ପଦାକୁ ଆସିଲା ଅବକାରୀ କର୍ମଚାରୀଙ୍କ କଲ୍‌ ରେକର୍ଡିଂ: ‘ଚାନ୍ଦା ଦିଅ, ଚୋରା ମଦ କାରବାର କର’

ନୟାଗଡ଼ : ଚୋରା ମଦ କାରବାରକୁ ରୋକିବା ଅବକାରୀ ପୁଲିସର କାମ ହୋଇଥିବା ବେଳେ ଖୋଦ୍‌ ଅବକାରୀ ପୁଲିସ ପ୍ରୋତ୍ସାହନ‌ରେ ନୟାଗଡ଼ରେ ଚାଲିଛି ଚୋରା ମଦ କାରବାର। ମାସକୁ ମାସ ଚାନ୍ଦା ନେଇ ଅବକାରୀ ପୁଲିସ କିଭଳି ଚୋରା ମଦ କାରବାର କରିବାକୁ ‌ପ୍ରୋତ୍ସାହନ ଦେଉଛି, ତା’ର ପ୍ରମାଣ ‘ସମ୍ବାଦ’ ନିକଟରେ ପହଞ୍ଚିଛି। ଜଣେ ଚୋରା ମଦ ବେପାରୀ ସହିତ ନୟାଗଡ଼ ଅବକାରୀ ସଦର ଥାନାର ସବ୍‌ଇନ୍ସପେକ୍ଟର(ଏସ୍‌ଆଇ) ହଟିଆ ବେହେରା, କନେଷ୍ଟବଳ ପ୍ରଦୀପ ନାୟକଙ୍କ ବାର୍ତ୍ତାଳପ ପଦାକୁ ଆସିଛି। କେତେବେଳେ କନେଷ୍ଟବଳ ତ କେତେବେଳ ସବ୍‌ଇନ୍ସପେକକ୍ଟର ଶ୍ରୀ ବେହେରା ଜଣେ ଚୋରା ମଦ ବେପାରୀ ସହିତ ଚାନ୍ଦା ନେଇ ଆଲୋଚନା କରୁଛନ୍ତି।

ଆଲୋଚନାରୁ ଜଣାପଡ଼ୁଛି ଯେ, କନେଷ୍ଟବଳ, ଏସ୍‌ଆଇଙ୍କ ପାଇଁ ମଧ୍ୟସ୍ଥି ସାଜିଛନ୍ତି। ବେଆଇନ ଦେଶୀ ମଦ ପ୍ରସ୍ତୁତ କରୁଥିବା ବେପାରୀଙ୍କୁ ଯାଇ ଏସ୍‌ଆଇ ଭେଟୁଥିବା, ଚାନ୍ଦା ନେଇ ମୂଲଚାଲ କରୁଛନ୍ତି। ମନ ପସନ୍ଦର ଚାନ୍ଦା ନ ମିଳିଲେ ଚଢାଉ ହେବ ବୋଲି ବି ଖୁଲୁମଖୁଲା ଚେତାବନୀ ଦେଉଛନ୍ତି। ଏସ୍‌ଆଇ ଶ୍ରୀ ବେହେରା, କନେଷ୍ଟବଳ ଶ୍ରୀ ନାୟକ, ଜଣେ ଚୋର ମଦ ବେପାରୀ ଗୋଟିଏ ସ୍ଥାନରେ ବସି କଥା ହେଉଥିବା ରେକର୍ଡିଂରୁ ଜଣାପଡ଼ୁଛି। କଥାବାର୍ତ୍ତା ବେଳେ କେଉଁ ଅଞ୍ଚଳକୁ ଚୋରା ମଦ ପଠାଇବ, କେଉଁଠି ଭାଟି କରିବ, କିଭଳି ଅନ୍ୟ ମଦ ବେପାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି, ସେ ନେଇ ମଧ୍ୟ ଶ୍ରୀ ବେହେରା କହୁଥିବା ଶୁଣିବାକୁ ମିଳିଛି। କେବଳ ଏତିକି ନୁହେଁ, ତମେ ଲାଇସେନ୍ସ ନେଇ ଦୋକାନ କର। ଏନେଇ ଆମକୁ ଖର୍ଚ୍ଚପାଣି ଦିଅ। କିଛି ସମସ୍ୟା ହେବନି, କ୍ରାଇମ୍‌ ପିଲା(ଗୁଣ୍ଡା) ବି ଆମେ ଯୋଗାଇ ଦେବୁ। କେହି କିଛି କହିବେ ନାହିଁ। କହିବା ପୂର୍ବରୁ ସଫା ହେଇଯାଇଥିବେ ବୋଲି ଶ୍ରୀ ବେହେରା ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳିଛି। କନେଷ୍ଟବଳ ଶ୍ରୀ ନାୟକଙ୍କରୁ ୧୦ରୁ ଅଧିକ ଅଡିଓ ପଦାକୁ ଆସିଥିବା ବେଳେ ବିଭିନ୍ନ ବାହାନରେ ‌ଚାନ୍ଦା ନେଉଥିବା, ଏସ୍‌ଆଇଙ୍କୁ ନେଇ ଦେଉଥିବା ଏଥିରୁ ସ୍ପଷ୍ଟ ହେଉଛି।

ତେବେ କନେଷ୍ଟବଳ ଶ୍ରୀ ବେହେରା ଏହି ରେକର୍ଡିଂକୁ ଅଗ୍ରାହ୍ୟ କରିଛନ୍ତି। ସେ କହିଛନ୍ତି, ‘ରେକର୍ଡିଂ ପଠାନ୍ତୁ, ମୁଁ କାହା ସହିତ ଏଭଳି କଥା ହୋଇନାହିଁ। କେହି ଏଡିଟ୍‌ କରି ଏଭଳି କରିଥାଇପାରେ।’ ଏ ନେଇ ଏସ୍‌ଆଇ ଶ୍ରୀ ବେହେରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିବା ବେ‌ଳେ ସେ ଫୋନ୍‌ ଉଠାଇ ନାହାନ୍ତି। ଅନ୍ୟପକ୍ଷରେ ଅବକାରୀ ଅଧୀକ୍ଷକ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ କହିଛନ୍ତି, ‘ଏଭଳି ଅଡିଓ ବିଷୟରେ ମୁଁ ଖବର ପାଇଛି। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।’

ସମ୍ବନ୍ଧିତ ଖବର