ଦେଢ଼ ମାସରେ ବ୍ଲାକ୍‌ ଫଙ୍ଗସ୍‌ରେ ୧୨୭ ଆକ୍ରାନ୍ତ: ୧୮ ଜଣଙ୍କ ଜୀବନ ଗଲାଣି, ୧୦ ସୁସ୍ଥ

କେତେ ଇଞ୍ଜେକସନ୍‌ ଦିଆଗଲାଣି ସ୍ପଷ୍ଟ କରୁନି ଔଷଧ ନିଗମ

ଭୁବନେଶ୍ବର: ରାଜ୍ୟରେ ମ୍ୟୁକରମାଇକୋସିସ୍‌ ବା ବ୍ଲାକ୍ ଫଙ୍ଗସ୍ ମାମଲା ବଢ଼ିବଢ଼ି ଚାଲିଛି। ରାଜ୍ୟରେ ଗତ ଦେଢ଼ମାସରେ ୧୨୭ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିବାବେଳେ ୧୮ ଜଣ ପ୍ରାଣ ହରାଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏଥିରେ ରୋଗୀଙ୍କୁ ସୁସ୍ଥ ହେବାକୁ ଅଧିକ ଦିନ ସମୟ ଲାଗୁଛି। ବ୍ଲାକ୍ ଫଙ୍ଗସ୍‌ ପାଇଁ ଆବଶ୍ୟକ ଆମ୍ପୋଟେରିସିନ୍-ବି ଇଞ୍ଜେକସନ୍‌ ରାଜ୍ୟକୁ କେତେ ଆବଣ୍ଟିତ କରାଯାଇଛି ତାହା ରହସ୍ୟ ଘେରରେ ରହିଛି। ରାଜ୍ୟ ଔଷଧ ନିଗମକୁ ଯୋଗା‌‌ଯୋଗ କଲେ ମଧ୍ୟ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ଦିଆଯାଉ ନାହିଁ।

ଗତ ମେ’ ମାସ ୧୧ତାରିଖରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଆକ୍ରାନ୍ତ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଠାରେ ଏଥିରେ ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ରାଜ୍ୟ ସରକାର ଏହାକୁ ଏକ ନୋଟିଫାଏ ରୋଗ ଭାବେ ଘୋଷଣା କରିଥିଲେ। ଏହା ପରେ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଗତ ଦେଢ଼ମାସ ଭିତରେ ଏହା ୧୨୭ରେ ପହଞ୍ଚି ଗଲାଣି। ବ୍ଲାକ୍ ଫଙ୍ଗସ୍‌ ଯୋଗୁଁ ଅନେକ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇ ସାରିଲେଣି। ୧୮ଜଣଙ୍କ ଏଥିରେ ମୃତ୍ୟୁ ହୋଇ ସାରିଲାଣି। ବ୍ଲାକ୍‌ ଫଙ୍ଗସ୍‌ ଉପରେ ନଜର ରଖିବା ଲାଗି ରାଜ୍ୟ ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି। କୋଭିଡ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରୋଏଡର ମାତ୍ରାଧିକ ବ୍ୟବହାର ବ୍ଲାକ୍‌ ଫଙ୍ଗସ୍‌ ଭଳି ରୋଗକୁ ବଢ଼ାଇବାରେ ସାହଯ୍ୟ କରୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଷ୍ଟେରୋଏଡର କିଭଳି ବ୍ୟବହାର କରାଯିବ ତାହା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶାବଳି ଜାରି କରାଯାଇଛି। ମାତ୍ର ଏହା ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ତାହା ସନ୍ଦେହ ଘେରରେ ରହିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ମତରେ ଯେଉଁ କରୋନା ରୋଗୀମାନଙ୍କ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ୁଛି, ସେମାନଙ୍କୁ ହିଁ କେବଳ ଷ୍ଟେରୋଏଡ୍‌ ଦିଆଯାଉଛି। ଷ୍ଟେରୋଏଡ୍‌ର ଭଲ ଓ ଖରାପ ପ୍ରଭାବ ରହିଛି। ପୂର୍ବରୁ ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା, ତେଣୁ ଏହାର ବ୍ୟବହାର ନୂଆ ନ‌ୁହେଁ ବୋଲି ଅଧିକାରୀ ଜଣକ କହିଛନ୍ତି। ହେଲେ କୋଭିଡ ରୋଗୀଙ୍କୁ ଠିକ୍‌ ଭାବେ ଷ୍ଟେରୋଏଡ୍‌ ଦିଆଯାଉଛି କି ନାହିଁ, ଏହା ସଂପର୍କରେ କିଭଳି ଯାଞ୍ଚ କରାଯାଉଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।

ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ରଙ୍କ କହିବା ମୁତାବକ, ଠିକ୍ ସମୟରେ କରୋନା ରୋଗୀଙ୍କୁ ଯଦି ଠିକ୍ ଡୋଜ୍ ଷ୍ଟେରୋଏଡ ଦିଆଯାଏ, ତାହେଲେ ବ୍ଲାକ୍ ଫଙ୍ଗସ୍ ଭଳି ସମସ୍ୟାକୁ ଏଡ଼ାଇ ହେବ। କେନ୍ଦ୍ର ସରକାର ଏଥିପାଇଁ ଏକ ନିର୍ଦେଶାବଳି ଜାରି କରିଛନ୍ତି। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ରହିଛି। ଏହାସହ ଅକ୍ସିଜେନ୍‌ ଯୋଗାଣ ପାଣିରେ ପରିବର୍ତ୍ତନକୁ ମଧ୍ୟ ଗୁରୁତ୍ବ ଦେବାକୁ ହେବ ବୋଲି ଡା.ମିଶ୍ର କହିଛନ୍ତି। ଅପରପକ୍ଷରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ କ୍ଷେତ୍ରରେ ଆମ୍ପୋଟେରିସିନ୍‌-ବି ଇଞ୍ଜେକସନ୍‌ ବେଶ୍‌ ଫଳପ୍ରଦ ହୋଇଥାଏ। ଜଣେ ରୋଗୀ ପିଛା ଦିନକୁ ୬ ଭାଏଲ୍ ହିସାବରେ ୧୪ଦିନ ହିସାବରେ ୮୪ ଭାଏଲ୍ ଇଞ୍ଜେକସନ୍‌ ଦିଆଯିବାର ଆବଶ୍ୟକତା ରହିଛି। ମାତ୍ର କିଛିଦିନ ପୂର୍ବରୁ ଏହି ଇଞ୍ଜେକସନ୍‌ର ଅଭାବ ପାଇଁ ଡାକ୍ତରମାନେ ଏହାର ବିକଳ୍ପ ଚିକିତ୍ସା ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ନଜରକୁ ଆସିଥିଲା। ଯାହାଫଳରେ ରୋଗୀଙ୍କୁ ସୁସ୍ଥ ହେବାକୁ ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ଲାଗୁଥିବା ବିଭିନ୍ନ ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ୭.୯ଲକ୍ଷ ଆମ୍ପୋଟେରିସିନ୍‌-ବି ଇଞ୍ଜେକସନ୍‌ ଆବଣ୍ଟିତ କରିଥିବା କହିଛନ୍ତି। ରାଜ୍ୟମାନେ ସଂପୃକ୍ତ ଔଷଧ କମ୍ପାନିଠାରୁ ଏହି ଇଞ୍ଜେକସନ୍‌ କିଣୁଥଲେ। ମାତ୍ର ଓଡ଼ିଶାକୁ ଏହାର କେତେ ଭାଏଲ ଇଞ୍ଜେକସନ୍‌ ଆସିଲାଣି ଓ କେତେ ସଂଖ୍ୟକ ହସ୍ପିଟାଲମାନଙ୍କୁ ଇ‌ଞ୍ଜେକସନ୍ ଦିଆଗଲାଣି ସେ ସଂପର୍କରେ ରାଜ୍ୟ ଔଷଧ ନିଗମ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ ଏଥିପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର