ରାଉରକେଲା/ସୁନ୍ଦରଗଡ଼: କୋଇଲା ବ୍ୟବସାୟୀ, ଶିଳ୍ପପତି ଘନଶ୍ୟାମ ଡାଲମିଆ ଓରଫ ବଣ୍ଟିଙ୍କ ଠିକଣାରେ ଆୟକର ବିଭାଗ ଚଢ଼ଉ ଚତୁର୍ଥ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ବଣ୍ଟିଙ୍କ ସୁନ୍ଦରଗଡ଼ ଗୋପାଳପୁର, ବିଲେଇମୁଣ୍ଡା ସମେତ ରାଉରକେଲା ଉଦିତନଗର ଓ ସିଭିଲ୍‌ ଟାଉନସିପ୍‌ରେ ଥିବା ସମ୍ପର୍କୀୟ, ସହଯୋଗୀଙ୍କ ଘରୁ ବିପୁଳ ନଗଦ ଟଙ୍କା ଓ ୩ କେଜି ସୁନା ଜବତ ହୋଇଛି। ଅନ୍ୟପଟେ ବିଲେଇମୁଣ୍ଡା, ଗୋପାଳପୁର ଓ ଏମ୍‌ସିଏଲ୍‌ ସାଇଟ୍‌ରେ ଚଢ଼ଉ କରିଥିବା ଆୟକର ଟିମ୍‌ ଶନିବାରଠାରୁ ୨ ଦିନହେଲା ବଣ୍ଟିଙ୍କ କୋଇଲା କଳା ବେପାରର ହିସାବ ଖୋଜୁଥିବା ସୂଚନା ଆସିଛି। ଶନିବାର ଏକ ଟିମ୍‌ ଏମ୍‌ସିଏଲ୍‌ ଖଣିକୁ ଯାଇ ବଣ୍ଟିଙ୍କ କୋଇଲା ପରିବହନ ଯାଞ୍ଚ କରିବା ସହ ୱେ ବ୍ରିଜଗୁଡ଼ିକର ହିସାବ ଓ ଓଜନ ପ୍ରକ୍ରିୟାକୁ ନିରୀକ୍ଷଣ କରିଥିଲା। କିଛି ୱେ ବ୍ରିଜ୍‌ରେ ଓଜନ ୪ ଟନ୍‌ କମ୍‌ ରହୁଥିବା ଦେଖିବା ପରେ ଖଣିରୁ ପ୍ରତିଟି ଟ୍ରିପ୍‌ରେ ସେହି ପରିମାଣର ଅଧିକ କୋଇଲା ଚାଲାଣ ହେଉଥିବା ଦର୍ଶାଇ ପଚରାଉଚରା କରିଥିଲା। ୱେ ବ୍ରିଜ୍‌ ଦେଇ ପ୍ରତି ଟ୍ରିପରେ ୪ ଟନ୍‌ ଅଧିକ କୋଇଲା ଚାଲାଣ ହେଉଥିବାବେଳେ ଦିନକୁ ବଣ୍ଟି ଡାଲମିଆଙ୍କ କେତେ ଟ୍ରିପ କୋଇଲା ବାହାରକୁ ଆସିଛି ଓ ସେଥିରେ କେତେ ଟନ୍‌ ଅଧିକ ଆସିଛି ତାର ହିସାବ ନେଇଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗରେ ବଣ୍ଟିଙ୍କ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ବଣ୍ଟି କୋଇଲା ଚୋରି ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଥିଲେ।