ଗୋଟିଏ ବର୍ଷରେ ୨୧୦ ଗର୍ଭବତୀ ମହିଳା ଏଚ୍‌ଆଇଭି ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ବର୍ଷରେ ୨୧୦ଜଣ ନୂତନ ଗର୍ଭବତୀ ମହିଳା ଏଚ୍‌ଆଇଭି ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ୨୦୧୭/୧୮ବର୍ଷରେ ରାଜ୍ୟରେ ଏଚଆଇଭିର ଶିକାର ହୋଇଥିବା ଗର୍ଭବତୀଙ୍କ ସଂଖ୍ୟା ୨୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କୁ ଏଆରଟି ସେଣ୍ଟର କିମ୍ବା ନେଭିରାପିନ ସହିତ ସଂଯୋଗ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୨୦୧୭/୧୮ରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୫ଜଣ ଗର୍ଭବତୀଙ୍କୁ ଏଚ୍‌ଆଇଭିରେ ଚିହ୍ନଟ କରାଯାଇଛି। ସମ୍ବଲପୁରେ ୧୪, ଖୋର୍ଧାରେ ୧୩, କୋରାପୁଟରେ ୧୨, ମୟୂରଭଞ୍ଜରେ ୯, କେଉଁଝରରେ ୮, କଟକରେ ୬, ନୟାଗଡ଼, ଜଗତସିଂହପୁର, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୫ ଲେଖାଏଁ, ଯାଜପୁର, କଳାହାଣ୍ଡି ଓ ଢେଙ୍କାନାଳରେ ୪ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଏହାଠାରୁ କମ୍‌ ସଂଖ୍ୟକ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ନିକଟରେ ୨୦୧୩ ମସିହା ପର୍ଯ୍ୟନ୍ତ ୧୨ଲକ୍ଷରୁ ଅଧିକ ମହିଳାଙ୍କ ଏଚ୍‌ଆଇଭି ପରୀକ୍ଷା ହୋଇଥିବା ବେଳେ ତହିଁରେ ୧୫୩୯ଜଣ ଗର୍ଭବତୀଙ୍କୁ ଏଚ୍‌ଆଇଭି ଚିହ୍ନଟ କରାଯାଇଥିଲା। ୨୦୧୪ରେ ୨୧୦, ୨୦୧୫ରେ ୧୭୭, ୨୦୧୬ରେ ୧୮୫, ୨୦୧୭ରେ ୨୨୪ରେ ଗର୍ଭବତୀ ଏଚ୍‌ଆଇଭିର ଶିକାର ହୋଇଥିବା ନଜରକୁ ଆସିଛି। ଗତ ୫ବର୍ଷ ମଧ୍ୟରେ ୩୦ଲକ୍ଷରୁ ଅଧିକ ଗର୍ଭବତୀଙ୍କ ଏଚ୍‌ଆଇଭି ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୪୨୯ ଏଚ୍‌ଆଇଭିରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ପ୍ରତିବର୍ଷ ଏଚ୍‌ଆଇଭିରେ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକି ରାଜ୍ୟରେ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର