ଗଞ୍ଜାମରେ ବ୍ୟାଧିର ରୂପ ନେଲାଣି ସାମାଜିକ ବାସନ୍ଦ 

ନ୍ୟାୟ ପାଇଁ ଏସ୍‌.ପି.ଙ୍କ ଦ୍ବାରସ୍ଥ ଗୋଟିଏ ଗାଁର ୧୭ ପରିବାର

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଗୁରୁତର ବ୍ୟାଧିର ରୂପ ନେଇଛି। ପ୍ରତିଦିନ ‌ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେ‌ଳେ ଜରିମାନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି। ଫଳରେ ଜିଲ୍ଲା ପୁଲିସ ପାଇଁ ଏହା ବର୍ତ୍ତମାନ ମୁଣ୍ଡବ୍ୟଥା ପାଲଟିଛି। ଗାଁ କମିଟି କିମ୍ବା କୁଳ ସମାଜ ଦ୍ବାରା ବାସନ୍ଦ ହୋଇ ନିର୍ଯାତିତ ଗ୍ରାମବାସୀ ନ୍ୟାୟ ପାଇବା ଆଶାରେ ପୁଲିସ ପଦାଧିକାରୀଙ୍କ ଦ୍ବାରସ୍ଥ ହେଉଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନି।

ଗତ ମାସରେ ଗଞ୍ଜାମ ବ୍ଲକ୍ ବୋରିଗାଁର ବାଦଲ କୁମାର ସାହୁ ନାମକ ଜଣେ ଯୁବକ ଗଞ୍ଜାମ ଏସ୍‌.ପି.ଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ଏତିକି ନୁହେଁ, ଅନ୍ୟ ଜାତିରେ ବାହା ହେବାରୁ ପୋଲସରାରେ ଦୁଇ ସେନା ଯବାନଙ୍କ ପରିବାରକୁ ବାସନ୍ଦ ଓ ରାଜନୈତିକ ଆକ୍ରୋଶ ପାଇଁ ଗଞ୍ଜାମ ବ୍ଲକ୍‌ର କିଛି ଜଣେ ସମିତସଭ୍ୟା ଏବଂ ପୂର୍ବତନ ସରପଞ୍ଚଙ୍କୁ ମଧ୍ୟ ବାସନ୍ଦ କରାଯିବା ଘଟଣା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଆଜି ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼କାଇଁଚପୁର ଗ୍ରାମର ୧୭ଟି ପରିବାରକୁ ସେମାନଙ୍କ କୁଳସମାଜ ବାସନ୍ଦ କରିଥିବାରୁ ନ୍ୟାୟ ପାଇଁ ସେମାନେ ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏଙ୍କୁ ଫେରାଦ୍ ହୋଇଛନ୍ତି।

କୁଳରୁ ବାସନ୍ଦ ହୋଇଥିବା ଏହି ୧୭ ପରିବାର ଲୋକଙ୍କ ଅଭିଯୋଗ ହେଉଛି, କୁଳ ସଭାପତି ତଥା ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ସନାତନ ବେହେରା ଗ୍ରାମର ୪୦ଟି ପରିବାରକୁ ବାସନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ମୋ‌ଟା ଅଙ୍କର ଜରିମାନା ଦେଇ କିଛି ପରିବାର କୁଳରେ ମିଶିଥିଲେ। କିନ୍ତୁ ଏହି ୧୭ ପରିବାର ଜରିମାନା ଦେଇ ପାରି ନଥିବାରୁ ୬ ବର୍ଷ ହେଲା ସେମାନଙ୍କୁ ନିଆଁପାଣି ବାସନ୍ଦ କରାଯାଇଛି। ନ୍ୟାୟ ପାଇଁ ଗଞ୍ଜାମ ଥାନାଧିକାରୀଙ୍କ ଠାରେ ବହୁବାର ଗୁହାରି କରିଥିଲେ ହେଁ, କୌଣସି ସୁଫଳ ମିଳି ନଥିଲା। ଏହା ମଧ୍ୟରେ ୩ରୁ ୪ ଜଣ ଥାନାଧିକାରୀଙ୍କ ବଦଳି ହୋଇ ସାରିଥିଲେ ବି ସେମାନ‌ଙ୍କୁ ନ୍ୟାୟ ମିଳିପାରିନି। ଫଳରେ ସେମାନେ ଏସ୍‌.ପି.ଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କର ଦ୍ବାରସ୍ଥ ହୋଇଥିବା କହିଛନ୍ତି। ଏ ନେଇ ଲିଖିତ ଭାବେ ସେମାନେ ଏସ୍‌.ପି.ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଗଞ୍ଜାମ ଏସ୍‌.ପି.ଶ୍ରୀ ରାଏ କହିଛନ୍ତି, ଜିଲ୍ଲାରେ ଯେଉଁଠୁ ଏହିଭଳି ସାମାଜିକ ବାସନ୍ଦ ଅଭିଯୋଗ ଆସୁଛି ତୁରନ୍ତ ପୁଲିସ ପକ୍ଷରୁ ମାମଲା ରୁଜୁ ହେଉଛି। କାଇଁଚରପୁରର ୧୭ ପରିବାରଙ୍କୁ ବାସନ୍ଦ ଅଭିଯୋଗର ତଦନ୍ତ ପାଇଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସରପ‌ଞ୍ଚ, ଗ୍ରାମ୍ୟ କମିଟି, ପୁଲିସ ଏବଂ ବାସନ୍ଦ ପରିବାରକୁ ନେଇ ଏକ ବୈଠକ ଡକାଯିବ। ଅନ୍ୟପକ୍ଷରେ ସଂପୃକ୍ତ କୁଳସମାଜର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା କହିଛନ୍ତି, ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ। ଗ୍ରାମରେ କାହାକୁ ବି ବାସନ୍ଦ କରାଯାଇନି। ସମସ୍ତେ ମିଳିମିଶି ସୌହାରର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଅଛନ୍ତି।

ସମ୍ବନ୍ଧିତ ଖବର