ରାଉରକେଲା: ବହୁଚର୍ଚ୍ଚିତ ଏଏସ୍‌ଆଇ ଏଲିଶ୍‌ ନାରମି ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁରୁ ଆଜି ପରଦା ଉଠିଛି। ‌ଏଲିଶ୍‌ଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ସେଥିରେ ସତ୍ୟତା ନାହିଁ। ଏକ୍ସାଇଟେଡ୍‌ ଡେରିଲିୟମ୍‌ର ଲକ୍ଷଣ ବା ଅତ୍ୟଧିକ ଉତ୍ତେଜିତ ହୋଇପଡ଼ିବାରୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟର ପୁନଃଅନୁଧ୍ୟାନ, ବିସ୍ତୃତ ତର୍ଜମାପରେ ଏନେଇ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର ଫରେନ୍ସିକ୍‌ ମେଡିସିନ୍‌ ପ୍ରଫେସର ମୃତ୍ୟୁର କାରଣ ସ୍ପଷ୍ଟ କରିଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଡାକ୍ତରମାନଙ୍କୁ ନେଇ ଗଠିତ ଏକ ଦଳ ଶବ ବ୍ୟବଚ୍ଛେଦ କରିଥିଲା। ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି ବି ହୋଇଥିଲା। ଉକ୍ତ ରିପୋର୍ଟକୁ ଏମ୍‌ସକୁ ପଠାଯାଇଥିବାବେଳେ ସେଠାରେ ଫୋରେନ୍ସିକ୍‌ ମେଡିସିନ୍‌ ବିଭାଗର ପ୍ରଫେସର ଏକ୍ସାଇଟେଡ୍‌ ଡେଲିରିୟମ୍‌ କାରଣରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏହି ଲକ୍ଷଣ ଥିବା ବ୍ୟକ୍ତି ଅତ୍ୟଧିକ ଉତ୍ତେଜିତ ହେଲେ ହର୍‌ମୋନ କ୍ଷରଣ ବୃଦ୍ଧି ପାଇଥାଏ। ଯଦ୍ବାରା ନିଶ୍ବାସପ୍ରଶ୍ବାସରେ ଅସୁବିଧା ସୃଷ୍ଟି ହୁଏ। ଘଟଣା ଦିନ ଏଏସ୍‌ଆଇ ଏଲିଶ୍‌ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ। ସେଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଆକ୍ରମଣ ହୋଇନଥିଲା କିମ୍ବା ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ବି ନଥିଲା। ଏହି ମାମଲା ବର୍ତ୍ତମାନ ତଦନ୍ତାଧୀନ ରହିଛି। ଖୁବଶୀଘ୍ର ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ। ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏନେଇ ଏସ୍‌ପି କହିଲେ, ମୃତକଙ୍କ ପରିବାରର ଅଭିଯୋଗ ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏବେ ବ୍ୟବଚ୍ଛେଦ ରିପୋର୍ଟରେ ସବୁ ସ୍ପଷ୍ଟ ହେବାରୁ ହତ୍ୟା ଦଫା ଆଉ ଲାଗିବନି। ତେବେ ସରକାରୀ ଅଧିକାରୀଙ୍କୁ ଡ୍ୟୁଟିବେଳେ ବାଧା ଦେବାରୁ, ସେନେଇ ମାମଲା ଚାଲିବ। ଏହି ମାମଲାରେ ଯେଉଁମାନେ ଫେରାର ଅଛନ୍ତି, ସେମାନଙ୍କୁ ଗିରଫ କରିବାକୁ ଏକ ସ୍ବତନ୍ତ୍ର ଠିମ୍‌ ଗଠନ କରାଯାଇଛି। ଖୁବଶୀଘ୍ର ସମସ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଘରୋଇ ଯାତ୍ରୀବାହୀ ବସ୍‌ ‘ରାଜା ଗୋଲ୍‌ଡ’ ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲା। ଏସ୍‌ଟିଆଇ ଛକ ପାଖ ‘ଅଗ୍ରସେନ ଭବନ’ ନିକଟରେ ବସ୍‌-କାର୍‌ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କାର୍‌ରେ ଥିବା ଜଣେ ଯୁବକ ଓ ଯୁବତୀ ବସ୍‌ ଚାଳକ, କଣ୍ଡକ୍ଟରଙ୍କୁ କ୍ଷତିପୂରଣ ଦାବିରେ ପାଟିତୁଣ୍ଡ କରିଥିଲେ। ଯାତ୍ରୀଙ୍କୁ ଛାଡ଼ି ଫେରିଲାପରେ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇ ବସ୍‌ ଚାଳକ ବସ୍‌ଷ୍ଟାଣ୍ଡ୍‌ ଅଭିମୁଖେ ବାହାରିଥିଲେ। ପ୍ରାୟ ଅଧଘଣ୍ଟା ପରେ ଉକ୍ତ ବସ୍‌ଟି ଫେରି ରାଜଗାଙ୍ଗପୁର ଯାଉଥିଲା। ତେବେ କାର୍‌ରେ ଥିବା ଯୁବକ ଓ ଯୁବତୀ, ତାଙ୍କ କିଛି ସମର୍ଥକଙ୍କ ସହ ସ୍ଥାନୀୟ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଛକ ନିକଟରେ ବସ୍‌କୁ ଅଟକାଇ ଭଙ୍ଗାରୁଜା କରିବା ସହ ମାର୍‌ପିଟ କରିଥିଲେ। ପ୍ରବଳ ମାଡ଼ ମାରିବାରୁ ବସ୍‌ ଚାଳକ, କଣ୍ଡକ୍ଟର ଓ ହେଲ୍‌ପର୍ ଗୁରୁତର ଆହତ ହୋଇଥିଲେ। ଏ ସଂପର୍କରେ ସୂଚନା ପାଇ ଏଏସ୍‌ଆଇ ଏଲିଶ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆକ୍ରମଣକାରୀମାନେ ଏଲିଶ୍‌ଙ୍କ ହାତକୁ ଧରି ଧମକଚମକ ଦେଇଥିଲେ। କିଛି ସମୟପରେ ଏଲିଶ୍‌ ଘଟଣାସ୍ଥଳରେ ବେହୋସ୍‌ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।