ଯାଜପୁର/ସଦର/ପାଣିକୋଇଲି: କିଛିଦିନର ବ୍ୟବଧାନ ପରେ ଯାଜପୁରରେ ଆଜି ସକାଳୁ ପୁଣି ଆୟକର ଚଢ଼ଉ ହୋଇଛି। ଏଥର ବିରଜା ଇଲେକ୍ଟ୍ରିକାଲ ଓ ପାଣିକୋଇଲିସ୍ଥିତ କୃପାଳୁ ରାଇସ ମିଲ୍‌ ମାଲିକ ଆୟକର ଜାଲରେ ପଡ଼ିଛନ୍ତି।

Advertisment

ଆଜି ଭୋର୍‌ରୁ ଯାଜପୁର ସହରର ହାଟପାଟଣା ଅଞ୍ଚଳର ବିଦ୍ୟୁତ୍‌ ଠିକାଦର ତଥା ବିରଜା ଇଲେଟ୍ରିକାଲ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକସନର ସ୍ବତ୍ତ୍ବାଧିକାରୀ ଧରଣୀ ସାହୁଙ୍କ ଘରେ ଚଢ଼ଉ ହୋଇଥିଲା। ୩ଟି ଗାଡ଼ିରେ ୮ରୁ ଅଧିକ ଆୟକର ଅଧିକାରୀ ଆସି ତାଙ୍କ ଘରେ ଦିନତମାମ ଖାନତଲାସ କରିଥିଲେ। ରାତି ପର୍ଯ୍ୟନ୍ତ ସେମାନେ ତାଙ୍କ ଘରେ ରହିଛନ୍ତି। ଏ ସଂପର୍କରେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏଣେ ଦିନକ ପରେ ନିର୍ବାଚନ ଥିବାବେଳେ ଏହି ଚଢ଼ଉକୁ ସହରରେ ବିଭିନ୍ନ ଚର୍ଚ୍ଚା ଚାଲିଛି। ସେହିପରି, ପାଣିକୋଇଲିରେ ଆଜି ସ୍ଥାନୀୟ ଶିଳ୍ପପତି ଅନିରୁଦ୍ଧ ଦାଶଙ୍କ ଘରେ ଓ ତାଙ୍କ ବ୍ୟବସାୟିକ ସଂସ୍ଥା କୃପାଳୁ ରାଇସ୍‌ ଇଣ୍ତଷ୍ଟ୍ରି ଉପରେ ଆୟକର ବିଭାଗ ଚଢ଼ଉ କରିଛି। ନିର୍ବାଚନ ପୂର୍ବରୁ କେଉଁ କାରଣରୁ ଚଢ଼ଉ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ସନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିବା ବେଳେ ଏ ସଂକ୍ରାନ୍ତରେ କୌଣସି ସୂଚନା ଜଣାପଡ଼ିନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ତାରିଣୀ କନ୍‌ଷ୍ଟ୍ରକସନର ମାଲିକ ନିହାର ରଂଜନ ମାନ୍ଧାତାଙ୍କ କାର୍ଯ୍ୟାଳୟରେ ଆୟକର ଚଢ଼ଉ ହୋଇଥିଲା। ତା’ପୂର୍ବରୁ ହୋଟେଲ ଯଯାତି କୋର୍ଟୟାର୍ଡ ଓ ଏହାର ପରିଚାଳକ ଦିବ୍ୟ ରଂଜନ ନାୟକଙ୍କ ଘରେ ମଧ୍ୟ ଚଢ଼ଉ ହୋଇଥିଲା।