୨ ମାସରେ ୬୫,୫୨୯ କେଜି ମହୁଲ ପୋଚ ଜବତ, ଆନୁମାନିକ ମୂଲ୍ୟ ୩୨.୩୬ ଲକ୍ଷ ଟଙ୍କା

ମହୁଲ ବେପାରୀଙ୍କ ଉପରେ ଅଙ୍କୁଶ କେବେ? 

ରାଉରକେଲା: ଜିଲ୍ଲାରେ ଅନୈତିକ ମଦ ବେପାର ଯେ ସୀମା ଟପିଲାଣି, ଏହା ଆଉ କାହାକୁ ଅଛପା ନାହିଁ। ନିୟମିତ ବ୍ୟବଧାନରେ ଦେଶୀ ମଦ, ନକଲି ବିଦେଶୀ ମଦ ଜବତ ହେଉଛି। କିନ୍ତୁ, ମଦ ଚୋରାଚାଲାଣ ଥମିବାର ନାଁ ନେଉନି। ତେବେ ସବୁଠାରୁ ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ଦେଶୀ ମଦ ତିଆରିରେ ବ୍ୟବହୃତ ମହୁଲ ଫୁଲ ଯୋଗାଉଥିବା ବେପାରୀଙ୍କ ଉପରେ ଅଙ୍କୁଶ ଲାଗିପାରୁନି। ଗତ ଦୁଇ ମାସରେ, କେବଳ ରାଉରକେଲା ଅବକାରୀ ନିରୀକ୍ଷକଙ୍କ ଅନ୍ତର୍ଗତ ଅଞ୍ଚଳରୁ ୬୫ ହଜାର ୫୨୯ କେଜି ମହୁଲ ଫୁଲ ଜବତ ହୋଇଛି।

ରାଉରକେଲା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଗତ ଦିନରେ ଧରାପଡ଼ିଥିବା ମହୁଲ ପୋଚର ପରିମାଣ, ନିଶ୍ଚିତଭାବେ ଚିନ୍ତାଜନକ। ସେପ୍ଟେମ୍ବର ମାସରେ ଏ ଅଞ୍ଚଳରୁ ୩୯ ହଜାର ୩୭୦ କେଜି ମହୁଲପୋଚ ଧରାପଡ଼ିଥିବାବେଳେ ଗତ ଅଗଷ୍ଟ ମାସରେ ୨୬ ହଜାର ୧୫୦ କେଜି ଜବତ ହୋଇଥିଲା। ଉଲ୍ଳେଖଯୋଗ୍ୟ, ସରକାରୀ ଦର ଅନୁସାରେ, ମହୁଲ ଫୁଲର ଦାମ୍‌ କେଜି ପ୍ରତି ୪୦ ଟଙ୍କା ଥିବାବେଳେ ମହୁଲ ପୋଚ କେଜି ପ୍ରତି ୫୦ ଟଙ୍କା। ଅର୍ଥାତ୍‌ ଗତ ଦୁଇ ମାସରେ ଜବତ ହୋଇଥିବା ମହୁଲ ପୋଚର ଦର ପାଖାପାଖି ୩୨ ଲକ୍ଷ ୭୬ ହଜାର ୪୫୦ ଟଙ୍କା ହେବ।

ରାଉରକେଲା ସମେତ ବୀରମିତ୍ରପୁର, ହାତିବାରୀ, ବିଶ୍ରା, ଲାଠିକଟା, ବନ୍ଧମୁଣ୍ଡା ଥାନା ଅଞ୍ଚଳ, ଯଥା-କାରିଛାପଲ, ଅଙ୍କୁରପଲ୍ଲୀ, ଦଲପୋଷ, ମନକୋ, କେମାଙ୍ଗ, ରେଲାପୋଷ, ଦହିଟୋଲା, କୋ,ଲସୂତା, କେର୍କେଟା, ଜିଆବାହାଲ, ଲୋକବରକାନୀ, ଜାମସେରା ଆଦି ଅଞ୍ଚଳରୁ ମହୁଲ ପୋଚ ଜବତ ହୋଇଥିଲା। ଏସବୁ ଅଞ୍ଚଳରେ ମଦ ମାଫିଆମାନେ ସିଧାସଳଖ ମଦ କିଣୁଥିବାବେଳେ କେତେକ ଅଞ୍ଚଳରେ ତିଆରି କରିବାକୁ କର୍ମଚାରୀ ନିୟୋଜିତକରି ସେମାନଙ୍କୁ ବେତନ ଦିଆଯାଉଛି। ମହୁଲ ଫୁଲ ବେପାରୀ ଏମାନଙ୍କୁ ମହୁଲଫୁଲ ଯୋଗାଉଛନ୍ତି। ମଦ ତିଆରି କରୁଥିବା ସ୍ଥାନରେ ଚଢ଼ଉ କରାଯାଉଛି ସତ; କିନ୍ତୁ ମହୁଲ ଫୁଲ ଯୋଗାଉଥିବା ବେପାରିଙ୍କ ପାଖରେ ପହଞ୍ଚିପାରୁନି ଅବକାରୀ ବିଭାଗ।

ମହୁଲ ଫୁଲ ବେପାରିଙ୍କ ଉପରେ ଅତର୍କିତ ଯାଞ୍ଚ କରାଯାଉନି, ଯଦ୍ବାରା କାରବାର ବୃଦ୍ଧି ପାଉଛି ସିନା କମିବାର ନାଁ ନେଉନି। ଗତ ଦୁଇ ମାସରେ କେବଳ ଥରୁଟିଏ ଜଣେ ମହୁଲ ଫୁଲ ଚାଲାଣ କରୁଥିବା ପିକ୍‌ଅପ୍‌ ଚାଳକଙ୍କୁ କାବୁ କରିବାରେ ବିଭାଗ ସଫଳ ହୋଇଥିଲା। ଗତ ଅଗଷ୍ଟ ୭ ତାରିଖରେ କଲୁଙ୍ଗାକୁ ମହୁଲ ଫୁଲ ଚୋରାଚାଲାଣ କରୁଥିବାବେଳେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହିର ଗାଡ଼ି ଚାଳକ ଲକ୍ଷ୍ମୀକାନ୍ତ ମହାକୁଲ(୩୨)ଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ପାଖରୁ ପ୍ରାୟ ୨୦ କ୍ବିଣ୍ଟାଲ ମହୁଲ ଫୁଲ ଜବତ ହୋଇଥିଲା। ଉକ୍ତ ଘଟଣାରେ ଯଦିଓ ଚାଳକ ଗିରଫ ହୋଇଥିଲା, ତେବେ ମହୁଲ ଫୁଲ ବେପାରୀ, ତା’ର ସହଯୋଗୀ ପାଖରେ ତଦନ୍ତ ପହଞ୍ଚିପାରିନଥିଲା। ଦେଶୀ ମଦ ରନ୍ଧାଶାଳ ସମେତ ମହୁଲ ଫୁଲ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ମତ ପାଇଛି।

ସମ୍ବନ୍ଧିତ ଖବର