିକାର ପୁର୍‌ଡୁଏ ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ସେହିପରି ଅନ୍ୟ ଏକ ଟିମ୍‌ ଜାତୀୟ ସ୍ତରରେ ‘ମିଟ୍‌ କୋଭିଡ୍‌-୧୯ ଚ୍ୟାଲେଞ୍ଜ୍‌ : ଇଣ୍ଡିଆ ଟର୍ଣ୍ଣିଂ ଦି ଟାଇଡ୍‌’ ପୁରସ୍କାର ଲାଭ କରିଛି। ୨୦୧୯-୨୦ ଶିକ୍ଷା ବର୍ଷରେ ମଧ୍ୟ ଅନୁଷ୍ଠାନର ଛାତ୍ରମାନେ ‘ଗୁଗୁଲ୍‌ ଅନ୍‌ଲାଇନ୍ ମାର୍କେଟିଂ ଚ୍ୟାଲେଞ୍ଜ୍‌’ ପୁରସ୍କାର ଜିତିଥିଲେ।

ବୈଠକରୁ ଜଣାପଡ଼ିଥିଲା ଯେ ବିଗତ ୫ ବର୍ଷ ମଧ୍ୟରେ ଅନୁଷ୍ଠାନ ନିଜର ଡିଗ୍ରିଧାରୀ ଛାତ୍ରଛାତ୍ରୀଙ୍କ କ୍ୟାମ୍ପସ୍‌ ଚୟନ ମାଧ୍ୟମରେ ନିଯୁକ୍ତି କ୍ଷେତ୍ରରେ ୯୫ ପ୍ରତିଶତ ସଫଳତା ହାସଲ କରିଛି। ଚଳିତ ଶିକ୍ଷା ବର୍ଷରେ କୋଭିଡ୍‌ ମହାମାରୀର କୁପ୍ରଭାବକୁ ପ୍ରତିହତ କରି ବର୍ତ୍ତମାନ ପର୍ଯ୍ୟନ୍ତ ୭୭ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଚଳିତ ବର୍ଷ ପ୍ରାୟ ୩୯ଟି ଜାତୀୟ ଓ ଆନ୍ତର୍ଜାତିକ କମ୍ପାନି କ୍ୟାମ୍ପସ୍‌ ଚୟନ ନିମନ୍ତେ ଆସିଛନ୍ତି।

କୋଭିଡ୍‌ ମହାମାରୀର କୁପ୍ରଭାବକୁ ବିଚାର କରି ନିର୍ଦ୍ଦେଶନାମଣ୍ଡଳୀ ଚଳିତ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କର ହଷ୍ଟେଲ୍‌ ଫି’କୁ ସେମିଷ୍ଟର୍‌ ପିଛା ୩ ହଜାର ଟଙ୍କାକୁ କମାଇ ଦେଇଥିଲେ। ଅଣଶିକ୍ଷକ କର୍ମଚାରୀଙ୍କର ଅଭିଯୋଗଗୁଡ଼ିକର ଉପଯୁକ୍ତ ବିଚାର ନିମନ୍ତେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। ଗୋଠପାଟଣାରେ ଅଧିକ ୪ ଏକର ଜମି ଟ୍ରିପଲ୍‌ ଆଇଟିକୁ ଦେବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ଜମିରେ ହଷ୍ଟେଲ୍‌, ଶିକ୍ଷକଙ୍କ ପାଇଁ କ୍ବାର୍ଟର୍ସ, ପ୍ରେକ୍ଷାଳୟ ଓ ଖେଳ ପଡ଼ିଆ ନିର୍ମାଣ ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ଭିତ୍ତିଭୂମି ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ ଅନୁଦାନ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ବୈଠକରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ଟ୍ରିପଲ୍‌ ଆଇଟି ହାଇଦ୍ରାବାଦର ନିର୍ଦ୍ଦେଶକ ପ୍ରଫେସର ପି ଜେ ନାରାୟଣନ୍‌, ଏସ୍‌ଟିପିଆଇ ମହାନି‌େର୍ଦ୍ଦଶକ ଓମ୍‌କାର ରାଏ, ପ୍ରଫେସର ଆର୍‌ ସି ବଳବନ୍ତରାଏ, ଟ୍ରିପଲ୍‌ ଆଇଟି ବେଙ୍ଗାଲୁରୁର ପ୍ରଫେସର ଦେବବ୍ରତ ଦାସଙ୍କ ସମେତ ନିର୍ଦ୍ଦେଶକମାନେ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର