ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଶତାଧିକ ଶିକ୍ଷକ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଘଟଣାର ତଦନ୍ତ ଜାରି ରହିଛି। ଏପରିକି ବାହାର ରାଜ୍ୟରୁ ବିଇଡି କରିଥିବା ସାର୍ଟିଫିକେଟ୍‌ ଦାଖଲ କରି ବହୁ ଶିକ୍ଷକଶିକ୍ଷୟିତ୍ରୀ ବିଭିନ୍ନ ବ୍ଲକ୍‌ରେ ଚାକିରି କରୁଛନ୍ତି। ସେମାନଙ୍କର ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏ ନେଇ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ହିଂଜିଳିକାଟୁ ଏବଂ ବେଲଗୁଣ୍ଠା ବ୍ଲକ୍‌ରେ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍‌ରେ କେତେ ଶିକ୍ଷକଶିକ୍ଷୟିତ୍ରୀ ଚାକିରି ପାଇଛନ୍ତି ତା’ର ତଥ୍ୟ ମାଗିଥିଲେ। ସେ ଅନୁସାରେ ଉଭୟ ବ୍ଲକ୍‌ର ଶିକ୍ଷାଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି। ହିଂଜିଳିକାଟୁ ବ୍ଲକ୍‌ରେ ୧୪ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍‌ରେ ଚାକିରି କରୁଥିବା ବେଳେ ବେଲଗୁଣ୍ଠା ବ୍ଲକ୍‌ରେ ଏଭଳି ୧୯ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି। ଏଣୁ ଏମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି।

Advertisment

ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏଭଳି ୩୪୭ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ୬୩ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି। ତନ୍ମଧ୍ୟରୁ ପୁଲିସ କିଛି ଶିକ୍ଷକଙ୍କୁ ଗିରଫ କରିଛି। ସେହିପରି କାର୍ଯ୍ୟାନୁଷ୍ଠାନ ଭୟରେ ୮ଜଣ ଶିକ୍ଷକ ଚାକିରି ଛାଡ଼ି କୁଆଡ଼େ ଉଭାନ୍‌ ହୋଇ ଯାଇଛନ୍ତି। ବଳକା ରହିଥିବା ୨୭୬ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ୍‌ ପ୍ରକ୍ରିୟା ଜାରି ରହିଛି। ସେହିପରି ଆନ୍ଧ୍ର ଶିକ୍ଷାନୁଷ୍ଠାନର ଶିକ୍ଷା ପ୍ରମାଣପତ୍ର ଦେଇ କିଛି ଶିକ୍ଷକ ଚାକିରି ପାଇଛନ୍ତି। ତାଙ୍କର ପ୍ରମାଣପତ୍ର ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଥିବା ଆନ୍ଧ୍ର ବିଶ୍ବବିଦ୍ୟାଳୟ, ଗୁଣ୍ଟୁର୍‌ରେ ଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି କରାଯାଇଛି। ଏପରିକି କର୍ଣ୍ଣାଟକର ଗୁଲବର୍ଗ ବିଶ୍ବବିଦ୍ୟାଳୟ ଓ ବେଙ୍ଗାଲୁରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ମଧ୍ୟ ଚିଠି କରାଯାଇଛି। ହେଲେ ସେଠାରୁ ଠିକ୍‌ ସମୟରେ ଯାଞ୍ଚ୍‌ ଓ ସାର୍ଟିଫିକେଟ୍‌ର ନକଲ ଆସିପାରୁ ନଥିବାରୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରୁ ନାହିଁ। ଏ ଦିଗରେ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।