ତେଲକୋଇରେ ମାଈହାତୀର ମୃତ୍ୟୁ ଘଟଣା: ଅଭିଯୁକ୍ତ ଗିରଫ

ତେଲକୋଇ/ କେନ୍ଦୁଝର: ଏକ ମାଈହାତୀର ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଚଗୁଲୁ ପାତ୍ର(୨୨) ଏବଂ ତାର ଘର ତେଲକୋଇ ଥାନାର ଶିମି‌ଳିପାଳ ଗାମରେ ବୋଲି ଜଣାଯାଇଛି। ବନବିଭାଗ ପକ୍ଷରୁ ତଦନ୍ତ ପରେ ଚଗୁଲୁ ପାତ୍ରକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି। ତା ନକଟରୁ ଏକ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରାଯାଇଛି।


ସୂଚନାଯୋଗ୍ୟ, କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍ର କୁଳିଆପାଳ ନିକଟରୁ ଏକ ମାଈହାତୀ ଓ ଏକ ହାତୀ ଶାବକର ଗଳିତ ମୃତଦେହ ଠାବ ହୋଇଥିଲା। କିଛିଦିନ ଧରି କୁଳିଆପାଳ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏକ ମାଈ ଏବଂ ଛୁଆହାତୀର ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଖବର ପାଇ ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓ, କେନ୍ଦୁଝର ଡିଏଫ୍ଓ ଏଚ ଡି ଧନରାଜ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁଇହାତୀଙ୍କ ମୃତ୍ୟୁ କିଛିଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଥିଲା। ମାଈ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ବେଳେ ପେଟରୁ ଏକ ତୀର ବାହାରିଥିଲା। ହାତୀକୁ କେହି ତୀର ମାରି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ପରିବେଶବିତଙ୍କ କହିବା କଥା ହେଲା, ମାଈହାତୀଟି ପୂର୍ବରୁ ହାତୀପଲରେ ଥିଲା। ହାତୀପଲରେ ଥିବା ଦନ୍ତାକୁ ଶିକାର କରିବାପାଇଁ କେହି ଉଦ୍ୟମ କରିଥିଲା। ମରାଯାଇଥିବା ତୀର ଦନ୍ତା ଦେହରେ ନ ବାଜି ମାଈହାତୀଠାରେ ବାଜିଥିଲା। ଫଳରେ ତା’ର ମୃତ୍ୟୁ ଘଟିଥିଲା। ଛୁଆହାତୀଟି ଖାଦ୍ୟ ନ ପାଇ ପ୍ରାଣ ହରାଇ ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା।

ସମ୍ବନ୍ଧିତ ଖବର