ପଟ୍ଟାମୁଣ୍ଡାଇ: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବ୍ରାହ୍ମଣୀ ନଦୀରେ ଜଳର ମଧୁରତା ହ୍ରାସ ସହିତ ଖାର ବା ଲବଣ ଅଂଶ ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ର ମୁହାଁଣରୁ ଲୁଣିପାଣି ନଦୀ ଭିତରକୁ ପ୍ରବେଶ ଯୋଗୁଁ କୁମ୍ଭୀର ନଦୀର ଉପର ମୁଣ୍ଡକୁ ମାଡ଼ି ଆସୁଛନ୍ତି। ଏଭଳି ସ୍ଥିତିରେ କୁମ୍ଭୀର ମୁହଁରେ ମଣି‌ଷ ଜୀବନ ଯିବା ଉଦ୍‌ବେଗଜନକ ଭାବେ ବଢ଼ିଛି। ଗଲା ୫ ବର୍ଷରେ ୨୧ ଜଣ ଲୋକ କୁମ୍ଭୀର ଆକ୍ରମଣରେ ମରିଛନ୍ତି। ଏଥିସହ କୁମ୍ଭୀର ସୁରକ୍ଷା ମଧ୍ୟ ବିପନ୍ନ ହୋଇଛି।

Advertisment

ବିଶ୍ବର ତାପମାତ୍ରା ବୃଦ୍ଧି ଯୋଗୁ ଲୁଣି ପାଣି ତଳ ମୁଣ୍ଡରୁ ଉପର ମୁଣ୍ଡକୁ ମାଡ଼ି ଆସୁଛି। ଏହା ଦ୍ବାରା କେବଳ ନଦୀ ନୁହେଁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହେଉଛି। ଲୁଣା ପାଣି ଉଦ୍ଭିଦ ଜଗତକୁ ବି ପ୍ରଭାବିତ କରୁଛି। ପାଣିରୁ ଅମ୍ଳଜାନର ମାତ୍ରା କମିବା ଦ୍ବାରା ଅଣୁଜୀବ ମାନଙ୍କ ସଂଖ୍ୟା ମାତ୍ରାଧିକ ବଢ଼ିବା ସହ ପାଣି ଭିତରେ ଥିବା ଉଦ୍ଭିଦ ଜଗତ ପ୍ରଭାବିତ ହେଉଛି। ଜଳଜୀବମାନେ ରୋଗଗ୍ରସ୍ତ ହେଉଛନ୍ତି। ନଈରେ ବ୍ୟାପକ ମାଛ ଧରା ଯୋଗୁ କୁମ୍ଭୀର ଖାଦ୍ୟାଭାବର ଶିକାର ହୋଇ ନଈର ଉପରମୁଣ୍ଡ ଆଡ଼କୁ ଯାଉଛନ୍ତି। ପର୍ଯ୍ୟଟନ ଓ ଡଙ୍ଗା ଚଳାଚଳ ବି କୁମ୍ଭୀରମାନଙ୍କୁ ଅସୁରକ୍ଷିତ କରୁଛି।

କୁମ୍ଭୀର ଆକ୍ରମଣରେ ୨୦୧୯-୨୦ରେ ୫ଜଣ, ୨୦୨୦-୨୧ରେ ୩ ଜଣ, ୨୦୨୧-୨୨ରେ ୩ ଜଣ, ୨୦୨୨-୨୩ରେ ୮ ଜଣ ଓ ୨୦୨୩-୨୪ରେ ଏଯାଏ ୨ ଜଣ ପ୍ରାଣ ହରାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। କୁମ୍ଭୀର ରହୁଥିବା ସ୍ଥାନକୁ ସୁରକ୍ଷିତ ରଖିବା, ଅବାଧ ବିଚରଣକୁ ରୋକିଲେ କୁମ୍ଭୀର -ମଣିଷ ସଂଘର୍ଷ କମିବ ବୋଲି ପ୍ରାଣୀ ବିଶେଷଜ୍ଞ ଋତିକା ନାଥ କହିଛନ୍ତି। କଳକାରାଖାନର ଦୂଷିତ ପାଣି ମଧ୍ୟ ନଦୀ ଭିତରକୁ ଛଡ଼ାଯାଉଛି। ସମୁଦ୍ରରୁ ପ୍ରାୟ ୫୦ କିମି ଦୂର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ପାଣି ଖାର ଯୁକ୍ତ ହୋଇଛି। ଭିତରକନିକାର ବଉଳା କୁମ୍ଭୀରମାନେ ଖାରଯୁକ୍ତ ଜଳରେ ରହିବାକୁ ପସନ୍ଦ କରୁଥିବାରୁ ଉପରମୁଣ୍ଡ ମୁହାଁ ହେଉଥିବା ବେଳେ ନଦୀ କୂଳିଆ ଜମିରେ ଆଉ ଚାଷ ହୋଇପାରୁନାହିଁ।