ବାଲେଶ୍ବରରେ ଏମ୍‌ସ ଓପିଡି ସେବା ପୁଣି ୨ ମାସ ଘୁଞ୍ଚିଲା: ଭିତ୍ତିଭୂମି ତଦାରଖ କଲେ ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶକ

ହସ୍‌ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପରେ ମିଳିବ ବିଶ୍ବସ୍ତରୀୟ ଚିକିତ୍ସା

ବାଲେଶ୍ବର: ବହୁ ପ୍ରତୀକ୍ଷିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ବାଲେଶ୍ବର ଶାଖା (ଏମ୍‌ସ ସାଟେଲାଇଟ୍ ସେଣ୍ଟର)ରୁ ଚିକିତ୍ସାସେବା ପାଇବା ଲାଗି ଲୋକଙ୍କୁ ଆହୁରି ୨ ମାସ ଅପେକ୍ଷା କରିବାକୁ ପଡ଼ିବ। ବୁଧବାର ଏମ୍‌ସ ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମୁକେଶ ତ୍ରିପାଠୀ, ଅଧୀକ୍ଷକ ପ୍ରଫେସର ଡା.ସଚ୍ଚିଦାନନ୍ଦ ମହାନ୍ତି, ପ୍ରଫେସର ଡାକ୍ତର ଅଶୋକ କୁମାର ଜେନା, ପ୍ରଫେସର ଡାକ୍ତର ସରୋଜ ଦାସ ମଜୁମଦାର, ପ୍ରଫେସର ଡାକ୍ତର ମୁକୁନ୍ଦଚନ୍ଦ୍ର ସାହୁ, ଇଂ.କେପି ମିଶ୍ର, ଇଂ. ବିବି ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଏକ ବୈଷୟିକ ଦଳ ସାଟେଲାଇଟ୍ ସେଣ୍ଟର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି।

ଏମ୍‌ସ ନିର୍ଦ୍ଦେଶକ ପ୍ରଫେସର ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବର୍ହିବିଭାଗ ବିଲ୍‌ଡିଂରେ ମେଡିକାଲ ଉପକରଣ ଓ ଅନ୍ୟାନ୍ୟ ସରଞ୍ଜାମଗୁଡ଼ିକର ପରୀକ୍ଷଣ କରାଯିବ। କରୋନା ସମୟରୁ ବନ୍ଦ ରହିଥିବା ସାପ୍ତାହିକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆସନ୍ତା ସପ୍ତାହ କିମ୍ବା ତାପର ସପ୍ତାହଠାରୁ ଏହି ବିଲ୍‌ଡିଂରେ ଆରମ୍ଭ ହୋଇଯିବ। ତେବେ ସାଟେଲାଇଟ୍‌ ସେଣ୍ଟର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଆହୁରି ୨ ମାସ ସମୟ ଲାଗିବ ବୋଲି ନିର୍ଦ୍ଦେଶକ ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି। ୩୦୦ ଶଯ୍ୟା ବିଶିଷ୍ଟ ମଲ୍‌ଟି ସ୍ପେଶାଲିଟି ହସ୍‌ପିଟାଲର ନିର୍ମାଣ କାମ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଶେଷ କରା‌ଯିବ। ସାଟେଲାଇଟ୍ ସେଣ୍ଟର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଅନୁଦାନ ଆସିଥିବା ବେଳେ ଓପିଡି ବିଲ୍‌ଡିଂ ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ ୨୮.୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ବର୍ହିବିଭାଗରେ ଓପିଡି ସେବା ପାଇଁ ଷ୍ଟାଫନର୍ସ, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମଚାରୀଙ୍କ ନିଯୁକ୍ତି ସରିଥିବାବେଳେ କେବଳ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ବାକି ରହିଛି। ୨୪ ଜଣ ଡାକ୍ତରଙ୍କ ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨ ଜଣ ଡାକ୍ତର ଆବେଦନ କରିଛନ୍ତି। ସେଥିଲାଗି ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବା ‌ନିର୍ଦେଶକ କହିଛନ୍ତି।

ସାଟେଲାଇଟ୍‌ ସେଣ୍ଟର ପାଇଁ ସ୍ଥାନୀୟ ଡାକ୍ତରମାନଙ୍କ ନିଯୁକ୍ତିକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ସୁପରିନ୍‌ଟେଣ୍ଡେଣ୍ଟ ପ୍ରଫେସର ମହାନ୍ତି କହିଥିଲେ। ପୂର୍ବରୁ ବାଲେଶ୍ବର ସହର ଡିଫେନ୍‌ସ କଲୋନିରେ ଅସ୍ଥାୟୀ ଓପିଡି ସେବା ଚାଲିଥିବା ବେଳେ କୋଭିଡ୍‌ ପରଠାରୁ ୨ ବର୍ଷ ହେଲା ଏହା ବନ୍ଦ ରହିଛି। ତେବେ ଏହି ସାଟେଲାଇଟ୍‌ ସେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଗଲେ ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ରୋଗୀମାନେ ଏଠାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି।

ଏମ୍‌ସ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଆସିଥିବା ଟେକ୍‌ନିକାଲ ଟିମ୍‌କୁ ବାଲେଶ୍ବର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟି ସ୍ବାଗତ କରିବା ସହ ସ୍ବାସ୍ଥ୍ୟସେବା ପ୍ରସଙ୍ଗରେ ଆଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟିର ଦାବି କ୍ରମେ ଓପିଡି ବର୍ହିବିଭାଗରେ ହୃଦ୍‌ରୋଗ ଓ ସ୍ନାୟୁରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି କରାଯିବ ବୋଲି ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିବା କମିଟି ସୂତ୍ରରୁ ଜଣାଯାଇଛି। ଆଲୋଚନା ସମୟରେ କମିଟିର ସଭାପତି ମମତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଅନନ୍ତ କୁମାର ପ୍ରଧାନ, ସୁବ୍ରତ କର, ଅର୍ଚ୍ଚନା ନନ୍ଦୀ, ସୁଶ୍ରୀ ଗୀତାଞ୍ଜଳି ସିଂ, ସରସ୍ବତୀ ପଣ୍ତା, ଦୁଷ୍ମନ୍ତ ଦାସ, ରମେଶ ଜେନା, ଯୋଗେଶ ପ୍ରଧାନ, ମିନତୀ ପାତ୍ର, ରବିନାରାୟଣ ଭୋଳ, ଜୟନ୍ତୀ ମହାନ୍ତି, ଜଗତାନନ୍ଦ ବିଶ୍ବାଳ, ବିଧାନ ରାୟ, ସେଖ୍ କରିମୁଦ୍ଦିନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର