୪ ଜିଲ୍ଲାରେ ଲୋକଙ୍କ ଦ୍ବିତୀୟ ଡୋଜ୍ ପାଇଁ ଆଗ୍ରହ ନାହିଁ: ଗତମାସରେ ଆବଣ୍ଟିତ ଡୋଜ୍ ଠାରୁ ଆସିଛି ଅଧିକ ୬ଲକ୍ଷ

୭୩% ପ୍ରଥମ, ୨୮% ଉଭୟ ଡୋଜ୍ ନେଇ ସାରିଲେଣି

ଭୁବନେଶ୍ବର: ରାଜ୍ୟର ୪ଟି ଜିଲ୍ଲାରେ ଲୋକମାନେ ଦ୍ବିତୀୟ ଡୋଜ୍ ଟିକା ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଏପରିକି ସେମାନଙ୍କୁ ଟିକା ନେବା ପାଇଁ ମେସେଜ୍ ପଠାଯାଉଥିଲେ ‌ହେଁ, ସେମାନେ ଟିକା ନେବାକୁ ଆସୁ ନାହାନ୍ତି। ରାଜ୍ୟରେ କରୋନା ସଂକ୍ରମଣ କମି ଯାଇଥିବା ବେଳେ ଲୋକଙ୍କ ମଧ୍ୟ ଟିକା ନେବା ପାଇଁ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟରେ କେବଳ ଭୁବନେଶ୍ବର ଓ ଗଞ୍ଜାମକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ କୋଭିସିଲ୍‌ଡ ଟିକା ଦିଆଯାଉଛି। କୋଭିସିଲ୍‌ଡ ଟିକାର ଦୁଇ ଡୋଜ୍ ଟିକା ଭିତରେ ରହିଥିବା ବ୍ୟବଧାନ ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ଯାହାଫଳରେ ସଂପୃକ୍ତ ୪ ଜିଲ୍ଲାରେ ଦୁଇ ଡୋଜ୍ ଭିତରେ ବ୍ୟବଧାନ ଧୀରେ ଧୀରେ ବଢ଼ି ଚାଲିଛି।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗଜପତି, ବଲାଙ୍ଗୀର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ପ୍ରଥମ ଡୋଜ୍ ତୁଳନାରେ ଦ୍ବିତୀୟ ଡୋଜ୍ ଟିକାର ବ୍ୟବଧାନ ଅଧିକ ରହିଛି। ଗଜପତିରେ ୨,୭୫,୧୩୨ ପ୍ରଥମ ଓ ୮୭,୨୦୯ ଦ୍ବିତୀୟ, କନ୍ଧମାଳ ୩,୪୭,୩୯୧ ପ୍ରଥମ ଓ ୧,୧୬,୧୮୫ ଦ୍ବିତୀୟ, ବଲାଙ୍ଗୀରରେ ୮,୭୩,୫୯୫ ପ୍ରଥମ, ୧,୯୩,୨୬୪ ଦ୍ବିତୀୟ, ନୂଆପଡ଼ାରେ ୩,୮୬,୦୫୩ ପ୍ରଥମ ଓ ୮୯,୫୯୯ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ତେବେ ଦ୍ବିତୀୟ ଡୋଜ୍ ‌ଟିକା ନେବାକୁ ଭୁଲି ଯାଇଥିବା ଲୋକଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ଲାଗି ଆଗଧାଡ଼ିର ଯୋଦ୍ଧାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାସତ୍ବେ ମଧ୍ୟ ଏହି ୪ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି ହେଉନାହିଁ। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଏହି ୪ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ହିତାଧିକାରୀଙ୍କୁ ମେ‌ସେଜ୍ ଦିଆଯାଉଛି। ଏପରିକି ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ଲାଗି ଉଦ୍ୟମ କରୁଛନ୍ତି। ତଥାପି ସେମାନେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳୁଛି। ତଥାପି କିଛିଦିନ ହେବ ଏଥିରେ ସୁଧାର ଆସିଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଓଡ଼ିଶାକୁ ୬୦ଲକ୍ଷ ଡୋଜ୍ ଆବଣ୍ଟିତ କରିଥିଲେ। ମାତ୍ର ମାସ ଶେଷ ବେଳକୁ ଏହାଠାରୁ ୬ଲକ୍ଷ ଅଧିକ ଅର୍ଥାତ୍ ୬୬.୨୪ଲକ୍ଷ ଡୋଜ୍ ଟିକା ଆସିଥିବା ଜଣାପଡ଼ିଛି। ଚଳିତମାସରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ୭୮ଲକ୍ଷ ଡୋଜ୍ ଆବଣ୍ଟିତ କରିଛନ୍ତି। ତହିଁରେ ୬୯ଲକ୍ଷରୁ ଅଧିକ କେବଳ ସରକାରୀ କ୍ଷେତ୍ରକୁ ଆବଣ୍ଟିତ କରାଯାଇଛି। ତେବେ ଗତ ୨/୩ମାସ ହେବ ଆବଣ୍ଟିତ ଟିକାଠାରୁ ଅଧିକ ଟିକା ଆସୁଥିବାରୁ ଚଳିତମାସରେ ମଧ୍ୟ ଅଧିକ ଟିକା ଆସିପାରେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସମୁଦାୟ ୩.୧ କୋଟି ହିତାଧିକାରୀଙ୍କୁ କରୋନା ଟିକା ଦିଆଯିବ। ତେବେ ଅଳ୍ପଦିନ ହେବ ରାଜ୍ୟରେ ଟିକାକରଣ ସାମାନ୍ୟ ଧିମେଇ ଯାଇଥିଲା। ହେଲେ ଏବେ ପୁଣିଥରେ ଟିକାକରଣ ଜୋର୍ ଧରିବା ଆରମ୍ଭ କରିଛି। ଗତକାଲି ରାଜ୍ୟରେ ସାଢ଼େ ୩ଲକ୍ଷ ଲୋକ ଟିକା ନେଇଥିଲେ।

ଆଜି ରାଜ୍ୟରେ ୧୯୧୯ ଟିକାକରଣ ଅଧିବେଶନରେ ୩ଲକ୍ଷ ୨୦ହଜାର ୪୩୪ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ଯୁବ ବର୍ଗରେ ୧,୩୯,୮୧୭ ପ୍ରଥମ, ୭୩,୩୦୯ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୬୧,୯୪୦ ପ୍ରଥମ ଓ ୪୪,୭୪୧ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୩ କୋଟି ୧୯ଲକ୍ଷ ୬୦ହଜାର ୬୪୬ଜଣଙ୍କୁ ଟିକା ଦିଆଗଲାଣି। ରାଜ୍ୟରେ ୭୩ ପ୍ରତିଶତରୁ ଅଧିକ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ନେଇ ସାରିଥିବା ବେଳେ ୨୮ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇ ସାରିଲେଣି। ଶତ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଓ ୯୯ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ପ୍ରଥମ ଡୋଜ୍ ନେଇ ସାରିଲେଣି। ଆସନ୍ତାକାଲି ୧୨୬୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୧୬.୬୨ ଲକ୍ଷରୁ ଅଧିକ କୋଭିସିଲ୍‌ଡ ଓ ୪.୮୫ଲକ୍ଷରୁ ଅଧିକ କୋଭାକ୍ସିନ୍ ଡୋଜ୍ ମହଜୁଦ ରହିଛି।

ସମ୍ବନ୍ଧିତ ଖବର