ଜଳେଶ୍ବରରେ ମହାରାଷ୍ଟ୍ରର ୪ ଆଇଏଏସ୍‌ ପ୍ରୋବେସନର

ଜଳେଶ୍ବର: ୨୦୨୦-୨୧ ବ୍ୟାଚ୍‌ ମହାରାଷ୍ଟ୍ରର ୪ ଜଣ ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ର ସରକାର ଝାଡ଼ଖଣ୍ଡ, କେରଳ, ୟୁପି ଓ ମହାରାଷ୍ଟ୍ରରେ ନିଯୁକ୍ତି ଦେଇଛନ୍ତି। ତେବେ ସେମାନେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅନୁସନ୍ଧାନ ଓ ତାଲିମ ପାଇଁ କେନ୍ଦ୍ର ସରକାର ଏହି ପ୍ରୋବେସନର ଆଇଏଏସ୍‌ମାନଙ୍କୁ ଓଡ଼ିଶା ଗସ୍ତରେ ପଠାଇଥିବା ବେଳେ ଆଜି ସେମାନେ ଜଳେଶ୍ବର ଗସ୍ତରେ ଆସିଥିବା ଜଣାପଡ଼ିଛି। ଏହି ୪ ଜଣ ଆଇଏଏସ୍‌ଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୩ ଜଣ ପୁରୁଷ ରହିଛନ୍ତି।

ଏହି ଆଇଏଏସ୍‌ମାନେ ଜଳେଶ୍ବର ବ୍ଲକ୍‌ ସମ୍ମିଳନୀ କକ୍ଷରେ ମାକଡ଼ିଆ ସପ୍ତଭଗିନୀ ପ୍ରଡ୍ୟୁସର ଗ୍ରୁପ୍‌ ଆନୁକୂଲ୍ୟରେ ସ୍ଥାନୀୟ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ଟସର ଶାଢ଼ୀ, ସୂତାଶାଢ଼ୀ, ଚାଦର, ସ୍କାର୍ଫ ପ୍ରଦର୍ଶନୀ, ପଶ୍ଚିମବାଡ଼ ପଞ୍ଚାୟତ ଦେବକୁମାର ଗାଁର ଶିବଶକ୍ତି ପ୍ରଡ୍ୟୁସର ଗ୍ରୁପ୍‌ ଆନୁକୂଲ୍ୟରେ ଗ୍ରାମର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ସବାଇଘାସ ସାମଗ୍ରୀ, ରାୟାଁରାମଚନ୍ଦ୍ରପୁରର ପେଡିକ୍ରାଫ୍ଟ, ବାଇଗଣବାଡ଼ିଆର ସିଲେଇ ଓ ଗାର୍‌ମେଣ୍ଟ କାମ ପ୍ରଦର୍ଶନୀ ଦେଖିବା ସହ ବୁଣାକାର ଓ କାରିଗରଙ୍କ ସହ ବାର୍ତ୍ତାଳାପ କରିଥିଲେ। ସେହିପରି ଖୁଲୁଡ଼ାସ୍ଥିତ ଶୀତଳା

ସରକାରୀ ଉଚ୍ଚବିଦ୍ୟାଳୟକୁ ୫-ଟି ବିଦ୍ୟାଳୟରେ ରୂପାନ୍ତରିତ କରାଯାଇ ଏହାର ଆଖିଦୃଶିଆ ବିକାଶ କରାଯାଇଥିବାରୁ ସ୍କୁଲ୍‌ ପରିଦର୍ଶନ କରିଥିଲେ ଏହି ପ୍ରୋବେସନର ଆଧିକାରୀ। ରାଜପୁରର ଏକ ଅଙ୍ଗନବାଡ଼ି କେନ୍ଦ୍ର, ରାଜପୁର ପଞ୍ଚାୟତ ୫-ଟି ହାଇସ୍କୁଲ୍‌, ନେତୁଆ ପଞ୍ଚାୟତର କମାରଶାଳିଆ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ସେମାନେ ବୁଲି ଦେଖିଥିଲେ। ସରକାରୀ ପଦାଧିକାରୀ, ଜନପ୍ରତିନିଧି, ଶିକ୍ଷକ ଓ ଅନ୍ୟମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ଗସ୍ତ ସମୟରେ ଏହି ପ୍ରୋବେସନର ଆଇଏଏସ୍‌ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସମୟରେ ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସ, ବ୍ଲକ୍‌ ଅଧ୍ୟକ୍ଷ ମାନସ କୁମାର ଜେନା, ଉପାଧ୍ୟକ୍ଷା ସଞ୍ଚିତା ସେନାପତି, ଖୁଲୁଡ଼ା ଶୀତଳା ସରକାରୀ ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ଡ. ଅଜିତ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଦିଲ୍ଲୀପ ପରିଡ଼ା, ଖୁଲୁଡା ସରପଞ୍ଚ ଜ୍ୟୋତିର୍ମୟ ଆଚାର୍ଯ୍ୟ, ଜିପିଓ ମାୟାଧର ମଲ୍ଲିକ,ଏସ୍‌ଇଓ ସୁଜୟ କୁମାର ଚନ୍ଦ, ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମୁଣ୍ଡ ଓ ଅନ୍ୟ ବହୁ ପଦାଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର