ଭୁବନେଶ୍ବର: ବନାଗ୍ନି ଯୋଗୁଁ ଗତ ୫ବର୍ଷରେ ଓଡ଼ିଶାର ବିଭିନ୍ନ ବନଖଣ୍ଡରେ ଦେଢ଼ ଲକ୍ଷ ବନାଗ୍ନି ସଂଘଟିତ ହୋଇଛି। ୬୦ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ୨୦୨୧ ତୁଳନାରେ ୨୦୨୨ରେ ଜଙ୍ଗଲ ନିଆଁ କମିଥିଲେ ମଧ୍ୟ ଏବେ ସୁଦ୍ଧା ୮ ହଜାର ୪୪୦ ହେକ୍ଟର ଜଙ୍ଗଲ ଜମି ଜଳି ପୋଡ଼ି ପାଉଁଶ ହୋଇଛି। ୨୦୧୮ରେ ଉଭୟ ଅଣ-ଜଙ୍ଗଲ ଓ ଜଙ୍ଗଲ ଅଞ୍ଚଳରେ ୩୧ ହଜାର ୬୮୦ଟି ବନାଗ୍ନି ସଂଘଟିତ ହେବା ସହ ୯,୭୩୦ ହେକ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୯ରେ ୧୯ ହଜାର ୭୮୭ ବନାଗ୍ନିରେ ୭୧୬୪ ହେକ୍ଟର, ୨୦୨୦ରେ ୧୧ ହଜାର ୮୮ ବନାଗ୍ନିରେ ୬୦୭୦ ହେକ୍ଟର, ୨୦୨୧ରେ ସର୍ବାଧିକ ୫୭ହଜାର ୩୩୯ ବନାଗ୍ନିରେ ୨୮ ହଜାର ୬୫୩ ହେକ୍ଟର ଜମି କ୍ଷତିଗସ୍ତ ହୋଇଛି। ୨୦୨୨ରେ ୨୯ହଜାର ୧୮୫ଟି ବନାଗ୍ନିରେ ୮୪୪୦ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିବା ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଡେରାଡୁନ୍ସ୍ଥିତ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଜଙ୍ଗଲ ନିଆଁ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି। ଓଡ଼ିଶା ଜଙ୍ଗଲରେ ସଂଘଟିତ ହେଉଥିବା ଅଗ୍ନିକାଣ୍ଡ ଭୂପୃଷ୍ଠୀୟ ହେଉଥିବାରୁ ଏହାଦ୍ବାରା ଜଙ୍ଗଲ ସମ୍ପଦ ବିଶେଷ କ୍ଷତିଗ୍ରସ୍ତ ହୋଇ ନଥାଏ। ମାଟିରେ ପଡ଼ିଥିବା ଶୁଷ୍କ କାଠ, ପତ୍ର, କ୍ଷୁଦ୍ର ଗୁଳ୍ମ ଓ ବାଉଁଶ ଜଙ୍ଗଲର ଆଂଶିକ କ୍ଷତି ହେଉଛି। ବଡ଼ ବଡ଼ ଗଛ ବିଶେଷ କ୍ଷତି ହେଉ ନାହିଁ। ବନାଗ୍ନି ରୋକିବାକୁ ଅଗ୍ନି ନିର୍ବାପକ ବାହିନୀ ନିୟୋଜନ, ଅଗ୍ନି ପ୍ରତିରୋଧକ ରେଖା ତିଆରି, ଜଙ୍ଗଲ ସନ୍ନିକଟ ଗ୍ରାମବାସୀଙ୍କୁ ସଚେତନ ଓ ବନାଗ୍ନି ନିୟନ୍ତ୍ରଣ ନିମିତ୍ତ ପ୍ରୋତ୍ସାହନ ରାଶି, ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଣ କରାଯାଉଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ କାମ୍ପା ପାଣ୍ଠିରୁ ବିଭିନ୍ନ କ୍ଷେତ୍ରୀୟ ବନଖଣ୍ଡଗୁଡ଼ିକରେ ବନାଗ୍ନି ନିୟନ୍ତ୍ରଣ ବାବଦରେ ୧୬ କୋଟି ୯୬ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ର ପ୍ରାୟୋଜିତ ବନାଗ୍ନି ପ୍ରତିରୋଧ ଓ ପରିଚାଳନା ଯୋଜନା ଅଧୀନରେ ୭ କୋଟି ୫୪ ଲକ୍ଷ ୮୧ ହଜାର ଟଙ୍କା ବିନିଯୋଗ କରାଯାଇ ବନାଗ୍ନି ଯୋଗୁଁ ଜଙ୍ଗଲ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରାଯାଇଛି।
ତିନିବର୍ଷରେ କାମ୍ପାରୁ ମିଳିଛି ୩୪୭ କୋଟି ୨୦୧୯ ଅଗଷ୍ଟ ୨ରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ୬୪୩.୨୭ କୋଟି ଟଙ୍କା ଜାତୀୟ କାମ୍ପା ପାଣ୍ଠିରେ ଜମା ହୋଇଛି। ଏହାର ରାଜ୍ୟ ଅଂଶ ୯୦% ହିସାବରେ ୬୭୮.୯୪ କୋଟି ଟଙ୍କା ପ୍ରାପ୍ୟ ଥିଲା। ସେଥିମଧ୍ୟରୁ ଗତ ମାର୍ଚ୍ଚ ୨୩ ସୁଦ୍ଧା କେନ୍ଦ୍ର ସରକାରଙ୍କ ଜାତୀୟ କାମ୍ପା ପାଣ୍ଠିରୁ ୩୪୭.୨୭ କୋଟି ଟଙ୍କା ରାଜ୍ୟ କାମ୍ପାକୁ ମିଳିଛି। ଉକ୍ତ କାମ୍ପା ଯୋଜନାରେ ୨୦୧୯ ଫେବ୍ରୁଆରି ୭ ସୁଦ୍ଧା ୮ହଜାର ୫୭୮ କୋଟି ଟଙ୍କା ମିଳିଥିଲା। ଏହାବ୍ୟତୀତ ଗତ ମାର୍ଚ୍ଚ ୨୩ରେ ରାଜ୍ୟ କାମ୍ପାକୁ ୩୪୭.୨୭ କୋଟି ଟଙ୍କା ଆସିବା ପରେ ତାହା ୮ ହଜାର ୯୨୫ କୋଟିରେ ପହଞ୍ଚିଛି। ସେଥିମଧ୍ୟରୁ ବିଭିନ୍ନ ବନଖଣ୍ଡ ଜରିଆରେ ସମସ୍ତ ଜିଲ୍ଲାଙ୍କୁ ୪ ହଜାର ୫୬୯.୮୯ କୋଟି ଟଙ୍କା ମାର୍ଚ୍ଚ ସୁଦ୍ଧା କାମ୍ପା ଅନୁମୋଦିତ କାର୍ଯ୍ୟ ପାଇଁ ଦିଆଯାଇଛି। ଏହି ଯୋଜନା ଅଧୀନରେ କ୍ଷତିପୂରଣ ବନୀକରଣ, ସ୍ଥିରୀକୃତ ଅଞ୍ଚଳରେ ବନ୍ୟପ୍ରାଣୀ ପରିଚାଳନା, ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ, ମୃତ୍ତିକା ସଂରକ୍ଷଣ, ବାଉଁଶର ସିଲଭି କଲଚର କାର୍ଯ୍ୟ, ଭିତ୍ତିଭୂମି ବିକାଶ, ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ପରିଚାଳନା, ଜଙ୍ଗଲ ସୁରକ୍ଷା, ଆମ ଜଙ୍ଗଲ ଯୋଜନା, ସୂଚନା ପ୍ରଯୁକ୍ତି ଓ ଭୌଗୋଳିକ ସୂଚନା ପ୍ରଣାଳୀ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି। ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fire-SUNABADA-forest-fire.jpg)