ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବଲଦା ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଧାରଣା ଯୋଗୁଁ ଲୁହାପଥର ପରିବହନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୪ ଦିନ ଧରି ଲୁହାପଥର ପରିବହନ ହୋଇ ନପାରିବାରୁ ରାଜ୍ୟ ସରକାର ପ୍ରିମିୟମ ବାବଦରେ ପ୍ରାୟ ୭୫ କୋଟି ଟଙ୍କା ହରାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ ହୋଇ ବସିଛି। କେତେକ ଇସ୍ପାତ କାରଖାନା ଏହି ଖଣିରୁ ପାଇବାକୁ ଥିବା ଲୁହାପଥର ଅଭାବରୁ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି ଯେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ଚଳିତବର୍ଷ ରାଜ୍ୟ ସରକାର ଯେଉଁ ଅନ୍‌ଲାଇନ ଟେଣ୍ଡର କରିଥିଲେ ସେଥିରେ ସିରାଜୁଦ୍ଦିନ କମ୍ପାନି ବଲଦା ଖଣିକୁ ୧୧୮.୦୫ ପ୍ରତିଶତ ପ୍ରିମିୟମ୍‌ରେ ୫୦ ବର୍ଷ ପାଇଁ ଲିଜ୍ ନେଇଛି। ଚଳିତବର୍ଷ କୋଭିଡ ଯୋଗୁଁ ଦେଶର ବହୁ ଇସ୍ପାତ କାରଖାନା କଞ୍ଚାମାଲ ଅଭାବରୁ ଘୋର ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ତେଣୁ ବିଭିନ୍ନ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ସିରାଜୁଦ୍ଦିନ କମ୍ପାନି ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଆଧାର କରି ଲୁହାପଥର ଉତ୍ତୋଳନ କାର୍ଯ୍ୟ ଜାରି ରଖିଛି। କମ୍ପାନି ବିଭିନ୍ନ ଇସ୍ପାତ କାରଖାନାର ଚାହିଦା ମେଣ୍ଟାଇବା ପାଇଁ ହଜାର ହଜାର ଟନ୍ ଲୁହାପଥର ଉତ୍ତୋଳନ କରି ଷ୍ଟକ୍‌ୟାର୍ଡରେ ମହଜୁଦ ରଖିଛି । ତେବେ ଏହାର ପରିବହନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।

Advertisment

ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ପରିବହନ କାର୍ଯ୍ୟକୁ ହାତେଇ ନେଇ ଏକଚାଟିଆ କାରବାର କରିବା ପାଇଁ ଅଡ଼ି ବସିଥିବାବେଳେ କମ୍ପାନି ଖଣି ନିକଟରେ ଥିବା ଚାରୋଟି ପଞ୍ଚାୟତର ଲୋକଙ୍କ ମଧ୍ୟରେ ପରିବହନ କାର୍ଯ୍ୟକୁ ସମାନୁପାତରେ ବାଣ୍ଟି ଦେଇଛି। ଅର୍ଥାତ୍ ପଲ୍‌ସା, ନୟାଗଡ଼, କାଳିମାଟି ଓ ବଲଦା ପଞ୍ଚାୟତକୁ ୨୫ ପ୍ରତିଶତ ହାରରେ ପରିବହନ କାମ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଶହ ଶହ ବେକାର ଯୁବକ ବ୍ୟାଙ୍କରୁ ଋଣ ନେଇ ଟ୍ରକ୍ ଓ ଡମ୍ପର ଇତ୍ୟାଦି କିଣିଛନ୍ତି। ତେଣୁ ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କମ୍ପାନି ଏହି ନିଷ୍ପତ୍ତି ନେଇଛି। ଗତ ୧୫ ତାରିଖଠାରୁ ଖଣିରୁ ଲୁହାପଥର ବିଭିନ୍ନ ଇସ୍ପାତ କାରଖାନା ଓ ଅନ୍ୟାନ୍ୟ ସଂସ୍ଥାକୁ ପରିବହନ ହୋଇଥାନ୍ତା। ହେଲେ ବଲଦା ପଞ୍ଚାୟତର କିଛି ଲୋକ ୮୦ ପ୍ରତିଶତ ପରିବହନ କାମ ପାଇବାକୁ ଦାବି କରି ହଠାତ୍ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଲେ। ଏଭଳି ଦାବି କମ୍ପାନି ପାଇଁ ଗ୍ରହଣ କରିବା ସମ୍ଭବ ନଥିଲା। କାରଣ ବଲଦା ପଞ୍ଚାୟତର ଦାବି ଗ୍ରହଣ କଲେ ଅନ୍ୟ ୩ ପଞ୍ଚାୟତ ପ୍ରତି ଅନ୍ୟାୟ ହେବ ବୋଲି କମ୍ପାନି ବିବେଚନା କରି ଏହି ଦାବିକୁ ଅଗ୍ରାହ୍ୟ କରିଥିଲା। ବଲଦା ପଞ୍ଚାୟତର ଲୋକେ ୨୫ ପ୍ରତିଶତ ପରିବହନ ପାଇଁ ପ୍ରଥମେ ରାଜି ହୋଇଥିଲେ ମଧ୍ୟ ପରେ ଏହି ଗୋଷ୍ଠୀର ପ୍ରରୋଚନାରେ ନିଷ୍ପତ୍ତି ବଦଳାଇଥିଲେ। ଏବେ ଏହି ଗୋଷ୍ଠୀର ସହାୟତାରେ ବଲଦା ପଞ୍ଚାୟତର ୨୫/୩୦ ଲୋକ ଧାରଣା ଜାରି ରଖିଛନ୍ତି। ବାମବେରୀ ଥାନାରେ କମ୍ପାନି ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବରଂ ପୁଲିସ ଧାରଣାକାରୀଙ୍କୁ ସୁରକ୍ଷା ଦେଇ ଚାଲିଛି। ଜିଲ୍ଲା ଓ ପୁଲିସ ପ୍ରଶାସନ ମଧ୍ୟ ନିରବ ରହିଛି।

କମ୍ପାନି ସୂତ୍ରରୁ ଜଣାଯାଇଛି ଯେ ପ୍ରତିଦିନ ବଲଦା ଖଣିରୁ ଯେତିକି ଲୁହାପଥର ପରିବହନ ପାଇଁ ଅନୁମତି ମିଳିଛି ସେଥିରୁ ରାଜ୍ୟ ସରକାର ୧୮ କୋଟି ୭୫ ଲକ୍ଷ ଟଙ୍କା ପ୍ରିମିୟମ୍ ପାଇବେ। ଲୁହାପଥର ପରିବହନ ହୋଇ ନପାରିବାରୁ ସରକାର ଏହି ୪ ଦିନ ମଧ୍ୟରେ ପ୍ରାୟ ୭୫ କୋଟି ଟଙ୍କାର ରାଜସ୍ବ ହରାଇଲେଣି। ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଖଣିରୁ ଲୁହାପଥର ପରିବହନ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯେଉଁ ଇସ୍ପାତ କାରଖାନା ଓ ବିଭିନ୍ନ ସଂସ୍ଥା ଲୁହାପଥର ପାଇବାକୁ ଅପେକ୍ଷା କରିଥିଲେ, ସେମାନେ ମଧ୍ୟ ହତାଶ ହୋଇଛନ୍ତି। କେତେକ ଇସ୍ପାତ କାରଖାନା ଉତ୍ପାଦନ ବନ୍ଦ କରିବା ସ୍ଥିତିକୁ ଆସି ଯାଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।