୧୮ବର୍ଷରୁ କମ୍ ୮୦% ପିଲାଙ୍କଠାରେ କରୋନାର କମ୍ ଲକ୍ଷଣ

ଦିନକରେ ୭୭୧ ପଜିଟିଭ୍, ୮ ମୃତ, ସୁସ୍ଥ‌ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ମୁହାଁ

ଭୁବନେଶ୍ବର : ରାଜଧାନୀର କିଛି ଶିଶୁ କରୋନାରେ ସଂକ୍ରମିତ ହେବା ପରେ ମଲ୍‌ଟି ସିଷ୍ଟମ୍ ଇନପ୍ଲାମେଟୋରି ସିଣ୍ଡ୍ରୋମ୍ ବା ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସମସ୍ତେ ଠିକ୍ ଅଛନ୍ତି। ତେବେ କରୋନାର ଦ୍ବିତୀୟ ଲହର ପରେ ଶିଶୁଙ୍କଠାରେ ଏମ୍‌ଆଇଏସ୍‌ ଦେଖାଯାଉଥିବା ନେଇ ଆଜି ସରକାରୀ ଭାବେ ସୂଚନା ଦିଆଯାଇଛି।

ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ୦-୧୮ବର୍ଷ ବୟସର ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ନାହିଁ। ୧୫ପ୍ରତିଶତଙ୍କଠାରେ ସାମାନ୍ୟ ଲକ୍ଷଣ ଓ ବଳକା ୫ପ୍ରତିଶତଙ୍କଠାରେ ଅଧିକ ଲକ୍ଷଣ ରହୁଛି। ସେହି ୫ପ୍ରତିଶତ ହସ୍ପିଟାଲରେ ଭର୍ତି ହେଉଛନ୍ତି। ହସ୍ପିଟାଲରେ ଭର୍ତି ହେଉଥିବା ପିଲାଙ୍କ ଭିତରୁ ୩ପ୍ରତିଶତ ଅକ୍ସିଜେନ୍ ସହାୟତାରେ ଠିକ୍ ହୋଇଯାଉଛନ୍ତି। ମାତ୍ର ୨ ପ୍ରତିଶତଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ୁଛି। ତେଣୁ ଏସବୁ ଭିତରେ ବହୁତ କମ୍ ପିଲାଙ୍କୁ ଏମ୍‌ଆଇ ସିଣ୍ଡ୍ରୋମ୍ ହୋଇପାରେ। କୋଭିଡ୍‌ରୁ ସୁସ୍ଥ ହେବାର ୪-୬ ସପ୍ତାହ ଭିତରେ ପିଲା ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆଖି, ପାଟି, ପାଦ ଲାଲ ପଡ଼ିଯିବା ସହ ପତଳା ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ବି ହୋଇଥାଏ। ଧୀରେଧୀରେ ଶରୀରର ସବୁ ଅଙ୍ଗକୁ ସଂକ୍ରମିତ କରିଥାଏ। ଫଳରେ ଶରୀରରେ ଏମ୍‌ଆଇଏସ୍‌ ହେବା ସହ ଶିଶୁଟି ଗୁରୁତର ହୋଇପଡ଼େ।

ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ହେଉଥିବା ଶିଶୁଙ୍କୁ ଅକ୍ସିଜେନ୍‌, ଆଇଭି ଫ୍ଲୁଇଡ୍‌ ଓ ସପୋର୍ଟିଭ୍ ଥେରାପି ଦିଆଯାଇଥାଏ। ଆବଶ୍ୟକ ପଡ଼ିଲେ ଦାମୀ ହାଇଡୋଜ୍ ଷ୍ଟେରୋଏଡ୍‌ର ଆବଶ୍ୟକତା ପଡ଼ିଥାଏ। ରାଜ୍ୟ ସରକାରଙ୍କ ନିକଟରେ ଏହା ମହଜୁଦ୍‌ ରହିଛି। ଶିଶୁକୁ ୨୪ଘଣ୍ଟା ଅବଜରଭେସନ୍‌ରେ ରଖିବା ପରେ ଯଦି ଠିକ୍‌ ନ ହୁଏ, ତାହାଲେ ଅନ୍ୟାନ୍ୟ ଔଷଧ ଦିଆଯିବ। ଏଥିପାଇଁ ଶିଶୁ ଚିକିତ୍ସକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ୍‌ ଦିଆସରିଛି ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, କରୋନାର ପ୍ରଥମ ଲହରରେ ପିଲାଙ୍କ ଭିତରେ ଏମ୍‌ଆଇଏସ୍‌ ଦେଖାଯାଇ ନଥିଲା। ହେଲେ ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ପିଲା ଏମ୍‌ଆଇ ସିଣ୍ଡ୍ରୋମ୍‌ର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏମ୍‌ଆଇଏସ୍‌ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ତୁରନ୍ତ ଭର୍ତି କରିବା ଦରକାର। ଫଳରେ ମୃତ୍ୟୁହାର କମିବ। ଜିଲ୍ଲା ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର୍‌ ଓ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଇସିୟୁ ଓ ଏଚ୍‌ଡିୟୁ ପାଇଁ ବନ୍ଦୋବସ୍ତ ଚାଲିଛି। ଖୁବ୍‌ଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୭ଜଣ ୧୮ ବର୍ଷର କମ୍ ବୟସର ଶିଶୁ ରହିଛନ୍ତି। ଶିଶୁଙ୍କ ସଂକ୍ରମଣ ପ୍ରତିଶତ ୧୫ ଉପରେ ରହିଛି। ‌ଖୋର୍ଧାରେ ସର୍ବାଧିକ ୩୨୭, କଟକ ୭୧, ବାଲେଶ୍ବର ୪୧, ଯାଜପୁର ୩୪, ଜଗତସିଂହପୁର ୨୬, ପୁରୀ ୨୧, ଅନୁଗୁଳ ୧୬ ଓ ଷ୍ଟେଟ୍‌ ପୁଲରୁ ୭୬ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୪ହଜାର ୩୩୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୮ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅନୁଗୁଳ ୩, ଖୋର୍ଧା ୨ ଓ ଯାଜପୁରରୁ ଜଣେ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୭୮କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୬୯୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୩୪୮କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୯ଲକ୍ଷ ୯୯ହଜାର ୮୫୯ଜଣ ସୁସ୍ଥ ହୋଇସାରିଲେଣି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୪୮୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର