୭ ଦିନରେ ବାପା, ପୁଅ ଓ କାକା ବୁଜିଲେ ଆଖି; ୨ ମାସ ତଳେ ବିବାହ କରିଥିଲେ ପୁଅ

ସୁନ୍ଦରଗଡ଼: କନ୍ଦାଉଛି କରୋନା। ମଣିଷ ଆଖିରେ ଲୁହ ଶୁଖୁନି। ପ୍ରତିଦିନ ହସ୍ପିଟାଲରୁ ମଶାଣି ଯାଏ ଦେଖିବାକୁ ମିଳୁଛି ଛାତିଥରା ଦୃଶ୍ୟ। କେଉଁଠି ବାପା କାନ୍ଧରେ ପୁଅ ଯାଉଛି ମଶାଣି ତ କେଉଁଠି କୁନିପିଲାଙ୍କୁ ଛେଉଣ୍ଡ କରି ଚାଲି ଯାଉଛନ୍ତି ବାପା ମା। ପୁଣି କେଉଁଠାରେ ସଦ୍ୟ ବିବାହିତ ଝିଅ ମଥାରୁ ଲିଭି ଯାଉଛି ସିନ୍ଦୁର। ଏପରିକି ଗୋଟିଏ ଗୋଟିଏ ପରିବାର ନିପାତ ହୋଇ ଯାଉଛି କରୋନାର ଆଁ ଭିତ‌ରେ। ବାପା, ପୁଅ ଓ କାକା ଏକା ସାଥିରେ ସେପାରିକୁ ଚାଲି ଯିବାର ସେଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ରେ।

ସୁନ୍ଦରଗଡ଼ ସହର ରଙ୍ଗାଢିପାସ୍ଥିତ ବହିଦାର ପରିବାର ଏପରି ଦୁଃଖଦ ଘଟଣାକୁ ସାମ୍‌ନା କରିଛି। ୭ ଦିନ ମଧ୍ୟରେ ଗୋଟିଏ ପରିବାର ୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ବାପାଙ୍କ ପରେ କାକା ଓ ଶେଷକୁ ପୁଅ। ରଙ୍ଗାଢିପାର ଦୁଃଖିଜୀବନ ବହିଦାର ୮ ଦିନ ତଳେ କରୋନା ସଂକ୍ରମିତ ଜଣାପଡ଼ିଥିଲେ। କିନ୍ତୁ ବିଶେଷ ଲକ୍ଷଣ ନଥିବାରୁ ଗୃହ ସଂଗରୋଧରେ ଥିଲେ। ତେବେ ସଂକ୍ରମଣର ୨ ଦିନ ନଯାଉଣୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୃତ ଦୁଃଖିଜୀବନଙ୍କ ଭାଇ ହାଡ଼ୁ ବହିଦାର ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ମଧ୍ୟ ଗୃହ ସଂଗରୋଧରେ ଥାଇ ମେ’ ୧୫ରେ ପ୍ରାଣ ହରାଇଥିଲେ। ପୁଣି ଗତକାଲି ସକାଳ ସାଢ଼େ ୮ଟାରେ ଜୟପ୍ରକାଶ ହସ୍ପିଟାଲରେ ପୁଅ ବିକାଶ ବହିଦାର ଆଖି ବୁଜିଛନ୍ତି। ବାପା ଓ କାକାଙ୍କ ମୃତ୍ୟୁ ପରେ ବିକାଶ ସଂକ୍ରମିତ ଜଣାପଡ଼ିଥିଲା।

ସଂକ୍ରମଣ ପରେ ସେ ସାମାନ୍ୟ ଅସୁସ୍ଥ ହେବାରୁ ମାତ୍ର ୨ ଦିନ ତଳେ ତାଙ୍କୁ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ରାଉରକେଲା ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ଏବେ ଘରେ ବିଧବା ମା’ ଓ ଭାଇ ଶୋକରେ ବୁଡ଼ିଛନ୍ତି। ଅନ୍ୟପଟେ କାକା ହାଡ଼ୁ ବହିଦାରଙ୍କ ପୁଅ ମଧ୍ୟ କରୋନା ସଂକ୍ରମଣରେ ଗୁରୁତର ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ପ୍ରକାଶଯୋଗ୍ୟ, ବିକାଶ ୨ ମାସ ତଳେ ବିବାହ କରିଥିଲେ। କିନ୍ତୁ କୌଣସି ଏକ ଘଟଣାକୁ ନେଇ ନବ ବିବାହିତା ବିବାହ ପରଦିନ ହିଁ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏ ଘଟଣାରେ ସାରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ମାତ୍ର ୭ ଦିନରେ ‌ଭେଣ୍ଡିଆ ପୁଅ ସମେତ ୩ ଜଣଙ୍କ ମୃତ୍ୟୁ ପରିବାର ମୁଣ୍ଡ‌ରେ ଚଡ଼କ ପକାଇଛି।

ସମ୍ବନ୍ଧିତ ଖବର