ଭୁବନେଶ୍ବର: ୨୦୧୯ରେ ଯେଉଁ ୧୧୨୧ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସେମାନଙ୍କ ମଧ୍ୟରୁ ନିର୍ବାଚନ ଜିତି ବିଧାୟକ ହୋଇଥିବା ୧୦୩ଜଣ ପ୍ରାର୍ଥୀ ଏଥର ପୁଣି ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କର ହାରାହାରି ସମ୍ପତ୍ତି ୪କୋଟି ୫୧ଲକ୍ଷ ଟଙ୍କା ଥିବାବେଳେ ୨୦୨୪ରେ ଏହା ୭କୋଟି ୮୦ଲକ୍ଷ ଟଙ୍କାରେ ପହଞ୍ଚିଛି। ୫ବର୍ଷରେ ସମ୍ପତ୍ତି ହାରାହାରି ୩କୋଟି ୨୯ଲକ୍ଷ ଟଙ୍କା ବଢ଼ିଛି। ଯାହା ହାରାହାରି ଆୟ ବୃଦ୍ଧିର ୭୩%। ଆଶ୍ଚର୍ଯ୍ୟର ବିଷୟ ୧୦୩ଜଣ ବିଧାୟକଙ୍କ ମଧ୍ୟରୁ ୯୮ଜଣ ବିଧାୟକଙ୍କ ସମ୍ପତ୍ତି ୨%ରୁ ୪୯୬% ପର୍ଯ୍ୟନ୍ତ ବଢ଼ିଥିବାବେଳେ ୫ଜଣ ବିଧାୟକଙ୍କ ସମ୍ପତ୍ତି ୭%ରୁ ୪୮% ପର୍ଯ୍ୟନ୍ତ କମିଛି। ଏହି ୧୦୩ ଜଣ ବିଧାୟକଙ୍କ ମଧ୍ୟରୁ ବିଜେଡିର ୭୪ଜଣ ଅଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୫କୋଟି ୩୫ଲକ୍ଷ ଟଙ୍କା ଥିବାବେଳେ ୨୦୨୪ରେ ୮କୋଟି ୨୫ଲକ୍ଷ ଟଙ୍କାରେ ପହଞ୍ଚିଛି। ପ୍ରାୟ ୫୪.୦୩% ହାରାହାରି ସମ୍ପତ୍ତି ବଢ଼ିଛି। ଅର୍ଥାତ୍ ୨କୋଟି ୮୯ଲକ୍ଷ ଟଙ୍କା ବଢ଼ିଛି।
ବିଜେଡି ବିଧାୟକଙ୍କ ହାରାହାରି ସମ୍ପତ୍ତି ୨.୮୯କୋଟି ବଢ଼ିଛି
ବିଜେପି ବିଧାୟକଙ୍କର ପ୍ରାୟ କୋଟିଏ ଲେଖାଏ ବଢ଼ିଛି
୫ କଂଗ୍ରେସ ବିଧାୟକଙ୍କର ହାରାହାରି ସମ୍ପତ୍ତି ୨କୋଟି ବଢ଼ିଛି
ସୂର୍ଯ୍ୟମଣିଙ୍କର ସର୍ବାଧିକ ୪୯୬% ବଢ଼ିଲା, ଅନନ୍ତଙ୍କର ୪୮% କମିଲା
ବିଜେପିର ୨୧ଜଣ ବିଧାୟକ ଗତଥର ଭଳି ଏଥର ନିର୍ବାଚନ ଲଢ଼ୁଥିବାବେଳେ ସେମାନଙ୍କ ହାରାହାରି ସମ୍ପତ୍ତି ୯୮ଲକ୍ଷ ଅର୍ଥାତ୍ ୭୪.୬୪% ବଢ଼ିଛି। ୨୦୧୯ରେ ହାରାହାରି ସମ୍ପତ୍ତି ୧କୋଟି ୩୨ଲକ୍ଷ ଥିବାବେଳେ ୨୦୨୪ରେ ୨କୋଟି ୩୧ଲକ୍ଷ ଟଙ୍କା ହୋଇଛି। କଂଗ୍ରେସର ୫ଜଣ ବିଧାୟକ ଏଥର ପୁଣି ନିର୍ବାଚନ ଲଢ଼ୁଥିବାବେଳେ ସେମାନଙ୍କ ସମ୍ପତ୍ତି ୨କୋଟି ଅର୍ଥାତ୍ ୧୨୨.୧୧% ବଢ଼ିଛି। ୨୦୧୯ରେ ସେମାନଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧କୋଟି ୬୩ଲକ୍ଷ ଟଙ୍କା ଥିବାବେଳେ ଏବେ ୩କୋଟି ୬୩ଲକ୍ଷ ଟଙ୍କା ହୋଇଛି। ୨ଜଣ ସ୍ବାଧୀନ ବିଧାୟକଙ୍କର ସମ୍ପତ୍ତି ୪୬କୋଟି ଅର୍ଥାତ୍ ୨୮୯.୨୭% ବଢ଼ିଛି। ୨୦୧୯ରେ ୧୬କୋଟି ୧୫ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ ଏବେ ୬୨କୋଟି ୮୮ଲକ୍ଷ ଟଙ୍କା ହୋଇଛି। ସିପିଆଇଏମ୍ର ଜଣେ ବିଧାୟକଙ୍କର ସମ୍ପତ୍ତି ୮୧ଲକ୍ଷ ଅର୍ଥାତ୍ ୨୭୦.୦୪% ବଢ଼ିଛି। ୨୦୧୯ରେ ୩୦ଲକ୍ଷ ଟଙ୍କା ଥିବାବେଳେ ଏବେ ୧କୋଟି ୧୧ଲକ୍ଷ ଟଙ୍କା ହୋଇଛି।
ସବୁଠୁ ରୋଚକ କଥା ହେଉଛି, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କର ୫ବର୍ଷରେ ସମ୍ପତ୍ତି ୫୫ଲକ୍ଷ ଟଙ୍କା ଅର୍ଥାତ୍ ପ୍ରାୟ ୫୦୦% (୪୯୬%)ବଢ଼ିଛି। ୨୦୧୯ରେ ତାଙ୍କ ସମ୍ପତ୍ତି ୧୧ଲକ୍ଷ ୧୬ହଜାର ଟଙ୍କା ଥିବାବେଳେ ୨୦୨୪ରେ ୬୬ଲକ୍ଷ ୫୬ହଜାର ଟଙ୍କାରେ ପହଞ୍ଚିଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପତ୍ତି ୫ବର୍ଷରେ ମାତ୍ର ୧୭ଲକ୍ଷ ଟଙ୍କା ବା ୨% ବଢ଼ିଛି। ତାଙ୍କର ୨୦୧୯ରେ ୮କୋଟି ୫୨ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ ଏବେ ୮କୋଟି ୬୯ଲକ୍ଷ ଟଙ୍କାର ସମ୍ପତ୍ତି ଅଛି। ଯେତେବେଳେକି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କର ୫ବର୍ଷରେ ୪୮% ସମ୍ପତ୍ତି କମିଯାଇଛି। ୨୦୧୯ରେ ତାଙ୍କର ୩କୋଟି ୯ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ ୨୦୨୪ରେ ଏହା ୧.୪୭କୋଟି କମି ୧କୋଟି ୬୨ଲକ୍ଷ ଟଙ୍କାରେ ପହଞ୍ଚିଛି।