କଳାହାଣ୍ଡି ଜିଲ୍ଲାରେ ୧୨୯ଟି ହାଇସ୍କୁଲର ରୂପାନ୍ତରୀକରଣ ହୋଇଛି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣାରେ କିସ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭବାନୀପାଟଣା: କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲ ରୂପାନ୍ତରିତ କରାଯାଇଛି। ଶିକ୍ଷା ଜୀବନରେ ବଡ଼ ପରିବର୍ତ୍ତନ ଆଣିଥାଏ। ତେଣୁ ରାଜ୍ୟ ସରକାର ଶିକ୍ଷାକୁ ସବୁଠାରୁ ଗୁରୁତ୍ବ ଦେଉଛନ୍ତି। ସାରା ରାଜ୍ୟରେ ପ୍ରାୟ ୪ ହଜାର ହାଇସ୍କୁଲ ରୂପାନ୍ତରିତ ହୋଇସାରିଛି। ପିଲାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରି ଭବିଷ୍ୟତ ଗଠନ ପାଇଁ ଦୃଢ଼ ସଙ୍କଳ୍ପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟରେ ଥିବା ବାଦଲି କିସ ସ୍କୁଲକୁ ଉଦଘାଟନ କରିବା ଅବସରରେ ଉଦବୋଧନ ଦେଇ କହିଥିଲେ। କଳାହାଣ୍ଡିବାସୀ ଓ ମା’ ମାଣିକେଶ୍ବରୀଙ୍କୁ ଜୁହାର କରି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିଥିଲେ।

କଳାହାଣ୍ଡିରେ କିସ୍‌ର ସ୍ଥାପନ ରାଜ୍ୟବାସୀଙ୍କ ପାଇଁ ଖୁସିର ବିଷୟ ଅଟେ। କଳାହାଣ୍ଡିର ଏହି କିସ୍‌ ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢ଼ିବାର ସୁଯୋଗ ପାଇବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ଖୋଲି ଶିକ୍ଷାର ଉନ୍ନତି ପାଇଁ, ବିଶେଷକରି ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ। ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ଇଂଜିନିୟରିଂ କଲେଜ ଆଦି ଜିଲ୍ଲା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ। ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଆରୋପ କରୁଛନ୍ତି। ୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରକୁ ହିଁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି।

କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲର ରୂପାନ୍ତର କରାଯାଇଛି। ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ଼ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ। କିସ୍‌ କିଟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ପ୍ରାରମ୍ଭିକ ସୂଚନା ଦେଇ କଳାହାଣ୍ଡି କିସ୍‌ ହେଉଛି ଜିଲ୍ଲାବାସୀଙ୍କର ସମ୍ପତ୍ତି ଅଟେ ଏହାର ସୁରକ୍ଷା ଜିଲ୍ଲାବାସୀଙ୍କ ଦାୟିତ୍ବ ଅଟେ। କଳାହାଣ୍ଡି ଜିଲ୍ଲାରୁ ଭୁବନେଶ୍ବର କିସ୍‌ରେ ପ୍ରାୟ ୪୦୦୦ ଜନଜାତି ପିଲା ପାଠ ପଢ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ କିଟ୍‌ ପକ୍ଷରୁ ନିଜସ୍ବ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାବାସୀଙ୍କ ପାଇଁ କଳାହାଣ୍ଡି କିସ୍‌ ସ୍ବର୍ଣ୍ଣାକ୍ଷରରେ ନୂତନ ଇତିହାସ ସୃଷ୍ଟି କରିବ।

ତେଣୁ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ଶିକ୍ଷାର ବିକାଶ ପାଇଁ ଉପାଦେୟ ହେବ ବୋଲି କହିଥିଲେ। ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇ ରାଜ୍ୟ ସରକାର ଆଦିବାସୀମାନଙ୍କ ବିକାଶ ପାଇଁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରି ୨୦୧୮ ମସିହାରୁ ଉଦ୍ୟମ କରୁଛନ୍ତି। ଏହି ମଡେଲକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରୁଛନ୍ତି। ଦକ୍ଷିଣ କୋରିଆ ଭଳି ଦେଶଗୁଡ଼ିକ ଆଜି ଶିକ୍ଷା କ୍ଷେତ୍ରରେ ଉନ୍ନତି ଯୋଗୁଁ ବିକଶିତ ହୋଇଛନ୍ତି। ତେଣୁ କିସ୍‌ କଳାହାଣ୍ଡି ୧୨୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ୧୨୦୦  ଗାଁକୁ ପରିବର୍ତ୍ତନ କରିବେ ବୋଲି କହିଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ଧନ୍ୟବାଦ ଅର୍ପଣ କରିଥିଲେ। ମାନସ ଦାସ ମଞ୍ଚ ପରିଚାଳନା କରିଥିଲେ।  ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଳାହାଣ୍ଡି ଏସ୍‌ପି ଅଭିଳାଷ ଜି, ପିଡିଡିଆର୍‌ଡିଏ ସୋମେଶ ଉପାଧ୍ୟାୟ, କିସ୍‌ର ଡେଭଲପମେଣ୍ଟ ଅଫିସର ବସନ୍ତ ବେହେରା, କିଟ୍‌ ବିଶ୍ବବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ପ୍ରମୋଦ ପାତ୍ର, ସହକାରୀ ନିର୍ଦ୍ଦେଶକ ଦେବେନ୍ଦ୍ର ସାମଲ, କଳାହାଣ୍ଡି କିସ୍‌ର ସହକାରୀ ସିଇଓ ଦୁଷ୍ମନ୍ତ ପ୍ରଧାନ, ପ୍ରିୟ ବହିଦାର, ପ୍ରମ‌ୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର