୩ ବର୍ଷରେ ୯୪୯୦.୦୩ ଏକର ଫସଲ ନଷ୍ଟ, ଭାଙ୍ଗିଛି ୯୫୬ ଘର
କେନ୍ଦୁଝର ଜିଲ୍ଲାରେ ହାତୀ – ମଣିଷ ଲଢ଼େଇ
କେନ୍ଦୁଝର: ଜଙ୍ଗଲ ନଷ୍ଟ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଫଳରେ ବିଭିନ୍ନ ସମୟରେ ମଣିଷ ଓ ପଶୁ ମୁହାଁମୁହିଁ ହେଉଛନ୍ତି। ତିନିବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୫୬ଟି ଘର ଭାଙ୍ଗିଛନ୍ତି ବନ୍ୟଜନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ। ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଲୋକଙ୍କ ଧନଜୀବନ ରକ୍ଷା କରିବା ପାଇଁ ବନ ବିଭାଗ କାମ କରୁଛି। ତଥାପି ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଧନଜୀବନ ହାନି ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଜଙ୍ଗଲରେ ଖାଦ୍ୟ ଅଭାବ ଏବଂ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ବିଶେଷ କରି ହାତୀପଲ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ରିପୋର୍ଟ ଅନୁସାରେ, ୩ ବର୍ଷରେ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ୨୮ଜଣଙ୍କ ଜୀବନ ଯାଇଥିବା ବେଳେ ୧୪୭ଜଣ ଗୁରୁତର ହୋଇଛନ୍ତି। ସେହିପରି ୩ ବର୍ଷରେ ବନ୍ୟଜନ୍ତୁମାନେ ୬୫୯ଟି ଘର ଭାଙ୍ଗିଛନ୍ତି। ୯୭୯୦.୦୩ ଏକର ଫସଲ ନଷ୍ଟ କରିଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ୪ କୋଟି ୪ଲକ୍ଷ ୫ ହଜାର ୮୧୨ ଟଙ୍କା କ୍ଷତିପୂରଣ ଦିଆଯାଇଛି।
୨୦୧୯-୨୦ରେ ବନ୍ୟପ୍ରାଣୀ ଆକ୍ରମଣରେ ୯ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦୨୦-୨୧ରେ ୬ଜଣ ଏବଂ ୨୦୨୧-୨୨ରେ ୧୩ଜଣ ଲୋକ ପ୍ରାଣ ହରାଇଛନ୍ତି। ସରକାରୀ ନିୟମ ଅନୁସାରେ, ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା କ୍ଷତିପୂରଣ ହିସାବରେ ତିନିବର୍ଷରେ ୧ କୋଟି ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୧୪୭ଜଣ ଲୋକ ବନ୍ୟପ୍ରାଣୀ ଆକ୍ରମଣରେ ଆହତ ହୋଇଛନ୍ତି। ୨୦୧୯-୨୦ରେ ୩୮ଜଣ, ୨୦୨୦-୨୧ରେ ୫୪ ଏବଂ ୨୦୨୧-୨୨ରେ ୫୫ଜଣ ଲୋକ ଆହତ ହୋଇଛନ୍ତି। ଏଥିପାଇଁ କେନ୍ଦୁଝର ବନଖଣ୍ଡ ପକ୍ଷରୁ ୧୬ ଲକ୍ଷ ୮୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି। ତିନିବର୍ଷ ମଧ୍ୟରେ ବନ୍ୟଜନ୍ତୁ ୬୫୯ଟି ଘର ଭାଙ୍ଗିଛନ୍ତି। ଏ ବାବଦରେ ଲୋକଙ୍କୁ ୨୦୧୯-୨୦ରେ ୨୧ ଲକ୍ଷ ୧୬ ହଜାର, ୨୦୨୦-୨୧ରେ ୬ ଲକ୍ଷ ୬ ହଜାର ଏବଂ ୨୦୨୧-୨୨ରେ ୬ ଲକ୍ଷ ୬୬ ହଜାର ଟଙ୍କା ଦିଆଯାଇଛି।
ଅନ୍ୟପକ୍ଷରେ ତିନିବର୍ଷ ମଧ୍ୟରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି। ୨୦୨୧-୨୨ରେ ୮୦୪୩.୮୩ ଏକର ଫସଲ ନଷ୍ଟ ହୋଇଥିବା ବନ ବିଭାଗ ଆକଳନ କରିଥିଲା। ୨୦୧୯-୨୦ ରେ ୯୦୪.୭୧ ଏକର ଫସଲ ନଷ୍ଟ ହୋଇଥିବା ବେଳେ ୯୧ ଲକ୍ଷ ୧୧ ହଜାର ୫୪୦ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସେହିପରି ୨୦୨୦-୨୧ ବର୍ଷରେ ୮୩୬.୪୯ ଏକର ଫସଲ ନଷ୍ଟ ହୋଇଥିଲା। ଏ ବାବଦରେ କ୍ଷତିଗ୍ରସ୍ତ ଲୋକଙ୍କୁ ୮୫ ଲକ୍ଷ ୪୧ ହଜାର ୬୧୬ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ତିନିବର୍ଷରେ ମୋଟ ୯୭୯୦.୦୩ ଏକର ଫସଲ ନଷ୍ଟ ହୋଇଥିବା ବେଳେ ୯୫୪୯ଜଣଙ୍କୁ ୩ କୋଟି ୪୩ ଲକ୍ଷ ୯୮୧୨ ଟଙ୍କା ଦିଆଯାଇଛି। ଅନେକ ଲୋକଙ୍କ ଚାଷଜମି ଏବଂ ଘର ହାତୀଦ୍ୱାରା ନଷ୍ଟ ହେବା ନେଇ ବନ ବିଭାଗକୁ ଜଣାଯିବା ସତ୍ତ୍ବେ ମଧ୍ୟ ବର୍ଷବର୍ଷ ଧରି କ୍ଷତିପୂରଣ ମିଳୁନଥିବାରୁ ଅସନ୍ତାଷ ଦେଖାଦେଇଛି। ଆବେଦନ କରି କ୍ଷତିପୂରଣ ପାଉ ନଥିବାରୁ ଚାଷୀ କ୍ଷୟକ୍ଷତି ହେଲେ ଆଉ କ୍ଷତିପୂରଣ ପାଇଁ ଆବେଦନ କରୁ ନଥିବା ଜଣାପଡ଼ିଛି।