ପାଟପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଛଣମେରି ପଞ୍ଚାୟତ ଧର୍ମପୁର ଗ୍ରାମରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣର ବାହାରକୁ ଚାଲିଯାଇଛି। ଗତକାଲି ଝାଡ଼ାବାନ୍ତିରେ ଆକ୍ରାନ୍ତ ପରି ଗୌଡ଼ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି କୁମାରୀ ପ୍ରଧାନ (୬୨) ପ୍ରାଣ ହରାଇଛନ୍ତି। ଫଳରେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ସେହିପରି ଡି.ସାବିତ୍ରୀ ଦୋରା (୫୦), କାଳିଆ ନାୟକ (୪୦), ଚକ୍ରପାଣି ଗୌଡ଼ (୬୫), କାଞ୍ଚନ ଗୌଡ଼ (୫୫), ଗଦା ପ୍ରଧାନ (୬୦), ଡି. ଗଦାଧର ଦୋରା (୫୮), ବିଜୟ ଡାକୁଆ (୪୫) ଓ ଆନନ୍ଦ ପ୍ରଧାନ (୬୫) ଆକ୍ରାନ୍ତ ହୋଇଛନ୍ତି। ସେମାନେ ବ୍ରହ୍ମପୁର ବଡ଼ ମେଡିକାଲ୍ ଏବଂ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୋଖରୀ, ନାଳ ଏବଂ ଖୋଲାକୂଅର ଦୂଷିତ ପାଣି ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଅନୁମାନ କରାଯାଉଛି।

Advertisment

ଅନ୍ୟପକ୍ଷରେ ଆଜି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଆଡ଼ପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ.ବାହାନ ଦାସ ଓ ଭ୍ରାମ୍ୟମାଣ ଟିମ୍ ଗ୍ରାମକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ପାଣିକୁ ବିଶୋଧନ କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଥିଲା। ତେବେ ଏହି ସ୍ଥିତି ପାଇଁ ଜଳ ପରିମଳ କମିଟି ଗ୍ରାମ୍ୟ ଜଳଯୋଗାଣ ବିଭାଗର ପଦାଧିକାରୀ ଏବଂ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି। ସେମାନଙ୍କ ଅଭିଯୋଗ ହେଉଛି, ଗ୍ରାମରେ ୩ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇପାରୁନି। ଫଳରେ ଲୋକେ ଦୂଷିତ ପାଣି ପିଉଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ବିଶୁଦ୍ଧ ପାଣି ଯୋଗାଣ ନହେଲେ  ଧର୍ମପୁରରେ ଦିଗପହଣ୍ଡି-ତପ୍ତପାଣି ରାସ୍ତାରୋକ କରାଯିବ ବୋଲି ଜଳ ପରିମଳ କମିଟିର ସଭାପତି ଓମ୍‌ପ୍ରସାଦ ସାହୁ, ସମ୍ପାଦକ ଏସ.ସୁନାକର ଦୋରା ଓ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।