୩୦ବର୍ଷରେ ବରଗଡ଼ ତାପମାତ୍ରା ୩ଡିଗ୍ରି ବୃଦ୍ଧି

ବରଗଡ଼: ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରାବିଶ୍ବକୁ ଚିନ୍ତାରେ ପକାଇ ଦେଇଛି। ବରଗଡ଼ ଜିଲ୍ଲା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ପୁରୁଣା ପରିସଂଖ୍ୟାନକୁ ତର୍ଜମା କଲେ ଏହାର ଭୟଙ୍କର ରୂପ ଜଳଜଳ ହୋଇ ଜଣାପଡ଼ୁଛି। ହିସାବ କହୁଛି, ବିଗତ ୩୦ ବର୍ଷ ମଧ୍ୟରେ ବରଗଡ଼ ଜିଲ୍ଲାର ସ୍ବାଭାବିକ ତାପମାତ୍ରାରେ ୩ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

୧୯୯୧ ମସିହାର ପରିସଂଖ୍ୟାନ କହୁଛି, ଜିଲ୍ଲାରେ ଏପ୍ରିଲ ମାସରେ ୩୬.୩ ଡିଗ୍ରି, ମେ’ ମାସରେ ୪୦.୨ ଡିଗ୍ରି ଏବଂ ଜୁନ୍‌ ମାସରେ ୪୧.୨ ଡିଗ୍ରି ସେଲ୍‌ସିଅସ୍‌ ରହୁଥିଲା। ୨୦୦୧ ମସିହାଠାରୁ ସ୍ବାଭାବିକ ତାପମାତ୍ରା ଅହେତୁକ ଭାବେ ବଢ଼ିଚାଲିଛି। ଯାହା ୨୦୨୨ ମସିହାବେଳକୁ ଆହୁରି ଚିନ୍ତା ବଢ଼ାଇ ଦେଇଛି। ଗତ ୫ ବର୍ଷର ତାପମାତ୍ରା ପରିସଂଖ୍ୟାନକୁ ତର୍ଜମା କଲେ, ଜିଲ୍ଲାରେ ଏପ୍ରିଲ ମାସରୁ ହିଁ ପାରଦ ୪୦ ଡିଗ୍ରି ଛୁଉଁଛି। ମେ’ ଏବଂ ଜୁନ୍‌ ମାସ ବେଳକୁ ତାପମାତ୍ରା ୪୩ ଡିଗ୍ରି ଉପରେ ନିରନ୍ତର ରହୁଛି। ତେଣୁ ଆଗକୁ ଜଳବାୟୁ ପରିବର୍ତ୍ତନ ଆହୁରି ଚିନ୍ତା ବଢ଼ାଇବ ବୋଲି ନିଶ୍ଚିତ।

ବିଶେଷଜ୍ଞଙ୍କ କହିବାନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଜିଲ୍ଲାର ସ୍ବାଭାବିକ ପାଣିପାଗ ବିଗିଡ଼ି ଯାଇଛି। ସ୍ବାଭାବିକ ବୃ‌ଷ୍ଟିପାତ ହାର ବି କମି ଯାଇଛି। ବିଶେଷକରି ଜୁଲାଇରୁ ସେପ୍ଟେମ୍ବର ଶେଷ ମାସ ଯାଏ ଝରଣା ଗୁଡ଼ିକ ସକ୍ରିୟ ଥାଆନ୍ତି। କିନ୍ତୁ ଏଥର ତିନି ମାସ ଭିତରେ ମାତ୍ର ୭/୮ ଦିନ ଝରଣାରେ ପାଣି ଦେଖିବାକୁ ମିଳିଥିଲା। ଫଳରେ ଜଳସ୍ରୋତଗୁଡ଼ିକ ଶୁଖିଲା ଥିବାରୁ ଜଙ୍ଗଲରେ ସବୁଜିମା ମଧ୍ୟ ଲୋପ ପାଇଥିବା ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର