ସାକ୍ଷୀଗୋପାଳ: ବିଶିଷ୍ଟ ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ସତ୍ୟବାଦୀର କତାଶିଳ୍ପ କାରିଗର ଡଲି ଦାସଙ୍କ ଦ୍ୱାରା ନିର୍ମିତ ଏକ ତାଳଗଛ ଶୋଭାବର୍ଦ୍ଧନ କରିବ। ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବିଶ୍ୱନାଥପୁର ପଞ୍ଚାୟତର ବିଶ୍ୱନାଥପୁର ଗ୍ରାମର କତାଶିଳ୍ପ କାରିଗର ଡଲି ଦାସଙ୍କ ଅନୁଷ୍ଠାନ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥା’ନ୍ତି। ୨୦୨୩ ଡିସେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ତୋଷାଳୀ ମେଳାରେ ସେ ଯୋଗ ଦେଇଥିଲେ। ଏହି ମେଳାରେ ସୁଶ୍ରୀ ଦାସଙ୍କ ବିଭିନ୍ନ କଳାକୃତି ନୀତା ଅମ୍ବାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ପସନ୍ଦ ଆସିବାପରେ ନୀତା ଅମ୍ବାନୀ ଅନ୍ଲାଇନ୍ ମାଧ୍ୟମରେ ସୁଶ୍ରୀ ଦାସଙ୍କୁ ଏକ ତାଳଗଛ ଦେବା ନିମନ୍ତେ ବରାଦ ଦେଇଥିଲେ। ପ୍ରାୟ ୬ମାସ ଧରି ସୁଶ୍ରୀ ଦାସ କତାରେ ଏହି ତାଳଗଛ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଏହା ସମ୍ପୂର୍ଣ୍ଣ ହେବାକୁ ଆଉ ପ୍ରାୟ ଏକ ସପ୍ତାହ ଲାଗିବ। କତା ପାରୁ ଓ ଅଠା, ସୂତା ଦ୍ୱାରା ଏହି ତାଳ ଗଛ ତିଆରି ହୋଇଛି। ଏହି ତାଳଗଛରେ ବାୟା ଚଢ଼େଇ ବସା ମଧ୍ୟ ଶୋଭା ପାଉଛି। ତେବେ, ଏହି ତାଳଗଛର ମୂଲ୍ୟ କେତେ ଜଣାପଡ଼ିନି। ଏହି କଳାକୃତି ନିର୍ମାଣରେ ସୌମ୍ୟଜିତ ଲେଙ୍କା, ମୋନାଲିସା ପ୍ରଧାନ ଓ ସୁନିତା ମହାରଣା ସୁଶ୍ରୀ ଦାସଙ୍କୁ ସହାୟତା କରିଛନ୍ତି। ଖୁବ୍ଶୀଘ୍ର ନୀତା ଅମ୍ବାନୀ ନିଜସ୍ୱ ଉଦ୍ୟମରେ ଏହି ତାଳ ଗଛଟିକୁ ବିଶ୍ୱନାଥପୁର ଗ୍ରାମରୁ ନେବେ ବୋଲି ସୁଶ୍ରୀ ଦାସ ସୂଚନା ଦେଇଛନ୍ତି।