ଗଞ୍ଜାମରେ ୮୦ ପ୍ରତିଶତ ରୁଆ ଶେଷ

୩୨ ହଜାର ଏମ୍‌ଟି ସାର ମହଜୁଦ, ବଡ଼ ବର୍ଷା ହେଲେ ବୁଡ଼ିବ ଖରିଫ

ବ୍ରହ୍ମପୁର : ଲଘୁଚାପ ବର୍ଷା ପରେ ଗଞ୍ଜାମ ଜିଲ୍ଲାରେ ଚାଷ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ପାଣି ଅଭାବ ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଜମି ଫାଟି ଆଁ ହୋଇ ଯାଇଥିବା ବେଳେ ତଳି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଗତ ଲଘୁଚାପ ବର୍ଷା ଯୋଗୁଁ ଚାଷୀ ଏବେ ଆଶ୍ବସ୍ତ। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ପ୍ରତିଶତ ଜମିରେ ଧାନ ରୁଆ ସରିଥିବା ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ ସୂଚନା ଦେଇଛନ୍ତି। କିଛି ନିର୍ଦ୍ଦିଷ୍ଟ ବ୍ଲକ୍‌ ଛାଡ଼ି ଦେଲେ ଅନ୍ୟ ସମସ୍ତ ବ୍ଲକ୍‌ର ଅଧିକାଂଶ ଜମିରେ ରୁଆ ସରିଗଲାଣି। ଅଗଷ୍ଟ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍‌ରେ ରୁଆ ସରିଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି।

ଚଳିତ ଖରିଫ୍ ଋତୁରେ ଗଞ୍ଜାମ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖା ଯାଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବ ହୋଇଥିଲା। ଜୁଲାଇରେ ସ୍ବାଭାବିକ ବର୍ଷା ହୋଇଥିଲା। ତଥାପି ଚାଷ ପାଇଁ ପାଣି ନିଅଣ୍ଟ ପଡ଼ିଥିଲା। ପ୍ରାୟ ୧୦ଦିନ ମଧ୍ୟରେ ଜୁଲାଇ ମାସରେ ଆବଶ୍ୟକ ହାରାହାରି ବର୍ଷା ଟାର୍ଗେଟ ପୂରଣ ହୋଇ ଯାଇଥିବା ବେଳେ ବାକି ୨୦ଦିନ ପାଗ ଶୁଖିଲା ରହିଥିଲା। ଏଣୁ ଚାଷ କାର୍ଯ୍ୟରେ ବାଧା ଦେଖା ଦେଇଥିଲା।

ଚଳିତ ମାସ ୧୩ ତାରିଖରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଫଳରେ ଜିଲ୍ଲାରେ ଜମି କାଦ କରିବା, ଧାନରୁଆ ପ୍ରକ୍ରିୟା ଜୋର୍‌ ଧରିଥିଲା। ଜିଲ୍ଲାର ଛତ୍ରପୁର, ପୋଲସରା, ଆସିକା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବ୍ଲକ୍‌ରେ କିଛି ଖାଲୁଆ ଅଞ୍ଚଳର ଜମିରେ ପାଣି ରହିଛି। ତାହା ଧୀରେ ଧୀରେ ଖଲାସ୍‌ ହେଉଛି। ଅନ୍ୟ ବ୍ଲକ୍‌ରେ ଥିବା ଜମିଗୁଡ଼ିକର ସ୍ଥିତି ଭଲ ରହିଛି। କୌଣସି ସ୍ଥାନରେ ସେଭଳି ଅଧିକ ପରିମାଣ ପାଣି ନାହିଁ। ଲଘୁଚାପ ବର୍ଷା ଜିଲ୍ଲାରେ ଚାଷ କାର୍ଯ୍ୟକୁ ଆଗେଇ ନେବାରେ ବେଶ୍‌ ସହାୟକ ହୋଇଛି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ରଂଗେଇଲୁଣ୍ଡା, କୁକୁଡ଼ାଖଣ୍ଡି, ଚିକିଟି ଭଳି କେତେକ ବ୍ଲକ୍‌ରେ ରୁଆ ଧିମେଇ ଚାଲିଛି। କାରଣ ସେଠାରେ ବିଳମ୍ବରେ ରୁଆ ଆରମ୍ଭ ହୋଇଥାଏ। ଅଗଷ୍ଟ ଶେଷ ସୁଦ୍ଧା ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ରୁଆ ସରିଯିବ ବୋଲି ଜିଲ୍ଲା କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେହିପରି ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ପାଇଁ ଖରିଫ୍‌ ଚାଷ ନିମନ୍ତେ ୭୨ହଜାର ମେଟ୍ରିକ୍‌ ଟନ୍‌(ଏମ୍‌ଟି) ସାର ଆବଶ୍ୟକ ହୋଇଥା‌ଏ। ବର୍ତ୍ତମାନ ଜିଲ୍ଲାରେ ୩୨ହହଜାର ମେଟ୍ରିକ୍‌ ଟନ୍‌ ୟୁରିଆ, ଗ୍ରୋମର୍‌, ପଟାସ୍‌ ଭଳି ସାର ଗଚ୍ଛିତ ରହିଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

ସେପଟେ ଆଉ ଏକ ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତା କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। କିନ୍ତୁ ଗଞ୍ଜାମ ଜିଲ୍ଲା ପ୍ରତି ସେଭଳି ବିପଦ ନଥିବା କୁହାଯାଇଛି। ଯଦି ପାଣିପାଗରେ ପରିବର୍ତ୍ତନ ହୋଇ ବଡ଼ ବର୍ଷା ଆସିବ ତେବେ ଜିଲ୍ଲାର ରୁଆ ସରିଥିବା ଜମିରେ ଧାନ ଫସଲ ବୁଡ଼ିଯିବ ବୋଲି ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର