ଅନୁଗୁଳ: ଇବ୍‌ ଥର୍ମାଲ୍‌ରେ ଓପିଜିସି ପାଉଁଶ ପୋଖରୀ ଆଜି ଭୁଶୁଡ଼ିବା ପରେ ଅନୁଗୁଳରେ ଘଟିଥିବା ୨୩ ବର୍ଷ ତଳର ଭୟଙ୍କର ଦୁର୍ଘଟଣାକୁ ତାଜା କରାଇ ଦେଇଛି। ୨୦୨୦ ଡିସେମ୍ବର ୩୧ରେ ନାଲ୍‌କୋର ଥିବ‌ା ଆସ୍‌ପଣ୍ଡ ଭାଙ୍ଗି ଯାଇଥିଲା। ସେତେବେଳେ ପାଖରେ ଥିବା ନନ୍ଦିରା ନାଳରେ ପାଖାପାଖି ୩୦ ଫୁଟ ଉଚ୍ଚରେ ପାଉଁଶ ପାଣି ମାଡ଼ି ଯାଇଥିଲା। ଏହି ପାଉଁଶ ପାଣି ତଳିଆ ଅଞ୍ଚଳରେ ୨୦ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା। ଦୀଘ, ଗୁରୁଜାଙ୍ଗୁଲି, ଖୁଲୁଆ, କନ୍ତପଡ଼ା, କେନ୍ଦୁପଲି, ବଳରାମପ୍ରସାଦ, କୁକୁଡାଙ୍ଗ, ପଡ଼ିଆଭଙ୍ଗା, ଥର୍ମାଲରେ ପାଉଁଶ ପାଣି ପଶିଥିଲାବେଳେ ଘରଦ୍ବାରରୁ ଆରମ୍ଭ କରି ଜମିବାଡ଼ି ସବୁଠି ପାଉଁଶ ଚରି ଯାଇଥିଲା। ବହୁ ଗାଈ, ଛେଳି ଆଦି ଗୃହପାଳିତ ପଶୁପକ୍ଷୀ ଭାସି ଯାଇଥିଲେ।

Advertisment

ନିକଟବର୍ତ୍ତୀ ଗାଁ’ଗୁଡ଼ିକରେ ଘର, କୂଅ, ଚାଷଜମି, ଜଳାଶୟ ସବୁଥିରେ ମୋଟା ବହଳର ତରଳ ପାଉଁଶ ଆସ୍ତରଣ ଜମି ଯାଇଥିଲା। କୌଣସି ଲୋକଙ୍କ ଜୀବନ ଯାଇ ନଥିଲେ ମଧ୍ୟ ପାଖାପାଖି ଲକ୍ଷେ ଲୋକ ପ୍ରଭ‌ାବିତ ହୋଇଥିଲେ। ପାଉଁଶ ପାଣି ଯାଇ ବ୍ରାହ୍ମଣୀ ନଦୀରେ ମିଶିଥିଲା। ପାଉଁଶ ମାଡ଼ିଥିବା ଜମିରେ ବର୍ଷେ ପର୍ଯ୍ୟନ୍ତ ଦୁବ ବି କଅଁଳି ନଥିଲା। ଗାଁରେ ଲୋକମାନେ ସ୍ବାଭାବିକ ଭାବେ ରହି ପାରି ନଥିଲେ। ଏହାକୁ ନେଇ ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ନାଲ୍‌କୋ କର୍ତ୍ତୃପକ୍ଷ କ୍ଷତିପୂରଣ ପ୍ରଦାନ ଓ କ୍ଷତିଗ୍ରସ୍ତଙ୍କୁ ଚାକିରି ଦେଇ ଏହାକୁ ଚାପିବାକୁ ସଫଳ ହୋଇଥିଲେ।