ଭୁବନେଶ୍ୱର: ଦୟାନଦୀକୁ ପ୍ରଦୂଷଣମୁକ୍ତ କରାଯିବ। ଏହା ଭିତରକୁ ଗଙ୍ଗୁଆ ଦେଇ ଯାଉଥିବା ସହରର ଆବର୍ଜନା ଜଳ ବିଶୋଧନ କରାଯିବ। ଦୟାନଦୀ ଓ ଗଙ୍ଗୁଆ ମିଶ୍ରଣ ସ୍ଥାନରେ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଆଜି ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହି ବ୍ୟବସ୍ଥାର ସମୀକ୍ଷା କଲାବେଳେ ଗଙ୍ଗୁଆ ଓ ଦୟାନଦୀକୁ କିଭଳି ପ୍ରଦୂଷଣମୁକ୍ତ ରଖାଯିବ, ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଗକୁ ଯେଭଳି ଏହା ପ୍ରଦୂଷଣ ନ ହେବ କଡ଼ା ନଜର ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ୱାଟ୍କୋ ଓ ବିଏମ୍ସିକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଦୟା ନଦୀଜଳକୁ ପ୍ରଦୂଷଣ ମୁକ୍ତ ରଖିବା ନେଇ ଆଜି ଶ୍ରୀ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଏମ୍ସି ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍ ସହିତ ସଂଯୋଗ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଶତ ପ୍ରତିଶତ ଅନୁଷ୍ଠାନ, ଘର ଓ ବସ୍ତି ଯେଭଳି ସ୍ବେରେଜ୍ ସହ ସଂଯୁକ୍ତ ହେବେ, ସେ ନେଇ ବିଏମ୍ସି ସଚେତନତା ସୃଷ୍ଟି କରିବା ସହ ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ୱାଟ୍କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି କାମ କଲେ ଜନସାଧାରଣଙ୍କ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତା’ ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାମ ଶେଷହେବ, ଏସବୁକୁ ନିଶ୍ଚିତ କରିବା ପାଇଁ ସେ ୱାଟ୍କୋକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଙ୍ଗୁଆରୁ ଯାଉଥିବା ଜଳ ବିଶୋଧନ ହୋଇ ଦୟାନଦୀକୁ ଯିବା ପାଇଁ ଗଙ୍ଗୁଆ ମୁହାଣରେ ୱାଟ୍କୋ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନଗାର ପ୍ରତିଷ୍ଠା କରିବ। ଗୋଟିଏ ବୁନ୍ଦା ଅଣବିଶୋଧିତ ଜଳ ଯେଭଳି ଦୟାକୁ ଯିବ ନାହିଁ, ତାହା ୱାଟ୍କୋ ନିଶ୍ଚିତ କରିବାକୁ କୁହାଯାଇଛି। ସହରରେ ରହିଥିବା ଶହଶହ ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟଜଳ କିପରି ଉପଯୁକ୍ତ ବିଶୋଧନ କରାଯାଇ ପାରିବ, ସେଥିପାଇଁ ଇଡ୍କୋ, ଏସ୍ପିସିବି(ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ) ଓ ବିଏମ୍ସି ମିଳିତ ଭାବେ ନିୟମିତ ଯାଞ୍ଚ କରିବେ। ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ୱାଟ୍କୋ ଓ ଏସ୍ପିସିବି ନିୟମିତ ବୈଷୟିକ ଯାଞ୍ଚ ହେବ। ଅଧିକ ବର୍ଜ୍ୟବସ୍ତୁ ସୃଷ୍ଟି କରୁଥିବା ବା ସିଧା ସଳଖ ଅଣବିଶୋଧିତ ବର୍ଜ୍ୟଜଳ ଛାଡ଼ୁଥିବା ଶିଳ୍ପ ଓ ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ବିଏମ୍ସି ନଜର ରଖିବ। ଏହାର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଏମ୍ସିକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ଉପାଧ୍ୟକ୍ଷ ବଲ୍ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଦୟା ଟାସ୍କ ଫୋର୍ସ ଗଠନ ହୋଇଛି। ଦୟାନଦୀ ପାଣି ବିଶୁଦ୍ଧ ରଖିବା ପାଇଁ ଏଥିରେ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି। ଆଜି ପର୍ଯ୍ୟନ୍ତ କଣ କଣ ପଦକ୍ଷେପ ନିଆଯାଇଛି ତାହାକୁ ବୈଠକରେ ଶ୍ରୀ ସିଂହ ଉପସ୍ଥାପନ କରିଥିଲେ।