ଦିନତମାମ ଗୃହ ସରଗରମ: ଶ୍ରୀମନ୍ଦିର ସୁରକ୍ଷା ନେଇ ଉଦ୍‌ବେଗ, ଖଣି ପାଇଁ ଝଡ଼

ପାଣି ସଙ୍କଟ ନେଇ ଅସନ୍ତୋଷ, ଗୃହ କମିଟି ପାଇଁ ବିରୋଧୀଙ୍କ ଦାବି, ସରକାର ବି ରାଜି

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଉଭୟ ବିଜେପି ଓ କଂଗ୍ରେସ ସଭ୍ୟ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କରିବାକୁ ଜିଦ୍ ଧରିଥିଲେ। ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହ ତିନି ଥର ମୁଲତବୀ ରହିଥିଲା। ଯଦିଓ ଶ୍ରୀମନ୍ଦିର ପ୍ରତି କିଛି ବିପଦ ନାହିଁ ବୋଲି ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି, ତଥାପି ଗୃହ କମିଟି ଗଠନ କରାଯିବ ବୋଲି ସମ୍ମତି ଜଣାଇଛନ୍ତି।

ଆଜି ଶୂନ୍ୟକାଳରେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିର ଏବେ ବିପଦରେ। ମନ୍ଦିର ଚାରିପଟେ ବିକାଶ କାର୍ଯ୍ୟ ଚାଲିଛି। ଐତିହ୍ୟ କରିଡର୍‌ ପାଇଁ ଠିକା ନେଇଥିବା କମ୍ପାନି ଏବେ ଜେସିବି ଲଗାଇ ମନ୍ଦିର ଚାରିପଟେ ବଡ଼ ବଡ଼ ଗାତ ଖୋଳିବାରୁ ମନ୍ଦିରରେ ଫାଟ ଦେଖାଦେଲାଣି। ଏଏସ୍‌ଆଇ ପକ୍ଷରୁ କୁହାଯାଉଛି ଯେ ବିନା ଅନୁମତିରେ ରାଜ୍ୟ ସରକାର କାମ କରୁଛନ୍ତି। ଶ୍ରୀମନ୍ଦିର ପ୍ରତି ବିପଦ ଆସିଲେ ସରକାର ଦାୟୀ ରହିବେ। ବିକାଶ କାର୍ଯ୍ୟକୁ ଆମେ ବିରୋଧ କରୁନୁ। ହେଲେ ମନ୍ଦିର ସୁରକ୍ଷା ଜରୁରୀ। ତେଣୁ ବାଚସ୍ପତି ଗୃହ କମିଟି ଗଠନ କରନ୍ତୁ। କମିଟି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ। ବିଜେପି ବିଧାୟକ ଦଳର ମୁଖ୍ୟ ସେଚେତକ ମୋହନ ମାଝୀ ଓ ବିଜେପି ସଦସ୍ୟ ଭାସ୍କର ମଢ଼େଇ ମଧ୍ୟ ସମାନ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଭାଗୀୟ ମନ୍ତ୍ରୀ ବିବୃତି ଦେବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ସେ କହିଥିଲେ ଯେ ଆମେ ଯାହା କହୁଛୁ ଖାଲି ରେକର୍ଡ ରଖିଦେଲେ ହେବ ନାହିଁ। ଓଡ଼ିଶାର ପରିଚୟ ହେଉଛି ଜଗନ୍ନାଥ ଧାମ। ବର୍ତ୍ତମାନ ଏଏସ୍‍ଆଇର ବିନାନୁମତିରେ କାର୍ଯ୍ୟ ଚାଲିଥିବା କୁହାଯାଉଛି। ଏହା ସତ୍ୟ ହୋଇଥିଲେ ସାଂଘାତିକ। ବିକାଶ କାର୍ଯ୍ୟକୁ ସମସ୍ତେ ସମର୍ଥନ କରୁଛନ୍ତି। କିନ୍ତୁ ବିକାଶ ନାଁରେ ବିନାଶ ନ ହେଉ। ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଭୟଙ୍କର ସ୍ଥିତି ଉପୁଜିବ। ତେଣୁ ବାଚସ୍ପତି ଏ ସଂକ୍ରାନ୍ତରେ ଏକ ଗୃହ କମିଟି ଗଠନ କରନ୍ତୁ। ମନ୍ତ୍ରୀ ଉତ୍ତର ଦେଲେ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର ହୋଇଯିବ। ଶ୍ରୀ ମିଶ୍ର ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରି ନିଜ ଆସନରେ ଛିଡ଼ା ହୋଇ ରହିଥିଲେ। ତେବେ ବାଚସ୍ପତି ଏହି ପ୍ରସଙ୍ଗରେ ମତ ରଖିବେ ବୋଲି କହିଥିଲେ। ହେଲେ ତୁରନ୍ତ ରୁଲିଂ ଦାବିରେ ବିଜେପି ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ବାଚସ୍ପତି ପ୍ରଥମେ ୨୦ ମିନିଟ୍ ଓ ପରେ ଆଉ ୧୫ ମିନିଟ୍‌ ଗୃହକୁ ମୁଲତବୀ ରଖିଥିଲେ। ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ କହିଥିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଗୃହରେ ସଂକଳ୍ପ ପାରିତ ହୋଇଥିଲା। ଏହି କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ଚାଲିଥିବା ପରିକ୍ରମା ପ୍ରକଳ୍ପ ଦ୍ବାରା ଦ୍ବାରା ଶ୍ରୀମନ୍ଦିରର କୌଣସି କ୍ଷତି ହେବାର ଆଶଙ୍କା ନାହିଁ। ବିରୋଧୀ ଦଳ ଗୃହ କମିଟି ଗଠନ ପାଇଁ ଦାବି କରୁଛନ୍ତି। ଏଥିରେ ସରକାରଙ୍କ କୌଣସି ଆପତ୍ତି ନାହିଁ। ୩୧ ତାରିଖରେ ବିଧାନସଭାର ବିଭିନ୍ନ କମିଟି ଗଠନ ହେବ। ସେହିଦିନ ଶ୍ରୀମନ୍ଦିର ପାଇଁ ଗୃହ କମିଟି ଗଠନ ନିମନ୍ତେ ବାଚସ୍ପତି ପଦକ୍ଷେପ ନେଇପାରିବେ।

ଖଣି ପାଇଁ ଝଡ଼

ଭୁବନେଶ୍ବର: ବିଧାନସଭାରେ ଆଜି ଖଣି ଦୁର୍ନୀତି ଝଡ଼ ବହିଥିଲା। କଂଗ୍ରେସ ପକ୍ଷରୁ ‘ଖଣି ଉତ୍ତୋଳନ ଓ ପରିବହନରେ ଦୁର୍ନୀତି’ ଶୀର୍ଷକ ମୁଲତବୀ ଆଲୋଚନା ପ୍ରସ୍ତାବ ଗ୍ରହଣ ନ ହେବାରୁ କଂଗ୍ରେସ ସଭ୍ୟମାନେ ଖପା ହୋଇଥିଲେ। ରାଜ୍ୟ ସରକାର ଖଣି ଦୁର୍ନୀତିରେ ସଂପୃକ୍ତ ଥିବାରୁ ଆଲୋଚନା ପାଇଁ ଡରୁଛନ୍ତି ବୋଲି ଆରୋପ ଲଗାଇଥିଲେ। ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ଅଭିଯୋଗ କରି ହୋହଲ୍ଲା କରିଥି‌ଲେ।

ଆଜି ଶୂନ୍ୟକାଳରେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ୧୦୪ ଖଣି ମାଲିକ ଓଡ଼ିଶାକୁ ଲୁଟି ଖାଇଛନ୍ତି। ସେମାନେ ଅଧିକ ଖଣି ଉତ୍ତୋଳନ କରିଛନ୍ତି। ସେମାନଙ୍କ ଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ବେ ସରକାର ତାହା ଶୁଣୁ ନାହାନ୍ତି। ବରଂ ସେମାନଙ୍କ ହାତକୁ ଅଧିକ ଖଣି ଟେକି ଦେଇଛନ୍ତି। ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବାଲି ମାଫିଆ ପ୍ରଶାସନ ସହ ହାତ ମିଳାଇ ହଜାର ହଜାର କୋଟି ଟଙ୍କାର ବାଲି ଉଠାଉଛନ୍ତି। ଖଣି ମାଲିକମାନଙ୍କ ଠାରୁ ବିଜେଡି ମୋଟା ଅଙ୍କର ଟଙ୍କା ନେଉଛି। ନଚେତ ନିର୍ବାଚନରେ ଏତେ ଟଙ୍କା ଦଳ ପାଇଥା’ନ୍ତା କେଉଠୁ? ରାଜ୍ୟରେ ଖଣି ହରିଲୁଟ୍‌କୁ ରୋକିବା ପାଇଁ ପଦକ୍ଷେପ ନିଆଯାଉ। ସନ୍ତୋଷ ସିଂହ ସାଲୁଜା ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ତିନି ବର୍ଷ ହେଲା ଖଣି ଆଲୋଚନା ପାଇଁ ଆମେ କହୁଥିଲେ ବି ତାହା ଗ୍ରହଣ ହେଉନି। ସରକାର ଖଣିବାଲାଙ୍କ ପକେଟ୍‌ରେ ଅଛନ୍ତି। ସେଥି ପାଇଁ ଆଲୋଚନାକୁ ଡରୁଛନ୍ତି।

ଅପରାହ୍ନରେ ଗୃହ କାର୍ଯ୍ୟ ଚାଲିଥିଲା ବେଳେ କଂଗ୍ରେସ ସଭ୍ୟମାନେ ଖଣି ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଓ ଗୃହ‌ରେ ଆଲୋଚନା ଦାବି କରି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ। ଏହାରି ମଧ୍ୟରେ ବାଚସ୍ପତି ବିଭିନ୍ନ ବିଲ୍‌ ଉପରେ ଆଲୋଚନା ଜାରି ରଖିଥିଲେ। ଫଳରେ କଂଗ୍ରେସ ସଭ୍ୟମାନେ ଉତ୍‌କ୍ଷିପ୍ତ ହୋଇ ନାରାବାଜି କରିଥିଲେ। ହୋହଲ୍ଲା ମଧ୍ୟରେ ବିଲ୍‌ ଉପରେ ଆଲୋଚନା କରି ପାରିତ କରାଯାଉଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ ଯେ ଗୃହ ସ୍ବାଭାବିକ ନ ଥିଲା ‌ବେଳେ କୌଣସି ବିଲ୍ ଉପରେ ଆଲୋଚନା କରାଯିବା ଉଚିତ ନୁହେଁ। ମୁଁ ବିଲ୍‌ ଆଲୋଚନାରେ ଭାଗ ନେବାକୁ ଚାହୁଁଛି। ଆପଣ ଗୃହକୁ ସ୍ବାଭାବିକ କରାନ୍ତୁ। ବିଧାୟକମାନଙ୍କର ଯଦି କିଛି ଅଭିଯୋଗ ରହିଛି, ଆପଣ ସେମାନଙ୍କୁ ଚାମ୍ବର୍‌କୁ ଡାକି ଆଲୋଚନା କରନ୍ତୁ। ୫/୧୦ ମିନିଟ୍‌ ଗୃହକୁ ମୁଲତବୀ ରଖି ଆଲୋଚନା କଲେ ଅସୁବିଧା କ’ଣ?

ବାଚସ୍ପତି କହିଥିଲେ, ଆପଣଙ୍କର ତ ଗୋଟିଏ ଦାବି ପୂରଣ ହେଲା। ଶ୍ରୀମନ୍ଦିର ସଂକ୍ରାନ୍ତରେ ମନ୍ତ୍ରୀ ବିବୃତି ଦେଲେ ଓ ଗୃହ କମିଟି ଗଠନ ହେବ। ପୁଣି କାହିଁକି ସଭ୍ୟମାନେ ହୋହଲ୍ଲା କରୁଛନ୍ତି। ସେମାନେ ନିଜ ନିଜ ଆସନକୁ ଆଗେ ଯା’ନ୍ତୁ। ବାଚସ୍ପତି ଆଉ କହିବାକୁ ସ‌ୁଯୋଗ ନ ଦେଇ ବିଲ୍‌ ଉପରେ ଆଲୋଚନା ଜାରି ରଖିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତାରା ବାହିନୀପତି ଚେୟାର ଟେକି ବାଚସ୍ପତିଙ୍କ ପୋଡିୟମ୍ ବାଡ଼େଇଥିଲେ। ବାଚସ୍ପତିଙ୍କ ସୁରକ୍ଷା କର୍ମୀମାନେ ଚେୟାରକୁ ଧରି ନେଇଥିଲେ। ଏହା ପରେ ତାରା ପୋଡିୟମ୍ ଉପରକୁ ଇୟର୍‌ଫୋନ୍ ଫିଙ୍ଗିଥିଲେ। ତାରାଙ୍କୁ ବାଚସ୍ପତି କହିଥିଲେ, ଆପଣ ଜଣେ ବରିଷ୍ଠ ସଭ୍ୟ। ଏମିତି ନ ହୋଇ ଆସନକୁ ଯା’ନ୍ତୁ। କିନ୍ତୁ କଂଗ୍ରେସ ସଭ୍ୟମାନେ ହୋହଲ୍ଲା ଜରି ରଖିଥିଲେ। ବାଚସ୍ପତି କିଛି ନ ଶୁଣିବାରୁ ସେମାନେ କକ୍ଷତ୍ୟାଗ କରିଥିଲେ।

ପାଣି ସଙ୍କଟ ନେଇ ଅସନ୍ତୋଷ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପ୍ରତି ଘରକୁ ପାଣି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟ‌େର ସରୁନି। ଏପ‌େଟ ‌େଯଉଁ ଅଞ୍ଚଳରେ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ସେଠାରେ ନଳକୂପ ଖୋଳାଯାଉନି। ଲୋକ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ‌କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ନଳକୂପ ଖୋଳିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ।

ବିଧାୟକମାନଙ୍କର ଅଭିଯୋଗକୁ ମନ୍ତ୍ରୀ ସ୍ବୀକାର କରିଥିଲେ। ପ୍ରକଳ୍ପ କାମ ବିଳମ୍ବ ହେବା ପାଇଁ କୋଭିଡ୍‌, ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତିରେ ବିଳମ୍ବକୁ ଦାୟୀ କରିଥିଲେ।
ଶାସକ ଦଳର ସଭ୍ୟ ଅମର ପ୍ରସାଦ ଶତପଥୀ ଓ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ପ୍ରଶ୍ନକାଳର ଅର୍ଦ୍ଧାଧିକ ସମୟ ଏହି ପ୍ରଶ୍ନରେ ହିଁ ସରିଥିଲା। ବହୁ ବିଧାୟକ ନିଜ ନିଜ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବଡ଼ଚଣା ବ୍ଲକ୍‌ରେ ଚାଲୁ ରହିଥିବା ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ କାହିଁକି ହେଉଛି ବୋଲି ଶ୍ରୀ ଶତପଥୀ ପଚାରିଥିଲେ। ଜୟପୁର ଉପଖଣ୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଥିବା ନେଇ ଶ୍ରୀ ବାହିନୀପତି ପ୍ରଶ୍ନ କରିଥିଲେ। କିନ୍ତୁ ମନ୍ତ୍ରୀ ଏହାକୁ ସ୍ବୀକାର କରି ନ ଥିଲେ। ଜୟପୁର ଉପଖଣ୍ଡ ଅଧୀନରେ ଥିବା ଗ୍ରାମାଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଯାଇ ନାହିଁ ବୋଲି କହିଥିଲେ। ଏହାର ପ୍ରତିବାଦ କରିଥିଲେ ତାରା। ସେ କହିଥିଲେ ଯେ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ମନ୍ତ୍ରୀଙ୍କୁ ଏପରି ବିଭ୍ରାନ୍ତିକର ରିପୋର୍ଟ ଦେଇଥିବା ଅଧିକାରୀଙ୍କୁ ଡାକି ପଚରାଯାଉ। ୨୦୧୮-୧୯ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପର କାର୍ଯ୍ୟ ଏ ଯାଏ ସରୁନି। ବିଧାୟକମାନଙ୍କୁ ଅତି କମ୍‌ରେ ୩୦ଟି ନଳକୂପ ଖୋଳିବା ପାଇଁ ସୁପାରିସ୍‌ କରିବାର କ୍ଷମତା ଦିଆଯାଉ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ କେଉଁ କେଉଁ ପାନୀୟ ଜଳ ପ୍ରକଳ୍ପ କେବେ ସରିବ ସେ ସମ୍ପର୍କରେ ପଚାରିଥିଲେ। କିଛି ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଶାସକ ଦଳ ସଭ୍ୟ ପ୍ରଦୀପ ଅମାତ କହିଥିଲେ ଯେ ବୌଦ୍ଧରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ କାମ ତିନି ବର୍ଷ ହେଲା ସରୁନି। ଯେଉଁଠି ପ୍ରକଳ୍ପ କାମ ଚାଲୁଛି ସେହି ଅଞ୍ଚଳରେ ନଳକୂପ ଖୋଳିବାକୁ ଅନୁମତି ଦିଆଯାଉ ନାହିଁ। କାମ ସରିବା ପର୍ଯ୍ୟନ୍ତ ନଳକୂପ ପାଇଁ ଅନୁମତି ଦେବା ଆବଶ୍ୟକ। ବିଜେପି ସଭ୍ୟ ସନାତନ ବିଜୁଳି ମଧ୍ୟ ସମାନ ଅଭିଯୋଗ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ କୌଣସି ଗୋଟିଏ ଗାଁର ଲୋକ ପିଇବା ପାଣି ପାଇଁ ହଇରାଣ ହେବେନି। ସେଥିପାଇଁ ସବୁ ପ୍ରକାର ପଦ‌କ୍ଷେପ ସରକାର ନେଉଛନ୍ତି। ବିଧାୟକମାନେ ପ୍ରସ୍ତାବଦେଲେ ନଳକୂପ ଖୋଳିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ପେଭର୍‌ ବ୍ଲକ୍‌ ରାସ୍ତା ମଧ୍ୟ ଖୋଳାଯାଇ ପାଇପ୍‌ ଯିବ। ଯଦି କୌଣସି ସଂସ୍ଥା କାମ କରୁନି, ତେବେ ତାହା ବିଭାଗର ନଜରକୁ ଆସିଲେ ପଦକ୍ଷେପ ନିଆଯିବ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରମେଶ ଚନ୍ଦ୍ର ବେହେରା, ଭାସ୍କର ମଢ଼େଇ ଓ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର