ଝାରସୁଗୁଡ଼ା: ବେଦାନ୍ତ ଆଲୁମିନା ଦ୍ବାରା ରାଜ୍ୟ ସରକାରଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ରୟାଲ୍‌ଟି ଠକେଇ ଘଟଣା ସାମ୍ନାକୁ ଆସିଛି। ବେଦାନ୍ତ ଆରମ୍ଭ ହେବା ଦିନଠାରୁ ଅଦ୍ୟାବଧି ପ୍ରାୟ ୧୮ ବର୍ଷ ହେଲା କମ୍ପାନି ସରକାରଙ୍କୁ ନିର୍ମାଣ ବାବଦ ଟଙ୍କାଟିଏ ବି ରୟାଲ୍‌ଟି ପୈଠ କରିନାହିଁ। କେବଳ ସେତିକି ନୁହେଁ ବାରମ୍ବାର ଚିଠି ସତ୍ତ୍ବେ ବି କେଉଁ କେଉଁ କନଷ୍ଟ୍ରକସନରେ ଲଘୁ ଖଣିଜ ବ୍ୟବହାର କରାଯାଇଛି ସେ ନେଇ ଜିଲ୍ଲା ପ୍ରଶାସନକୁ କୌଣସି ତଥ୍ୟ ପ୍ରଦାନ କରୁନଥିବା ଖୋଦ୍‌ ଜିଲ୍ଲା ପ୍ରଶାସନର ଚିଠିରୁ ସ୍ପ‌ଷ୍ଟ ହୋଇଛି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବର ଅମାତଙ୍କୁ ପଚାରିବାରେ, ବେଦାନ୍ତ କେତେ ଟଙ୍କାର ରୟାଲ୍‌ଟି ଠକେଇ କରିଛି ତାର ଆସେସ୍‌ମେଣ୍ଟ ପାଇଁ ଗତ ୨୨ ତାରିଖରେ ଏକ କମିଟି ଗଠନ କରାଯାଇଥିବା କହିଛନ୍ତି। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଝାରସୁଗୁଡ଼ା ତହସିଲଦାର, ମାଇନିଂ ଅଫିସର, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆର୍‌ଓ ରହିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅମାତ ସୂଚନା ଦେଇଛନ୍ତି। ଏହି ତଦନ୍ତକାରୀ କମିଟି ଆସେସମେଣ୍ଟ୍‌ କରିସାରିବା ପରେ ବେଦାନ୍ତ ପୈଠ କରିନଥିବା ରୟାଲ୍‌ଟି ବାବଦକୁ ନୋଟିସ୍‌ ଜାରି ହେବ ବୋଲି ସେ କହଛନ୍ତି।

Advertisment

ସୂଚନାନୁସାରେ, ବେଦାନ୍ତ ଆରମ୍ଭ ଦିନଠାରୁ ରାଜ୍ୟ ସରକାରଙ୍କୁ ଟଙ୍କାଟିଏ ବି ରୟାଲ୍‌ଟି ଦେଇନାହିଁ। ଗତ ଅଗଷ୍ଟ ୩୧ ତାରିଖରେ ଝାରସୁଗୁଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ବେଦାନ୍ତ ସିଇଓଙ୍କୁ ଜାରି ହୋଇଥିବା ଚିଠି ସଂଖ୍ୟା ୪୨୧୦ ଅନୁସାରେ ବେଦାନ୍ତକୁ ଏହାର ନିର୍ମାଣରେ ବ୍ୟବହାର ହୋଇଥିବା ଲଘୁ ଖଣିଜ ସମ୍ପର୍କରେ ବାରମ୍ବାର ସୂଚନା ମଗାଯାଉଥିଲେ ହେଁ କମ୍ପାନି ତାହା ଦେଉନଥିବା ଜଣାପଡ଼ିଛି। ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଝାରସୁଗୁଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ବେଦାନ୍ତ ସିଇଓଙ୍କୁ ଲେଖାଯାଇଥିବା ଚିଠି ଅନୁସାରେ, ବେଦାନ୍ତକୁ ମିଳିଥିବା ଲିଜ୍‌ ଜମିରେ ଲଘୁ ଖଣିଜ ଦ୍ରବ୍ୟ ଖନନର କୌଣସି ଅଧିକାର କମ୍ପାନି ପାଖରେ ନାହିଁ। ମାତ୍ର ସେତେବେଳକୁ ବେଦାନ୍ତ ୫ଟି ପାଉଁଶ ପୋଖରି ତିଆରି କରିସାରିଥିବା ବେଳେ ଆଉ ଏକ ‌ପାଉଁଶ ପୋଖରି ନିର୍ମାଣାଧୀନ ରହିଥିଲା। ଯେଉଁଥିରେ ମାଟି ଖୋଳାଯିବା ସାଙ୍ଗକୁ ପଥର, ଗେଟି, ମାଟି, ବାଲି ଭଳି ଲଘୁ ଖଣିଜର ବ୍ୟବହାର ହୋଇଛି। ତେଣୁ ୭ ଦିନ ମଧ୍ୟରେ ଏ ସମସ୍ତ ରୟାଲ୍‌ଟି ବାବଦକୁ ଓଏମ୍‌ଏମ୍‌ସି ଆଇନ୍‌ ଅନୁସାରେ ଟଙ୍କା ପୈଠ ନକଲେ ବେଦାନ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଳେଖ ରହିଥିଲା। କିନ୍ତୁ ଅଦ୍ୟାବଧି ବେଦାନ୍ତ ଉକ୍ତ ଟଙ୍କା ପୈଠ କରିନାହିଁ କି ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଚଳିତ ବର୍ଷ ମଧ୍ୟ ଝାରସୁଗୁଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୂପ ୩ଟି ଚିଠି କରାଯାଇଥିଲେ ହେଁ ବେଦାନ୍ତ ଏହାକୁ ଭ୍ରୂକ୍ଷେପ କରୁନଥିବା ଅଭିଯୋଗ ହୋଇଛି।

ନିୟମାନୁସାରେ, ବେଦାନ୍ତ ଲିଜ୍‌ ଜମିରେ ଯାହା ବି ଖନନ, ନିର୍ମାଣ କରିଛି ସେ ବାବଦକୁ ସେ ସରକାରଙ୍କୁ ରୟାଲଟି ପ୍ରଦାନ କରିବା କଥା। ଅର୍ଥାତ୍‌ ବେଦାନ୍ତର କାତିକେଲା, ଶିରିଆପାଲି ଭଳି ୬ଟି ପାଉଁଶ ପୋଖରି, ପ୍ରାୟ ୫୦ଟି ଲୋ ଲ୍ୟାଣ୍ଡ ଫିଲିଂ ନାଁରେ ଗଢ଼ି ଉଠିଥିବା ପାଉଁଶ ପାହାଡ଼, ୨ଟି ସ୍ମେଲଟର ପ୍ଲାଣ୍ଟ, ୨୮୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନକାରୀ ଶକ୍ତିକେନ୍ଦ୍ର, ଟାଉନ୍‌ସିପ୍‌ ଓ ଅନ୍ୟାନ୍ୟ ନିର୍ମାଣରେ ବ୍ୟବହାର ସମସ୍ତ ଲଘୁ ଖଣିଜ ବାବଦକୁ ବେଦାନ୍ତକୁ ଏହି ରୟାଲ୍‌ଟି ପୈଠ କରିବାକୁ ହେବ। କେବଳ ଓପିଜିସିକୁ ଉଦାହରଣକୁ ନେଲେ ସେ ଗତ ୬ ବର୍ଷରେ ରାଜ୍ୟ ସରକାରଙ୍କୁ ୫ ଶହ କୋଟି ଟଙ୍କା ରୟ‌ାଲ୍‌ଟି ପୈଠ କରିଛି। ଓପିଜିସି ତୁଳନାରେ ବେଦାନ୍ତର କନ୍‌ଷ୍ଟ୍ରକ୍‌ସନ ଓ ପ୍ଲାଣ୍ଟ ପ୍ରାୟ ୨ ଗୁଣା ବଡ଼ ହୋଇଥିବା ବେଳେ ଏହି ୬ ବର୍ଷରେ ବେଦାନ୍ତ ହାରାହାରି ୧ ହଜାର କୋଟି ଟଙ୍କା ପୈଠ କରିବା କଥା। ଯେହେତୁ ବେଦାନ୍ତ ୨୦୦୬ ମସିହାରୁ ଏଯାଏ କୌଣସି ରୟାଲ୍‌ଟି ଦେଇନାହିଁ, ଏହି ୧୮ ବର୍ଷରେ ହାରାହାରି ୩ ହଜାର କୋଟି ଟଙ୍କା ରୟାଲ୍‌ଟି ହେବ ବୋଲି ଆସେସ୍‌ମେଣ୍ଟ କମିଟିର ସଦସ୍ୟ ଏସ୍‌.ଏନ୍‌. ରାଓ ଦାବି କରିଛନ୍ତି।