ଧର୍ମଶାଳା/ଚଣ୍ଡିଖୋଲ: ବୌଦ୍ଧ କୀର୍ତ୍ତିରାଜି ପାଇଁ ଯେଉଁ ଯାଜପୁର ଜିଲ୍ଲା ସମୃଦ୍ଧ, ଏବେ ତାହା ସେଠାରେ ଅଲୋଡ଼ା ପଥର ଭଳି ପଡ଼ିରହିଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ବଡ଼ଚଣା ଓ ଧର୍ମଶାଳା ବ୍ଲକ୍ରେ ଥିବା ବୌଦ୍ଧ କୀର୍ତ୍ତିରାଜିରେ ଭରପୁର କେତେକ ପାହାଡ଼। ବଡ଼ଚଣା ବ୍ଲକ୍ରେ ଥିବା କୋଲଣଗିରି ପାହାଡ଼ର କେତେକ ସ୍ଥାନରେ ବର୍ଷବର୍ଷ ଧରି ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ବେଳେ ଧର୍ମଶାଳା ବ୍ଲକ୍ର ଲାଙ୍ଗୁଡ଼ି, କାଏମା, ବଜ୍ରଗିରି ଆଦି ପାହାଡ଼ରେ ବୌଦ୍ଧ କୀର୍ତ୍ତିରାଜି ଅସୁରକ୍ଷିତ ଅବସ୍ଥାରେ ରହିଛି। ବିଡ଼ମ୍ବନାର ବିଷୟ ହେଉଛି, ଏହିସବୁ କୀର୍ତ୍ତିରାଜିର ସୁରକ୍ଷା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଆଦୌ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି।
ବଡ଼ଚଣାରେ ଥିବା କୋଲଣଗିରି ପାହାଡ଼ ହୀରକ ତ୍ରିଭୁଜ ଅନ୍ତର୍ଗତ ଉଦୟଗିରି ଓ ରତ୍ନଗିରି ମଧ୍ୟସ୍ଥଳରେ ରହିଛି। ଏହି ପାହାଡ଼ରେ ବହୁ ପୁରାତନ ନୃସିଂହନାଥ ମନ୍ଦିର, ମା’ ବାଶୁଳେଇ ମନ୍ଦିର, ଯୋଗୀମଠ ଓ ବଟ ଗୋସେଇଁଙ୍କ ମନ୍ଦିର ରହିଛି। ପାହାଡ଼ର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ ଲଣ୍ଡିତ ମସ୍ତକ ରହିଛି। କୋଲଣଗିରି ଗ୍ରାମବାସୀଙ୍କ ଗ୍ରାମଦେବତୀ ଭାବେ ପୂଜା ପାଇ ଆସୁଥିବା ବାଶୁଳେଇ ଠାକୁରାଣୀଙ୍କୁ ବୌଦ୍ଧ ସଂସ୍କୃତିରେ ଅଳଙ୍କାର ଶୋଭିତା ଦେବୀ ତାରା ବୋଲି କୁହାଯାଏ। ଗ୍ରାମଦେବତୀଙ୍କ ମନ୍ଦିର ପରିସରରେ ଭଗ୍ନ ବୌଦ୍ଧ ମୂର୍ତ୍ତି ମଧ୍ୟ ରହିଛି। ନୃସିଂହନାଥ ମନ୍ଦିର ଗାତ୍ରରେ ରହିଛି କିଛି ପୁରାତନ ବୌଦ୍ଧ ବିଗ୍ରହ। ପାହାଡ଼ ଶୀର୍ଷଦେଶରେ ଏକ ବିରାଟ ବୌଦ୍ଧ ମସ୍ତକ ରହିଛି। ସେଠାରେ ପଦ୍ମପାଣି ଅବଲୋକିତେଶ୍ୱରଙ୍କର ଏକ ପ୍ରସ୍ତର ବିଗ୍ରହ ସହିତ କେତେକ ବୌଦ୍ଧ ବିଗ୍ରହର ଭଗ୍ନ ଅଂଶ ପଡ଼ିରହିଛି। ପାହାଡ଼ର ଶୀର୍ଷସ୍ଥଳ ସମତଳ ହୋଇଥିବାବେଳେ ଏହାର ଉତ୍ତର-ପୂର୍ବ ଅଂଶରେ ଇଟା ନିର୍ମିତ କାନ୍ଥର ଭଗ୍ନାବଶେଷ ରହିଛି। ସ୍ଥାନୀୟ ଅଧିବାସୀଙ୍କ କହିବାନୁସାରେ, ୨୬ ଏକର ପରିମିତ ଏହି ପାହାଡ଼ ପାଦଦେଶ ଓ ପାହାଡ଼ ଉପରେ ଦୁଇଶହରୁ ଅଧିକ ପରିବାର ବସବାସ କରୁଛନ୍ତି। ୧୯୯୦ ମସିହା ପୂର୍ବରୁ ଗମନାଗମନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଏହି ପାହାଡ଼ର କେତେକ ସ୍ଥାନ ଖୋଳା ଯାଇଥିଲା। ସେହିସମୟରେ ସେଠାରୁ ଅନେକ ମୂର୍ତ୍ତି ବାହାରିଥିଲା। ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀମାନେ ଆସି ସେତେବେଳେ ପାହାଡ଼ର କିଛି ଅଂଶ ଖନନ କରିଥିଲେ। ଖନନରୁ ବୌଦ୍ଧ ମୂର୍ତ୍ତି ମଧ୍ୟ ବାହାରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇନଥିଲେ। ଫଳସ୍ବରୂପ ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀର ଏହି ବିରଳ କୀର୍ତ୍ତିରାଜି ଏବେ ଅବକ୍ଷୟମୁଖୀ। ୨୦୨୧ ଫେବ୍ରୁଆରିରେ ତତ୍କାଳୀନ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ଅଧିକାରୀ ଆସି ଏହି ପାହାଡ଼ର ଅନୁଧ୍ୟାନ କରିଥିଲେ। ମାତ୍ର, ରକ୍ଷଣାବେକ୍ଷଣ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି।
ସେହିପରି, ଧର୍ମଶାଳା ବ୍ଲକ୍ର ଲାଙ୍ଗୁଡ଼ି, କାଏମା, ବଜ୍ରଗିରି, ତରାପୁର, ଦେଉଳି, ଦେଉଳିପାଳ, ନେଉଳପୁର, ପନ୍ତୁରି, କଣ୍ଟିଗଡ଼ିଆ ପାହାଡ଼ ସମେତ ରାଧାନଗର ଗାଁ ନିକଟରେ ବହୁ ବିରଳ ବୌଦ୍ଧ କୀର୍ତ୍ତିରାଜି ରହିଛି। ମାତ୍ର, ଏହିସବୁ କୀର୍ତ୍ତିରାଜି ଅସୁରକ୍ଷିତ ଅବସ୍ଥାରେ ପଡ଼ିଛି। ଲାଙ୍ଗୁଡ଼ି ପାହାଡ(ପୁଷ୍ପଗିରି ବିହାର)ରୁ ସମ୍ରାଟ ଅଶୋକଙ୍କ ୨ଟି ପ୍ରସ୍ତର ପ୍ରତିମା, ବୁଦ୍ଧଦେବଙ୍କ ୨ଟି ମୂର୍ତ୍ତି ସମେତ ଅଶୋକଙ୍କ ଶିଳାଲିପି, ପୁଷ୍ପଗିରି ବିହାର ସୂଚିତ ଶିଳାଲିପି, ଇଟାସ୍ତୂପ, ୨ଟି ବୌଦ୍ଧ ବିହାରର ଭଗ୍ନାବଶେଷ, ବୌଦ୍ଧ ତନ୍ତ୍ରଯାନ, ୫୪ଟି ପ୍ରସ୍ତରକଟା ସ୍ତୂପ ଓ ବହୁ ପ୍ରାଚୀନ ସାମଗ୍ରୀ ଆବିଷ୍କୃତ ହୋଇଥିଲା। କିଛି ମୂର୍ତ୍ତି ବାହାରକୁ ଚାଲିଯାଇଥିବା ବେଳେ ଆଉ କିଛି ପାହାଡ଼ ଉପରେ ପଡ଼ିରହିଛି। ଏସବୁ ଖଣ୍ତଖଣ୍ତ ହୋଇ ଭାଙ୍ଗିଯାଇଛି। ସେହିଭଳି, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପନ୍ତୁରି ପାହାଡ଼ରେ ଆବିଷ୍କୃତ ପ୍ରାଚୀନ ମଣ୍ତପ, ରାଧାନଗର ନିକଟରୁ ଦୁର୍ଗର ପ୍ରାଚୀର, ଅଶୋକଙ୍କ ସାନଭାଇ ନାମ ଉଲ୍ଲେଖ ଥିବା ପ୍ରସ୍ତର ମୋହର, ତୋଷାଳି ସଂପର୍କିତ ଲିପି, ଖୀଷ୍ଟପୂର୍ବ ସମୟର ରୌପ୍ୟ ମୁଦ୍ରା, କୁଶାଣ ସମୟର ସ୍ବର୍ଣ୍ଣ ଓ ତାମ୍ର ମୁଦ୍ରା, ଟେରାକୋଟା ଅଳଙ୍କାର, ଚତୁର୍ଥ ଶତାଦ୍ଦୀର ଶ୍ରୀ ନନ୍ଦ ଉଲ୍ଲେଖ ଥିବା ତାମ୍ର ମୁଦ୍ରା ଭଳି କୀର୍ତ୍ତିରାଜି ସତ୍ତା ହରାଇବାର ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଶିଷ୍ଟ ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି କହନ୍ତି, କୋଲଣଗିରି ପାହାଡ଼ ସାରା ବିକ୍ଷିପ୍ତ ଭାବେ ବୌଦ୍ଧ କୀର୍ତ୍ତିରାଜି ପଡ଼ିରହିବା ବୌଦ୍ଧ ସଂସ୍କୃତି ପ୍ରତି ଘୋର ଅପମାନ। ଖ୍ରୀଷ୍ଟୀୟ ସପ୍ତମ ଅଷ୍ଟମ ଶତାବ୍ଦୀର ଏହି ବିରଳ କୀର୍ତ୍ତିରାଜିର ସଂରକ୍ଷଣ ଅତି ଜରୁରି। ପ୍ରତ୍ନତତ୍ତ୍ବ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।