୧୧ ଦିନ ହେଲା  ମେସ୍କୋ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଦାନଗଦୀ:ଗତ ୧୧ ଦିନ ହେଲା  ମେସ୍କୋ କାରଖାନା ବନ୍ଦ ଥିଲେ ମଧ୍ୟ ପ୍ରଶାସନ ଆନ୍ଦୋଳନ ହଟାଇବାରେ ସମର୍ଥ ହୋଇପାରି ନାହିଁ। ଆଜି ଚାପରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଥାନା ଅଧିକାରୀ ପୂର୍ବାହ୍ନରେ କାରଖାନା ଫାଟକ ଖୋଲିବା ପାଇଁ ଆସୁଥିବା ନେଇ କର୍ମଚାରୀମାନେ ଖବର ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସେମାନେ ମେଟେରିଆଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଆଲୋଚନା ପାଇଁ କେହି ଆସି ନଥିବାରୁ ସମାଧାନର ବାଟ ନଫିଟିବାରୁ ଆନ୍ଦୋଳନ ଜାରି ରହିଛି। ମହମ୍ମଦ ଜାହେଦ, ନରେନ୍ଦ୍ର ସାମଲ, ଆଝାର ଅହମ୍ମଦ, ଓମ୍ ପ୍ରକାଶ ସାହୁ, ପ୍ରକାଶ ଜେନା, ଗଦାଧର ପରିଡ଼ା, ବିଶ୍ଵନାଥ ପାତ୍ର ଓ ବାବୁଲି ସାହୁ ପ୍ରଭୃତି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି।

ସେମାନଙ୍କ ଅଭିଯୋଗ ଯେ କେବଳ ପ୍ରଶାସନିକ ଆଶ୍ୱାସନା ବ୍ୟତୀତ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। କଂପାନି ମାଲିକ କାରଖାନାର ପୁରୁଣା ଲୁହା ବିକ୍ରି କରି ଚାଲିଛନ୍ତି। ପରିସରରେ ଥିବା ରେଳ ପ୍ଳଟ ମଧ୍ୟ ଭଡ଼ାରେ ଦେଇ ଲାଭବାନ ହେଉଛନ୍ତି। ପୂର୍ବରୁ ଅଗଷ୍ଟ ୨୨ତାରିଖରେ କର୍ମଚାରୀମାନେ ସମାନ ଦାବିରେ ଆନ୍ଦୋଳନ କରିବା ସହିତ କୋଇଲା ନେଇ ଆସୁଥିବା ଗାଡ଼ିଗୁଡିକୁ ସେଠାରେ ଅଟକ ରଖିଥିଲେ। ସେତେବେଳେ ପୁଲିସ ଓ ଜିଲ୍ଲା ପ୍ରଶାସନର ଅନୁରୋଧରେ ଆନ୍ଦୋଳନ ସାମୟିକ ଭାବେ ପ୍ରତ୍ୟାହୃତ ହୋଇଥିଲା। ପରେ ଗତ ୨୫ ତାରିଖରେ କଳିଙ୍ଗନଗର ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ କର୍ମଚାରୀଙ୍କ ଦାବି ନେଇ ଆଲୋଚନା ହୋଇଥିଲା। କୋଇଲା ଗାଡ଼ିଗୁଡିକୁ ଛାଡ଼ିଦେବା ପରେ ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେଯାଏ କାରଖାନା ଫାଟକ ବନ୍ଦ ରହିବ ବୋଲି ସେଠାରେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା କର୍ମଚାରୀମାନେ କହିଛନ୍ତି। ସେହି ଅନୁସାରେ ଗାଡ଼ିଗୁଡିକ ଛାଡ଼ିବା ପରେ ପୁଣି ଫାଟକରେ ତାଲା ପଡ଼ିଥିଲା।

ସମ୍ବନ୍ଧିତ ଖବର