ଅନୁଗୁଳ: ଅତି ବିପଜ୍ଜନକ ସ୍ଥିତି‌ରେ ଅଛି ଅନୁଗୁଳ ବାୟୁର ମାନ। ସପ୍ତାହେ ହେଲା ବାୟୁର ମାନ (ଏୟାର କ୍ବାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ) ଦୁଇ ଶହ ପାଖାପାଖି ରହୁଛି। ଏପରିକି ଗତ ୫ ତାରିଖରେ ଏହା ୨୫୦ ଛୁଇଁଥିଲା। ଏପଟେ ତାଳଚେର ସହରରେ ଏକ୍ୟୁଆଇ ୩ ଶହ ଟପିଲାଣି। ଶୀତ ଆରମ୍ଭରୁ ଏମିତି ଗମ୍ଭୀର ସ୍ଥିତି ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଲାଣି। ପାର୍ବଣ ପରେ ପରେ ଅନୁଗୁଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ। ଶୀତ ବେଳକୁ ଏହା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚେ। ଏଥର କିନ୍ତୁ ଆରମ୍ଭରୁ ବିଗିଡ଼ିଗଲାଣି ବାୟୁର ମାନ। ଖଣିଖାଦାନ, କଳକାରଖାନା ପାଇଁ ଜିଲ୍ଲାରେ ପ୍ରଦୂଷଣ ବୃଦ୍ଧି ପାଉଥିଲାବେଳେ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ଚାଲିଥିବାରୁ ବାୟୁ ପ୍ରଦୂଷଣ ବଢ଼ୁଛି। ରାଜ୍ୟରେ କେନ୍ଦ୍ରସ୍ଥଳରେ ଥିବାରୁ ଜିଲ୍ଲା ଦେଇ ଲକ୍ଷାଧିକ ଗାଡ଼ି ଯିବାଆସିବା କରୁଛି। ପୁଣି ପ୍ରତିଦିନ ହଜାର ହଜାର ଟ୍ରକ୍‌ରେ କୋଇଲା ବୁହା ହେଉଛି। ଏପଟେ ଚଳିତବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରୁ ବର୍ଷା ହୋଇ ନଥିବାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ଗତବର୍ଷ ପାର୍ବଣ ସମୟରେ ଏକ୍ୟୁଆଇ ଶହେ ପାଖାପାଖି ରହୁଥିବାବେଳେ ଏଥର ଏହା ୨ଶହକୁ ବୃଦ୍ଧି ପାଇଛି। ଯାହାକି ଅସ୍ବାସ୍ଥ୍ୟକର ଭାବେ ବିବେଚନା କରାଯାଉଛି।

Advertisment

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ର ତଥ୍ୟ ଅନୁସାରେ, ଆଜି ଅନୁଗୁଳରେ ଏକ୍ୟୁଆଇ ୧୭୩ ରହିଥିଲା। ଗତକାଲି ଏହା ୧୯୬ ରହିଥିଲାବେଳେ ୫ ତାରିଖରେ ୨୫୦ ଥିଲା। ସେହିପରି ଗତ ୨ ତାରିଖରେ ଏକ୍ୟୁଆଇ ୧୩୭ ରହିଥିବା ରେକର୍ଡ କରାଯାଇଛି। ଅକ୍ଟୋବର ଶେଷ ସପ୍ତାହରୁ ଏହି ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଅକ୍ଟୋବର ୨୬ ତାରିଖରେ ଏକ୍ୟୁଆଇ ୧୬୩, ୨୭ ତାରିଖରେ ୨୨୮ ଓ ୨୮ ତାରିଖରେ ୧୮୭ ରହିଥିଲା। ଅକ୍ଟୋବର ୩୦ରେ ଏହା ୧୬୧ ଓ ୩୧ରେ ୨୦୦ ଥିବା ସିପିସିବି ରେକର୍ଡରୁ ଜଣାପଡ଼ିଛି। ଏପଟେ ତାଳଚେର ସ୍ଥିତି ଅଧିକ ଉଦ୍‌ବେଗଜନକ। ଗତ ୭ ତାରିଖରେ ଏହି ସହରରେ ବାୟୁର ମାନ ୩୨୬ ରହିଥିଲା। ମାସ ଆରମ୍ଭରୁ ପ୍ରଦୂଷଣ ଏତେ ବଢ଼ି ନଥିଲାବେଳେ ୭ ତାରିଖର ସ୍ଥିତି ଚିନ୍ତା ବଢ଼ାଇଛି। ଅକ୍ଟୋବର ପହିଲାବେଳକୁ ଏଠ‌‌ାରେ ଏକ୍ୟୁଆଇ ୪୧ ରହିଥିଲାବେଳେ ୧୨ ତାରିଖରେ ଶହେ ଟପି ୧୦୯ରେ ପହଞ୍ଚିଥିଲା। ୧୩ ତାରିଖରେ ଏହା ୧୧୦ ରହିଥିଲା। ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ଆଉ ଆଜି ଏକ୍ୟୁଆଇ ୨୫୬ ରହିଛି। ପୁଣି ଦୁଇଦିନ ପରେ ଦୀପାବଳିରେ କୋଟି କୋଟି ଟଙ୍କାର ବାଣ ଫୁଟିବ। ସହରରୁ ଗାଁ ସବୁ ବାଣ ଧୂଆଁରେ ଛାଇ ହେଇଯିବ। ଆଉ ଏହା ବାୟୁ ପ୍ରଦୂଷଣକୁ ଉଦ୍‌ବେଗଜନକ ସ୍ଥିତିକୁ ନେଇଯିବାର ଆଶଙ୍କା ଜଳ ଜଳ ଦିଶିଲାଣି।

ଏଥିନେଇ ପରିବେଶବିତ୍‌ ପ୍ରସନ୍ନ ବେହେରା କହିଛନ୍ତି ଯେ କଳକାରଖାନା ପାଇଁ ଅନୁଗୁଳରେ ବାୟୁ ପ୍ରଦୂଷଣ ବଢ଼ୁଛି। ଏପଟେ ରାସ୍ତା ଖରାପ ହୋଇଥିବାରୁ ଓ ଖଣି ପାଇଁ ବାୟୁର ମାନ ଖରାପ ହେଉଛି। ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନିଆ ନଗଲେ ଆଗକୁ ଅନୁଗୁଳରେ ରହିବା ସମ୍ଭବ ହେବନି। ସେହିପରି ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନର ‘ସାଥୀର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ଗୋଟିଏ ପଟେ ଜଙ୍ଗଲ କଟା ହେଉଥିଲାବେଳେ ଅନ୍ୟପଟରେ ଖଣିଖାଦାନ ବଢ଼ୁଛି। ପୁଣି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସଚେତନତାର ଅଭାବ ରହିଛି। ତେଣୁ ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି ବୋଲି ସେ କହିଛନ୍ତି।