ଟିଟିଲାଗଡ଼ ବ୍ଲକରେ ବିଚିତ୍ର ନୀତି: ରାସନ ବଣ୍ଟନରେ ହସ୍ତକ୍ଷେପ କରିପାରିବେନି ସରପଞ୍ଚ,ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ଟିଟିଲାଗଡ଼/ସିନ୍ଧେକେଲା: ଏଣିକି ଆଉ ସରପଞ୍ଚମାନେ ରାସନ ସାମଗ୍ରୀ ବିତରଣରେ ସିଧାସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ଏଭଳି ଏକ ଚରମବାଣୀ ଦେଇ ଟିଟିଲାଗଡ଼ ବିଡିଓ ତାଙ୍କ ପତ୍ରସଂଖ୍ୟା ୧୨୪୩/୯.୫.୨୦୨୨ରେ ବ୍ଲକ୍‌ ଅନ୍ତର୍ଗତ ୨୪ଟି ପଞ୍ଚାୟତର ସରପଞ୍ଚମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହାକୁ ନେଇ ବ୍ଲକ୍‌ ସରପଞ୍ଚ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ସଂଘର ଅଭିଯୋଗ ଅନୁସାରେ, ପୂର୍ବରୁ ସରପଞ୍ଚମାନଙ୍କୁ ବିଭିନ୍ନ ପେନ୍‌ସନ୍‌ ଯୋଜନାରୁ ଦୂରେଇ ରଖାଯାଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ସରପଞ୍ଚମାନଙ୍କ ଭୂମିକା ଗୌଣ କରାଯାଇଥିଲା। ଏବେ ରାସନ ସାମଗ୍ରୀ ବଣ୍ଟନରେ ବି ସରପଞ୍ଚମାନଙ୍କ ଉପରେ କଟକଣା ଲଗାଇବା ନେଇ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ପଞ୍ଚାୟତରେ ଯେ କୌଣସି ଉନ୍ନୟନ କାର୍ଯ୍ୟକ୍ରମ ହେଉ ବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ହେଉ, ସେସବୁରେ ସରପଞ୍ଚଙ୍କ ଭୂମିକା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ରହିବା କଥା ବୋଲି ସଂଘର ସଭାପତି ବୀରବର ସାହୁ କହିଛନ୍ତି। ବିଡିଓ ତାଙ୍କ ପତ୍ରକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସଂଘ ଧମକ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ନରେଶ ଅଗ୍ରୱାଲ, ପୁଷ୍ପା ମହନନ୍ଦ, ଯମୁନା ମହାନନ୍ଦ, ଗୋପାଳ ତାଣ୍ଡି, ମିଲି ସାହୁ, ଜ୍ୟୋତ୍ସ୍ନା ସାହୁ, ହୃଷୀକେଶ ବାଗ, ଯୁଗଳ କିଶୋର ସାହୁ, ଯାଜ୍ଞସେନୀ ସାହୁ, ବୈଦେହୀ ମହାନନ୍ଦ, ଚିନ୍ତାମଣି ସୁନା, ହରିହର କଟା, ପୃଥ୍ୱୀରାଜ ଚିନାଗୁନ, ରୂପଧର ଘିବେଲା, ସରପଞ୍ଚଙ୍କ ପ୍ରତିନିଧିମାନଙ୍କ ମଧ୍ୟରେ ବିକାଶ ପାଣିଗ୍ରାହୀ, ନିମାଇଁ ବେହେରା, କୃଷ୍ଣ ହାତୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର